ବିବାଦୀୟ କୋଟିଆରେ ଆନ୍ଧ୍ର ଅଧିକାରୀ

ଲୋକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ

କୋରାପୁଟ/ପଟାଙ୍ଗୀ: ବିବାଦୀୟ କୋଟିଆରେ ପୁଣି ନିଜ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିଛି ଆନ୍ଧ୍ର। ଆଜି ବିଜୟନଗରମର ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ତଳ ଗଂଜେଇ ପଦର ଗ୍ରାମରେ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହ ଲୋକଙ୍କୁ କମ୍ବଳ ବାଣ୍ଟିଛନ୍ତି। ଓଡ଼ିଶା ଲୋକଙ୍କୁ ପ୍ରଲୋଭିତ କରିବାକୁ ସେମାନେ ଚେଷ୍ଟା କରିଛନ୍ତି। ଖବର ପାଇ କୋରାପୁଟ ଉପ ଜିଲ୍ଳାପାଳ ସେଠାରେ ପହଞ୍ଚି ଆନ୍ଧ୍ରର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି। ସୀମାନ୍ତ ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଚାଲିଥିଲା ବେଳେ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ବାରମ୍ବାର ଉଦ୍ୟମ କରୁଛି। ଆଜି ଏହି ପଞ୍ଚାୟତର ତଳ ଗଂଜେଇ ପଦର ଗ୍ରାମରେ ବିଜୟନଗରମ ଜିଲ୍ଲାପାଳ ବିବେକ ଯାଦବ, ପୂର୍ବତନ ବିଧାୟକ ଆର.ପି.ଭଂଜରାଜ ଦେବ, ତହସିଲଦାର ପି.ଜନାର୍ଦ୍ଦନ ରାଓ, ଅତିରିକ୍ତ ତହସିଲଦାର ଏସ.କିଶନ ରାଜୁ ପ୍ରମୁଖ ପହଞ୍ଚିଥିଲେ। ସେମାନେ ଗ୍ରାମରେ ତଥା ଏହି ଅଂଚଳରେ ଚାଲିଥିବା ବିଭିନ୍ନ କାମର ସମୀକ୍ଷା କରିଥିଲେ। ପରେ ଲୋକଙ୍କୁ କମ୍ବଳ ବାଣ୍ଟିଥିଲେ। ଏହା ସହିତ ଶତାଧିକ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଭାବେ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିନେଇ ଓଡ଼ିଶାର ଅଧିକାରୀଙ୍କୁ କିଛି ସୂଚନା ଦେଇ ନ ଥିଲେ।

ଓଡ଼ିଶା ସୀମାରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମ ସଂପର୍କରେ ଖବର ପାଇବା ପରେ କୋରାପୁଟ ଜିଲ୍ଲାପାଳ ଅନୁପମ ସାହା କୋରାପୁଟ ଉପ ଜିଲ୍ଲାପାଳ କୃତ୍ତିବାସ ରାଉତଙ୍କୁ କୋଟିଆ ପଠାଇଥିଲେ। ଉପ ଜିଲ୍ଲାପାଳଙ୍କ ସହ ପଟାଙ୍ଗୀ ଏବିଡିଓ ସଦାଶିବ ଅଧିକାରୀ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ପଟାଙ୍ଗୀ ବ୍ଳକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ତଳ ଗଂଜେଇ ପଦରରେ ପହଞ୍ଚିଥିଲେ। କିନ୍ତୁ ଉପ ଜିଲ୍ଲାପାଳ ପହଞ୍ଚିବା ପୂର୍ବରୁ ଆନ୍ଧ୍ରର ଅଧିକାରୀମାନେ ଚାଲି ଯାଇଥିଲେ। ଉପ ଜିଲ୍ଲାପାଳ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆନ୍ଧ୍ରର ଅଧିକାରୀ ତଳ ଗଂଜେଇ ପଦର ଗ୍ରାମକୁ ଆସିଥିବା ଖବର ମିଳିବା ପରେ ଉପ ଜିଲ୍ଲାପାଳଙ୍କୁ ସେଠାକୁ ପଠା ଯାଇଥିଲା। ତାଙ୍କ ରିପୋର୍ଟ ମିଳିବା ପରେ ଏଥିନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି। ଉପ ଜିଲ୍ଲାପାଳ କୃତ୍ତିବାସ ରାଉତ କହିଛନ୍ତି ଯେ, ତଳ ଗଂଜେଇ ପଦରରେ ପହଞ୍ଚିଲାବେଳକୁ ଅଧିକାରୀମାନେ ଚାଲି ଯାଇଥିଲେ। ଏଥିନେଇ ଗ୍ରାମବାସୀଙ୍କୁ ବୁଝିବା ପରେ ଜଣାପଡିଥିଲା ଯେ, ସେମାନେ ଏଠାକୁ ଆସି କିଛି କମ୍ବଳ, ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିଛନ୍ତି। ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇଛନ୍ତି। ଏଥିନେଇ ପୋଷ୍ଟର ମଧ୍ୟ ମାରିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର