ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋଟିଆ ଗାଁକୁ ନେଇ ଓଡ଼ିଶା ଉଠୁଛି ପଡୁଛି। ଖବରକାଗଜରେ ତଥ୍ୟ ପ୍ରକାଶ ପରେ ଏ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଲେଣି। ହେଲେ ଗୋଟିଏ କି ଦୁଇଟି ନୁହେଁ, ଓଡ଼ିଶା ସୀମାନ୍ତରେ ଏଭଳି ୯୬ଟି ଗାଁ ରହିଛି, ଯେଉଁମାନଙ୍କ ଉପରେ ସରକାରଙ୍କର ନଜର ନାହିଁ। କେବଳ ସେତିକି ନୁହେଁ, ବିବାଦରେ ଛନ୍ଦି ହୋଇପଡିଥିବା ଏହି ଗାଁର ଲୋକମାନେ ନିଜ ନିଜର ଅସ୍ତିତ୍ୱ, ପରିଚୟ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ନା ରାଜ୍ୟ ସରକାର ସେମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ନା ପଡ଼ୋଶୀ ରାଜ୍ୟର ସୁବିଧା ସୁଯୋଗ ସେମାନେ ଶତ ପ୍ରତିଶତ ହାତେଇ ପାରୁଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଏସବୁ ଗାଁର ସମସ୍ୟା ସମାଧାନର ରାସ୍ତା ବାହାର କରିବା ଲାଗି ଖୋଦ୍ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ ହୋଇଛି। କିନ୍ତୁ ଏହି କମିଟି ଯେତିକି ଗୁରୁତ୍ୱ ଦେଇ ଏ ପ୍ରସଙ୍ଗକୁ ବିଚାର କରିବା କଥା, ତାହା ପରିଲକ୍ଷିତ ହେଉନାହିଁ। ରାଜସ୍ୱ ବିଭାଗ ସୂଚନା ଅନୁଯାୟୀ, ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସୀମାନ୍ତ ସହିତ ଲାଗି ରହିଛି ରାଜ୍ୟର ୧୦ଟି ଜିଲ୍ଲାର ପ୍ରାୟ ୯୬ଟି ଗ୍ରାମ। ଆନ୍ଧ୍ର ପ୍ରଦେଶ ସହିତ କୋରାପୁଟ ଜିଲ୍ଲାର ୨୨ଟି, ଗଞ୍ଜାମ ଜିଲ୍ଲାର ୨୧ଟି, ଗଜପତି ସହିତ ୧୬ଟି, ରାୟଗଡ଼ା ଜିଲ୍ଲା ସହିତ ୫ଟି; ଏହିରୂପେ ମୋଟ ୬୪ଟି ସୀମାନ୍ତ ଗ୍ରାମ ଛନ୍ଦି ହୋଇରହିଛି। ପଶ୍ଚିମବଙ୍ଗ ସହିତ ବାଲେଶ୍ୱର ଜିଲ୍ଲାର ୬ଟି, ମୟୂରଭଞ୍ଜ ଜିଲ୍ଲାର ୮ଟି; ମୋଟ ୧୪ଟି ଉପାନ୍ତ ଗ୍ରାମ ଲାଗିରହିଛି। ସେହିପରି ଝାଡ଼ଖଣ୍ଡ ସହିତ ମୟୂରଭଞ୍ଜ ଜିଲ୍ଲାର ୨ଟି, କେନ୍ଦୁଝର ଜିଲ୍ଲାର ୫ଟି, ସୁନ୍ଦରଗଡ଼ ଜିଲ୍ଲାର ୬ଟି ଗ୍ରାମ; ମୋଟ ୧୩ଟି ସୀମାନ୍ତ ଗ୍ରାମ ବିବାଦଘେରରେ ଥିବା ବେଳେ ଛତିଶଗଡ଼ ସହିତ ନବରଙ୍ଗପୁର ଜିଲ୍ଲାର ୪ଟି ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଗ୍ରାମ ସୀମା ବିବାଦରେ ଜଡ଼ିତ। ମୋଟାମୋଟି ଏସବୁ ଗ୍ରାମର ୧୩୦୦୨ ଏକର ଜମି, ୧୫୩୩୧ ଏକର ସଂରକ୍ଷିତ ଜଙ୍ଗଲ ଜମି ନେଇ ୪ଟି ରାଜ୍ୟ ସହିତ ସୀମା ବିବାଦ ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି। ଏସବୁ ଗ୍ରାମର ଅଧିବାସୀମାନଙ୍କ ମହଙ୍ଗା ପଡ଼ୁଛି ଉଭୟ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ସରକାରମାନଙ୍କ ହସ୍ତକ୍ଷେପ। ଅନେକ ଗ୍ରାମର ସୀମା ବିବାଦ ପ୍ରାୟ ଶହେ ବର୍ଷ ଧରି ଲାଗିରହିଛି। କୋଟିଆ ଗ୍ରାମ ବିବାଦ ନେଇ ଉପସ୍ଥାପିତ ମାମଲାର ୨୦୦୬ ମାର୍ଚ୍ଚ ୩୦ ତାରିଖରେ ଶୁଣାଣି କରି ସୁପ୍ରିମ କୋର୍ଟ ସେଠାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଛନ୍ତି। ଗତ ୧୨ ବର୍ଷ ମଧ୍ୟରେ ସେଠାରେ ଓଡ଼ିଶା ସରକାରଙ୍କ ଉପସ୍ଥିତି ଆଦୌ ଅନୁଭୂତ ହେଉନାହିଁ। ସେପଟେ ଆନ୍ଧ୍ର ପ୍ରଦେଶ ସେହି ଗ୍ରାମବାସୀମାନଙ୍କୁ ତାଙ୍କ ସରକାରଙ୍କ ଯୋଜନାରେ ସାମିଲ କଲେଣି। ଗତ ୬ ତାରିଖରେ ପଡ଼ୋଶୀ ଜିଲ୍ଲାର ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସେଠାକୁ ଆସି ଗ୍ରାମବାସୀମାନଙ୍କୁ କଲ୍ୟାଣକର ଯୋଜନାର ପ୍ରଲୋଭନ ଦେଖାଇଛନ୍ତି। ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ପ୍ରଥମେ ବିଜୁଗାଁ ଗାଡ଼ିର ଚକ ସେହି ଗ୍ରାମକୁ ଗଡ଼ିଲା।
ରବିବାର କୋରାପୁଟ ଜିଲ୍ଲାପାଳ ପାଦରେ ଚାଲି ଚାଲି ସେହି ଗ୍ରାମକୁ ଗସ୍ତ କରି ଲୋକଙ୍କ ଭଲମନ୍ଦ ବୁଝିଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି ସତ ମାତ୍ର, ସରକାର ପୁଣି ଥରେ ସେମାନଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରିବେ ନାହିଁ, ସେ ନେଇ ସେମାନେ ଆଶ୍ୱସ୍ତ ହୋଇପାରୁନାହାନ୍ତି। ବିବାଦ ସମାଧାନ ଦିଗରେ ସରକାର ବା ପ୍ରଶାସନର ତତ୍ପରତା ଉପାଦେୟ ହେବ କି ନାହିଁ, ସେ ନେଇ ମଧ୍ୟ କେହି ଦୃଢ ମତ ରଖିପାରୁନାହାନ୍ତି। ସେହିପରି ପଶ୍ଚିମବଙ୍ଗ ସୀମାନ୍ତ କଥା ବିଚାର କଲେ, ଓଡ଼ିଶା ସରକାର ଉଦୟପୁର ବେଳାଭୂମିରେ ସାମୁଦ୍ରିକ ପୁଲିସ୍ ଥାନା ସ୍ଥାପନ କରିବାକୁ ପଦକ୍ଷେପ ନେଇଥିଲେ। ଏଥିରେ ପ୍ରତିବନ୍ଧକ ସାଜିଥିଲା ପଶ୍ଚିମବଙ୍ଗ ଜିଲ୍ଲା ପ୍ରଶାସନ। ରାଜସ୍ୱ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ ସେହି ବିବାଦର ସମାଧାନ ପାଇଁ ବାଟ ଫିଟିଛି। ରାଜ୍ୟରେ କୋଟିଆ ଗ୍ରାମ ପରି ଆହୁରି ୯୫ଟି ସୀମାନ୍ତ ଗ୍ରାମ ରହିଛି। ସେହି ଗ୍ରାମବାସୀମାନେ ନିଜର ପରିଚୟ, ସର୍ବନିମ୍ନ ସରକାରୀ ସୁବିଧା, ନାଗରିକତ୍ୱରୁ ବଞ୍ଚିତ। କିଛି ସୀମାନ୍ତ ଗ୍ରାମବାସୀଙ୍କ ହାତରେ ରହିଛି ଉଭୟ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ପରିଚୟପତ୍ର। ଏସବୁ ଗ୍ରାମର ଅନେକ ଗରିବ ପରିବାର ଖାଦ୍ୟ ନିରାପତ୍ତା ଯୋଜନାର ସୁଫଳ ପାଉନାହାନ୍ତି। ସଂପୃକ୍ତ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେଲେ, ପଡ଼ୋଶୀ ରାଜ୍ୟ ତା’ର ଦାଉ ସାଧୁଛି। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ବେଙ୍ଗଲ-ବିହାର-ଓଡ଼ିଶା ପ୍ରଦେଶରୁ ଓଡ଼ିଶା ସ୍ୱାଧୀନ ହୋଇ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ସତ, କିନ୍ତୁ ଅନେକ ଗ୍ରାମ ସୀମା ବିବାଦଘେରରେ ସେତେବେଳଠାରୁ ରହିଛି। ସୀମାନ୍ତବର୍ତୀ ହଜାର ହଜାର ଗ୍ରାମବାସୀ କେବେ ଏଭଳି ବିବାଦରୁ ମୁକ୍ତି ପାଇବେ ତାହା ହିଁ ବଡ଼ ପ୍ରଶ୍ନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/duduma-falls.jpg)