କେନ୍ଦୁଝର: ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିସନ ଏବଂ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଆଜି ଏକ ବିଶାଳ ରାଲିରେ ନଗରଭବନ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରାରମ୍ଭରେ ନଗରଭବନରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାସଂଘର କେନ୍ଦୁଝର ଜିଲ୍ଲା ଶାଖା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର ଯୋଗଦେଇ ସଂଘର ଦାବି କିପରି ସରକାରଙ୍କ ପାଖରେ ପହଞ୍ଚି ପାରିବ ସେ ସମ୍ପର୍କରେ କହିଥିଲେ। ଉପସଭାପତି ଚନ୍ଦନ କୁମାର ସାହୁ ସଭା ସଂଯୋଜନା କରିଥିଲେ।
ଉପଦେଷ୍ଟା ନିତ୍ୟରଞ୍ଜନ ବରାଳ, କୋଷାଧ୍ୟକ୍ଷା କ୍ଷୀରାବ୍ଦୀ ତନୟା ମହାରଣା, ବଳଦେବ ନନ୍ଦ, ତାପସ କୁମାର ଜେନା, ରବୀନ୍ଦ୍ର କୁମାର ଜେନା, ସୁନିତା ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଡାକ୍ତର ଉତ୍କଳ ବେହେରା, ସାଧାରଣ ସମ୍ପାଦକ ଡାକ୍ତର ପ୍ରଣବ ପ୍ରକାଶ ଶର୍ମା, ଡାକ୍ତର କ୍ଷୀରୋଦ ମହାନ୍ତ, ଡାକ୍ତର ବି. ପଣ୍ଡା, ଯୁଗ୍ମ ସମ୍ପାଦକ ବ୍ରହ୍ମାନନ୍ଦ ସାହୁ, ବିଜନ କୁମାର ସାହୁ, ଉପଦେଷ୍ଟା ଡାକ୍ତର ଜ୍ୟୋତିରଞ୍ଜନ ରାଉତ, ପ୍ରସନ୍ନ ଦେବତା, ମିଡିଆ ସଂଯୋଜକ ଚିତ୍ତରଞ୍ଜନ ଜେନା, ଶକ୍ତି ମହାନ୍ତି, ସଦସ୍ୟ ଦୀପକ କୁମାର ସାହୁ ଓ ଶ୍ୟାମସୁନ୍ଦର ବେହେରା ସହଯୋଗ କରିଥିଲେ। ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି କର୍ମଚାରୀମାନେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଆସୁଛନ୍ତି। କିନ୍ତୁ ସେମାନଙ୍କୁ ନିୟମିତ କରାଯାଉ ନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିସନ ଏବଂ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ ୮୮୧୪ଜଣ ଠିକା କର୍ମଚାରୀଙ୍କୁ ବାଦ୍ ଦେଇ ସରକାର ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ଘୋଷଣା କରିଛନ୍ତି। ଏହାର ପ୍ରତିବାଦରେ ଠିକା କର୍ମଚାରୀମାନେ ହଳଦିଆ ବ୍ୟାଜ୍ ପରିଧାନ କରିଛନ୍ତି। ଆସନ୍ତା ୨୧ ତାରିଖରେ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ବିଶାଳ ସମାବେଶ ସହ ଗଣଧାରଣା ଦିଆଯିବ। ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।