ରାଉରକେଲା: ସହରରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା କଣ୍ଟ୍ରୋଲ ଦୋକାନ ରହିବ ନାହିଁ। ଏଣିକି ପିଡିଏସ୍ ସାମଗ୍ରୀ ବଣ୍ଟନ କରିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)। ରାଉରକେଲାରେ ମୋଟ ପ୍ରାୟ ୧୬୫ କଣ୍ଟ୍ରୋଲ ଦୋକାନ ମଧ୍ୟରୁ ୨୫ରୁ ଅଧିକ ଏସ୍ଏଚ୍ଜିଙ୍କୁ ପିଡିଏସ୍ ସାମଗ୍ରୀ ବଣ୍ଟନ ଦାୟିତ୍ବ ଦିଆସରିଛି। ବାକି ଦୋକାନଗୁଡ଼ିକ ଉଚ୍ଛେଦ କରି ଏସ୍ଏଚ୍ଜି ଗ୍ରୁପକୁ ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମିତି ଭାବେ ସହରରେ ସମସ୍ତ କଣ୍ଟ୍ରୋଲ ଦୋକାନୀଙ୍କୁ ହଟାଇ ମହିଳା ଏସ୍ଏଚ୍ଜି ଗ୍ରୁପ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ଜିଲ୍ଲା ଯୋଗାଣ ବିଭାଗ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲ୍ୟୁଓ)ଙ୍କୁ ଚିଠି ଲେଖିଛନ୍ତି। ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧୀନରେ ଖାଲି ଥିବା କଣ୍ଟ୍ରୋଲ ଦୋକାନଗୁଡ଼ିକୁ ଚାଲୁ କରିବାକୁ ମହିଳା ଏସ୍ଏଚ୍ଜି ଗ୍ରୁପର ତାଲିକା ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ଯେଉଁମାନେ ଏସବୁ କଣ୍ଟ୍ରୋଲ ଦୋକାନଗୁଡ଼ିକୁ ଚଳାଇବେ। ଯେଉଁ ମହିଳା ଏସ୍ଏଚ୍ଜି ଗ୍ରୁପର ଭଲ ରେକର୍ଡ ଥିବ, ସେହି ଗ୍ରୁପଗୁଡ଼ିକୁ ପ୍ରାଥମିକତା ଦେବାକୁ ଚିଠିରେ କୁହାଯାଇଛି। ବର୍ତ୍ତମାନ ସହରର ୨୦ଟି କଣ୍ଟ୍ରୋଲ ଦୋକାନ ଖାଲି ପଡିଛି। ଏସବୁ କଣ୍ଟ୍ରୋଲ ଦୋକାନ ଅଧୀନରେ ଥିବା କାର୍ଡକୁ ନିକଟସ୍ଥ କଣ୍ଟ୍ରୋଲ ଦୋକାନ ସହ ସଂଯୋଗ କରି ଦିଆଯାଇଛି।
ହିତାଧିକାରୀମାନେ ମାସ ମାସ ଧରି ସେହି ଠାରୁ ପିଡିଏସ୍ ସାମଗ୍ରୀ ଉଠାଉଛନ୍ତି। ଖାଲି ପଡିଥିବା ଏହିସବୁ କଣ୍ଟ୍ରୋଲ ଦୋକାନଗୁଡ଼ିକ ହେଉଛି ସେକ୍ଟର-୨୨ ଅନ୍ତର୍ଗତ ମଡର୍ଣ୍ଣ ଇଣ୍ଡିଆ (୨ଟି), ବନ୍ଧମୁଣ୍ଡା, ପାନପୋଷ(୨ଟି), ଗଙ୍ଗାଧରପାଲି , ବାଲୁଘାଟ, ବାସନ୍ତୀକଲୋନି, ସେକ୍ଟର-୧୯, ସେକ୍ଟର-୮, ସେକ୍ଟର-୫, ସେକ୍ଟର-୨ ରେ ରହିଛି। ସେହିପରି ସେକ୍ଟର-୧୫, ନାଲାରୋଡ, ବନ୍ଧମୁଣ୍ଡା (ଅନ୍ୟ ଦୁଇଟି), ସିଭିଲଟାଉନସିପ୍, ସେକ୍ଟର -୧ (ଦୁଇଟି), ସେକ୍ଟର-୫ କଣ୍ଟ୍ରୋଲ ଦୋକାନ ଖାଲି ପଡିଛି। ପ୍ରର୍ଯ୍ୟାୟକ୍ରମେ କଣ୍ଟୋଲ ଦୋକାନଗୁଡ଼ିକ ଉଚ୍ଛେଦ କରିବାକୁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ବର୍ଷ ବର୍ଷ ଧରି କଣ୍ଟ୍ରୋଲ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଦୋକାନୀଙ୍କ ଚିନ୍ତା ବଢ଼ିଯାଇଛି।
ଅନ୍ୟପଟେ ପୂର୍ବରୁ ପିଡିଏସ୍ ସାମଗ୍ରୀ ବଣ୍ଟନ ଦାୟିତ୍ବ ଦାୟିତ୍ବରେ ଏସ୍ଏଚ୍ଜି ଗ୍ରୁପଙ୍କ ମଧ୍ୟରୁ କିଛିଙ୍କ ବିରୋଧରେ ଅନିୟମିତା ଅଭିଯୋଗ ଆସୁଛି। ସେମାନଙ୍କ ନିକଟରେ ରହିଥିବା କାର୍ଡ ମଧ୍ୟରୁ କିଛି ଭୂତ କାର୍ଡ ରହିଥିବା ଅଭିଯୋଗ ହେଉଛି। କାରଣ ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ୪ ହଜାର ଭୂତ କାର୍ଡକୁ ବାତିଲ କରାଯାଇଥିଲା। ଏବେ ଆହୁରି ମଧ୍ୟ କିଛି ଭୂତ କାର୍ଡ ରହିଛି। ସଠିକ୍ ତଦନ୍ତ କରାଗଲେ କିଛି ଏସ୍ଏଚ୍ଜି ଗ୍ରୁପ୍ ନୁହେଁ ବରଂ କଣ୍ଟ୍ରୋଲ ଦୋକାନୀଙ୍କ ଗୋଲକଧନ୍ଧା ପଦାକୁ ଆସିପାରନ୍ତା।
ସେମିତି ସମସ୍ତ କଣ୍ଟ୍ରୋଲ ଦୋକାନୀଙ୍କୁ ସାମାନ ସଂଖ୍ୟକ କାର୍ଡ ଦେବାକୁ ନିୟମ ରହିଥିବାବେଳେ ରାଉରକେଲାରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କେଉଁ କଣ୍ଟ୍ରୋଲ ଦୋକାନୀ ନିକଟରେ ୧୫୦ରୁ ୨୦୦ କାର୍ଡ ତ ଅନ୍ୟ କେଉଁ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ୧୦୦୦ରୁ ୧୨ ପର୍ଯ୍ୟନ୍ତ କାର୍ଡ ରହିଛି। ଏଥିରେ ପଛରେ ପଡିନି କିଛି ଏସ୍ଏଚ୍ଜି ଗ୍ରୁପ୍। ରାଜନୈତିକ ଦଳର ନେତାଙ୍କ ଚାପରେ ବିଭାଗୀୟ ଅଧିକାରୀ କିଛି ନ କହି ଚୁପ୍ ରହୁଛନ୍ତି। ସହରରେ ଯୋଗାଣ ବିଭାଗର ଏଭଳି ବିଚିତ୍ର ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏସବୁ ଭିତରେ ଆଗାମୀ ଦିନରେ କଣ୍ଟ୍ରୋଲ ଦୋକାନ ଉଚ୍ଛେଦ ହେଉଛି ନାହିଁ, ତା ଉପରେ ନଜର ରହିଛି। ଉଲ୍ଲେଖଯୋଗ୍ୟ, ରାଉରକେଲାରେ ମୋଟ ୧ ଲକ୍ଷ ୬୭ ହଜାର କାର୍ଡ ଅଧିକାରୀ ଅଛନ୍ତି। ଏସମାନେ ରାଉରକେଲା ମହାନଗର ନିଗମ ଓ ଇସ୍ପାତ ସହରାଞ୍ଚଳର ବିଭିନ୍ନ ୧୬୫ କଣ୍ଟ୍ରୋଲ ଦୋକାନ ଓ ଏସ୍ଏଚ୍ଜି କେନ୍ଦ୍ରରୁ ନିଜର ଖାଉଟି ସାମଗ୍ରୀ ନେଉଛନ୍ତି।