ରାଜ୍ୟ ବିଜେପିରେ ଦ୍ବନ୍ଦ୍ବ ବଢ଼ିଲା

ଧର୍ମେନ୍ଦ୍ରଙ୍କ ନେତୃତ୍ବକୁ ମୋହର ମାରିଲେ ଜୁଏଲ, ବିଜୟ ଓ ଦିଲ୍ଲୀପ ଦଳ ଛାଡ଼ିଲେ କ୍ଷତି ହେବ

ଭୁବନେଶ୍ବର: ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆସନ୍ତାକାଲି ଦଳର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଔପଚାରିକ ଭାବେ ଆଲୋଚନା ହୋଇପାରେ। ଏହାର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଉଭୟ ନିଜ ସମର୍ଥକଙ୍କ ସହିତ ବିଜେପି ତ୍ୟାଗ କରିପାରନ୍ତି। ପୁରୁଷ ବିଶ୍ବକପ୍ ହକି ମହାକୁମ୍ଭକୁ ନେଇ ସମଗ୍ର ରାଜ୍ୟ ଝୁମୁଛି। ଠିକ୍ ଏତିକି ବେଳେ ଏହି ଦୁଇଟି ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏମିତି ଯେ ନିର୍ବାଚନର ଠିକ୍ ଅବ୍ୟବହିତ ପୂର୍ବରୁ ବିଜେପି ଶିବିରରେ ବଡ଼ଧରଣର ଦ୍ବନ୍ଦ୍ବ ସୃଷ୍ଟି କରିସାରିଲାଣି। ନେତୃତ୍ବକୁ ନେଇ ପୂର୍ବରୁ କଂଗ୍ରେସରେ କନ୍ଦଳ ଥିଲା, ଏବେ ବିଜେପି ସେହି ପ୍ରସଙ୍ଗରେ ଛନ୍ଦି ହୋଇପଡିଛି। କାରଣ ହେଲା ଖୋଦ୍ ଅମିତ ଶାହଙ୍କ ଉପସ୍ଥିତିରେ ଅପରାଜିତା ବିଜେପିରେ ଯୋଗ ଦେଇଥିଲେ ହେଁ, ଆସନ୍ତା ଦିନରେ ତାଙ୍କର ଭୂମିକା କଣ ହେବ, ସେ କଥା ବିଜେପି ହାଇକମାଣ୍ଡ ସ୍ପଷ୍ଟ କଲେ ନାହିଁ। ଏଣେ କିନ୍ତୁ ସୋସିଆଲ ମିଡିଆରେ ଅପରାଜିତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର ଅଭିଯାନ ଜୋର ଧରିଛି। ଗତ ଚାରିବର୍ଷ ଧରି ଯେଉଁମାନେ ବିଜେପି ସପକ୍ଷରେ ମତ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେତା ବୋଲି ସଙ୍କେତ ଦେଉଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଏ ପ୍ରସଙ୍ଗରେ ଅତ୍ୟନ୍ତ ନିରବ ରହିଛନ୍ତି ଓ ଆଉ କିଛି ଅପରାଜିତାଙ୍କ ସପକ୍ଷରେ ଖୋଲାଖୋଲି ମନ୍ତବ୍ୟ ରଖି ଏହି ଚର୍ଚ୍ଚାକୁ ବଳ ଦେଉଛନ୍ତି।

ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଶାହ ବାରମ୍ବାର ଓଡ଼ିଶାକୁ ଆସିବାବେଳେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ମୋହର ମାରିଥିଲେ। ଯିଏ ନେତା ମିଶନ୍ତି, ଧର୍ମେନ୍ଦ୍ରଙ୍କ ନେତୃତ୍ବକୁ ମାନି ରାଜ୍ୟରେ ମିଶ୍ରଣ ପର୍ବରେ ଯୋଗ ଦିଅନ୍ତି। ଅପରାଜିତାଙ୍କ କ୍ଷେତ୍ରରେ କିନ୍ତୁ ବିଲକ୍ଷଣ ହେଲା, ଖୋଦ ଶାହଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେଲା। ଯଦିଓ ଶେଷ ମୁହୂର୍ତରେ ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ମିଶ୍ରଣ ପର୍ବ ଅମିତ ଶାହଙ୍କ ଆବାସିକ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେଲା ଏବଂ ଉତ୍ସବକୁ ସଂକ୍ଷିପ୍ତ କରି ଦିଆଗଲା କିନ୍ତୁ ଗଣମାଧ୍ୟମକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କିମ୍ବା ସେଠାରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଁ କି ଚୁଁ ପଦୁଟିଏ ପ୍ରତିକ୍ରିୟା ନ ଦେଇ ନିରବ ରହିବା ରାଜ୍ୟ ରାଜନୀତିରେ ଅନେକ ପ୍ରଶ୍ନ ଚିହ୍ନ ଛି଼ଡା କରିଛି। ବିଜେପି ବ୍ୟବସ୍ଥାରେ ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କ୍ବଚିତ ଦେଖିବାକୁ ମିଳେ। ଏଣୁ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ସବୁ ସମର୍ଥନ ମିଳୁଥିଲେ ହେଁ, କେନ୍ଦ୍ରୀୟ ନେତୃତ୍ବ ଠୋସ୍ ଭାବେ କିଛି କହିନଥିଲେ। ଆଜି କିନ୍ତୁ ମିଶ୍ରଣ ପର୍ବରେ ଅନୁପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗଣମାଧ୍ୟମକୁ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାଙ୍କରି ନେତୃତ୍ବରେ ଦଳ ନିର୍ବାଚନ ଲଢିବ। ପୂର୍ବରୁ ମଧ୍ୟ ଥରେ ସେ ଏକଥା କହିଥିଲେ। ତେବେ ବାସ୍ତବତା ଯାହା ହେଉ, ଅପରାଜିତା ଯୋଗ ଦେଉ ଦେଉ ନେତୃତ୍ବକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ କିନ୍ତୁ ତୃଣମୂଳ ଯାଏ ଭେଦିଲାଣି। ଜୁଏଲ ଦଳର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ବିଜେପି ଛାଡିବା ନିଷ୍ପତ୍ତିକୁ ମଧ୍ୟ ଗ୍ରହଣ କରିପାରିନାହାନ୍ତି। ସିଧା ସିଧା କହିଛନ୍ତି, ଏହାଦ୍ବାରା ଦଳର କ୍ଷତି ଘଟିବ। ଏହି କ୍ଷତିକୁ ଭରଣା କରିବା ପାଇଁ ଦଳ ନିଶ୍ଚୟ ଚେଷ୍ଟା କରିବ। ରାଜନୈତିକ ମହଲର କହିବା କଥା ହେଉଛି, ବିଧାୟକ ଦିଲ୍ଲୀପ ରାୟ ଯଦି ବିଜେପି ଛାଡନ୍ତି, ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଜୁଏଲ। ଆସନ୍ତା ନିର୍ବାଚନରେ ଗୋଟିଏ ଜିତିବା ଆସନ ଦଳ ହରାଇବ ତା ନୁହେଁ, ସୁନ୍ଦରଗଡ଼ ଲୋକସଭା ଆସନ ନିଜ ହାତରେ ରଖିବା କଷ୍ଟସାଧ୍ୟ ହୋଇପଡିବ। ଦିଲ୍ଲୀପ ବିଜେପି ପ୍ରତି ବିମୁଖ ହେବା ପଛର କାରଣ ଜୁଏଲ ନୁହନ୍ତି , ଏକଥା ସମସ୍ତେ ଜାଣନ୍ତି। ସେହିଭଳି ବିଜୟ ମହାପାତ୍ର-ବିଜେପି ମଧ୍ୟରେ ତିକ୍ତ ସଂପର୍କ ଏବଂ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦଳ ଛାଡିବା ଲାଗି ଯୋଜନା କରିବା ପଛର କାରଣ ମଧ୍ୟ କାହାକୁ ଅଛପା ନୁହେଁ। ଏଣୁ ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲଙ୍କ ମନ୍ତବ୍ୟ ପଛରେ ହାଇକମାଣ୍ଡଙ୍କ ଇସାରା ରହିଛି ନା ଏହା ତାତ୍ସଲ୍ୟ ଭରା ଅଭିବ୍ୟକ୍ତି ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଗଲାଣି।

