ମହାନଦୀ ଠିକା ଶ୍ରମିକ ସଂଘର ଆନ୍ଦୋଳନ : ଏମ୍‌ସିଏଲ୍‌ର ୮ଟି ଯାକ ଖଣି ଅଚଳ

ତାଳଚେର : ୫ ଦଫା ଦାବିରେ ମହାନଦୀ ଠିକା ଶ୍ରମିକ ସଂଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ଯୋଗୁଁ ତାଳଚେରରେ ଏମ୍‌ସିଏଲ୍‌ର ଥିବା ୮ଟି ଯାକ କୋଇଲା ଖଣିରେ କୋଇଲା ଉତ୍ପାଦନ ଓ ପରିବହନ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏଥିସହ ଏନ୍‌ଟିପିସିର ଉଭୟ କଣିହାଁ ଓ ଥର୍ମାଲ ପ୍ରକଳ୍ପ ଏବଂ ନାଲକୋକୁ କୋଇଲା ଯୋଗାଣ ବ୍ୟାହତ ହୋଇଛି।

ମହାନଦୀ ଠିକା ଶ୍ରମିକ ସଂଘର ସଦସ୍ୟମାନେ ଆଜି ହିଙ୍ଗୁଳା ପୀଠରେ ଏକ ସମାବେଶରେ ଏକତ୍ରିତ ହୋଇଥିଲେ। ପରେ ସଂଘ ସଭାପତି ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ସାଧାରଣ ସଂପାଦକ ନରହରି ପ୍ରଧାନଙ୍କ ନେତୃତ୍ୱରେ ମୋଟର ସାଇକଲ ଶୋଭାଯାତ୍ରାରେ ଆସି ତାଳଚେର ଉପଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆନ୍ଦୋଳନରୁ ଓହରିବାକୁ ଉପଜିଲ୍ଲାପାଳ ସଂଘକୁ ଅନୁରୋଧ କରିଥିଲେ। ତେବେ ଖଣି କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେବା ପରେ ଯାଇ ଆନ୍ଦୋଳନରୁ ଓହରିବାକୁ ସଂଘ ସୂଚନା ଦେଇଥିଲା। ତଦନୁଯାୟୀ, ଆସନ୍ତାକାଲି ମଧ୍ୟ ଆନ୍ଦୋଳନ ଜାରି ରହିବ।

ପ୍ରକାଶଥାଉକି, ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ, ମାଗଣା ଚିକିତ୍ସା ସୁବିଧା, ବାଇଓମେଟ୍ରିକ୍‌ ପଦ୍ଧତିରେ ଉପସ୍ଥାନ, ୧୩୦ ଛଟେଇ ଠିକା ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ଠିକା ଶ୍ରମିକଙ୍କୁ ଭାରତ ସରକାରଙ୍କ ଦ୍ୱାରା ଦକ୍ଷତା ବିକାଶ ତାଲିମ ପ୍ରଦାନ ଓ ଶିକ୍ଷାନୁଷ୍ଠାନରେ ଠିକା ଶ୍ରମିକଙ୍କ ପିଲାଙ୍କ ପାଇଁ ନାମଲେଖାରେ ସଂରକ୍ଷଣ ବ୍ୟବସ୍ଥା ଆଦି ଦାବିରେ ସଂଘ ଏହି ଆନ୍ଦୋଳନ ଚଳାଇଛି।

ସମ୍ବନ୍ଧିତ ଖବର