ଉଲ୍ଲେଖଯୋଗ୍ୟ ୧୧ବର୍ଷ ଚାକିରି ଥାଇ ହଠାତ୍ ଅପରାଜିତାଙ୍କୁ ନିର୍ବାଚନ ବର୍ଷରେ ବିଜେପି ଦଳରେ ମିଶାଇବା ଘଟଣାକୁ ନେଇ ରାଜନୈତିକ ମହଲରେ ଘଣ୍ଟାଚକଟା ଚାଲିଛି। କାରଣ ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ସହିତ ଅପରାଜିତାଙ୍କ ନିବିଡ଼ତା ରହିଛି, ଏକଥା ସମସ୍ତେ ଜାଣନ୍ତି। ଏଣୁ ଦଳର ମୁଖିଆଙ୍କ ସହିତ ନିଶ୍ଚୟ ଅପରାଜିତାଙ୍କର କିଛି ଗୋଟାଏ ମୂଲଚାଲ ହୋଇଥିବ ବୋଲି ଗୋଟିଏ ଗୋଷ୍ଠୀ ବିଶ୍ବାସ କରୁଛନ୍ତି। ଅନ୍ୟ ଗୋଟିଏ ଗୋଷ୍ଠୀର ଯୁକ୍ତି ହେଉଛି, ବିଜେଡି ଇତିମଧ୍ୟରେ କିଛି ପୂର୍ବ ପ୍ରଶାସକଙ୍କୁ ନିଜ ଦଳକୁ ଆଣିଛି। ସେମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣ ଟିକେଟ ପାଇପାରନ୍ତି। ବିଶେଷକରି ଭୁବନେଶ୍ବର ଭଳି ମର୍ଯ୍ୟାଦାଜନକ ଆସନରେ ପୂର୍ବତନ ପୁଲିସ ଅଧିକାରୀ ଅରୂପ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବକୁ ନେଇ ବିଜେଡି ଶିବିରରେ ଚିନ୍ତନ ଚାଲିଛି। ସମ୍ଭବତଃ, ପ୍ରଶାସକଙ୍କ ସୁଦୃଷ୍ଟିରେ କେବଳ ବିଜେଡି ଭଲ ଦଳ, ବିଜେପି ନୁହେଁ, ଏଭଳି ଏକ ବାର୍ତାକୁ ଖଣ୍ଡନ କରିବା ପାଇଁ ଅପରାଜିତାଙ୍କୁ ଦଳ ଆଣିଛି ଓ ଆଗକୁ ଲଢାଇପାରେ ବୋଲି ଏମାନେ ମତ ରଖୁଛନ୍ତି। ତେବେ କିଛି ଗୋଟାଏ ସଙ୍କେତ ନଥିଲେ, ଅପରାଜିତା ଦଳର ସଦସ୍ୟତା ଗ୍ରହଣ କରିବା ପୂର୍ବରୁ ଭୁବନେଶ୍ବରରେ ଅଫିସର ଖୋଲିଛନ୍ତି, ଏକଥାକୁ କେହି ବିଶ୍ବାସ କରୁନାହାନ୍ତି। ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ବାହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ କାର୍ଯ୍ୟ କରୁଥିଲା। ଦଳର ନେତାମାନେ ସେଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମନ୍ତ୍ରଣା କରୁଥିଲେ। ଏବେ କର୍ମୀ କେଉଁ କାର୍ଯ୍ୟାଳୟକୁ ଭରସା କରିବେ ସେ ନେଇ ଦ୍ବନ୍ଦ୍ବରେ ପଡିବା ସ୍ବାଭାବିକ।

ସମ୍ବନ୍ଧିତ ଖବର