ଯୋଜନାରେ ରହିଯିବ ଅନ୍ଧତ୍ବ ଦୂରୀକରଣ !

ଖୋଲି ପାରିଲାନି ଭିଜନ୍ ସେଣ୍ଟର, ବୁଲିଲାନି ମୋବାଇଲ ଭ୍ୟାନ୍

ଭୁବନେଶ୍ବର :ଗତବର୍ଷ ବିଶ୍ବ ଦୃଷ୍ଟି ଦିବସ‌େର ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବା ସହିତ ଆସନ୍ତା ୫ ବର୍ଷରେ ରାଜ୍ୟରୁ ମୋତିଆବିନ୍ଦୁ ଜନିତ ଅନ୍ଧତ୍ବ ସଂପୂର୍ଣ୍ଣ ଦୂରୀକରଣର ଲକ୍ଷ୍ୟ ରଖାଯାଇଛି। ତେବେ ଏହି କାର୍ଯ୍ୟକ୍ରମକୁ ଆଜି ବର୍ଷେ ପୂରିଛି। ହେଲେ ଗୋଟିଏ ବର୍ଷ କେବଳ ଯୋଜନା ଭିତରେ ଶେଷ ହୋଇଯାଇଛି। ବାରମ୍ବାର କାର୍ଯ୍ୟକ୍ରମର ସମୀକ୍ଷା ହେଉଛି ମାତ୍ର ତୃଣମୂଳସ୍ତରରେ କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ।

ଚଳିତ ବର୍ଷ ରାଜ୍ୟରେ ଯେତିକି ସଂଖ୍ୟକ ଭିଜନ୍ ସେଣ୍ଟର ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ତାହା ଖୋଲି ପାରିନାହିଁ। ଏହାସହ ମୋବାଇଲ ଭ୍ୟାନ୍ ଜରିଆରେ ଲୋକଙ୍କ ପାଖକୁ ଯାଇ ଚକ୍ଷୁ ପରୀକ୍ଷା ମଧ୍ୟ ସମ୍ଭବ ହୋଇନାହିଁ। ଏହାସହ ପୂର୍ବବର୍ଷ ଯେତିକି ସଂଖ୍ୟକ ମୋତିଆବିନ୍ଦୁ ଅ‌‌‌େସ୍ତ୍ରାପଚାର ହୋଇଥିଲା ଚଳିତବର୍ଷ ମଧ୍ୟ ଏହି ସଂଖ୍ୟା ପୂର୍ବଭଳି ରହିଛି। ଯଦିଓ ନିକଟରେ ରାଜ୍ୟରେ ଜିଲ୍ଲାସ୍ତରରେ ଖାଲି ପଡ଼ିଥିବା ଅପ୍‌ଥାଲ୍‌ମିକ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି, ତଥାପି ସମସ୍ୟାରେ ସୁଧାର ଆସି ନାହିଁ।

ମିଳିଥିବା ସୂଚନା ଅନୁସାରେ, ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଆସନ୍ତା ୫ବର୍ଷରେ ୬ଶହ କୋଟି ଟଙ୍କା ଖର୍ଚ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ୮୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଯନ୍ତ୍ରପାତି ପାଇଁ ଟେଣ୍ଡର ହୋଇପାରୁନି କି କିଭଳି ଏହାକୁ ଖର୍ଚ କରାଯିବ, ତାହାର ରୂପରେଖ ପ୍ରସ୍ତୁତ ହୋଇନାହିଁ। ରାଜ୍ୟର ୧୦ଟି ଜିଲ୍ଲାରେ ୧୦ଟି ମୋବାଇଲ ଭ୍ୟାନ୍ ଜରିଆରେ ଲୋକଙ୍କ ଚକ୍ଷୁ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଭ୍ୟାନ୍‌କୁ ନ କିଣି ଭଡ଼ାରେ ଚଳାଇବାକୁ ଯୋଜନା ହୋଇଥିଲେ ହେଁ ଏହାର ପରିଚାଳନା ନେଇ କୌଣସି ସଂସ୍ଥା ଏଥିପାଇଁ ରାଜି ହେଉନାହାନ୍ତି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲେ ହେଁ ଏହି ପ୍ରକ୍ରିୟାରେ କୌଣସି ସଂସ୍ଥା ଅଂଶଗ୍ରହଣ କରି ନ ଥିଲେ। ଫଳରେ ମୋବାଇଲ ଭ୍ୟାନ୍ ଜରିଆରେ ଚକ୍ଷୁ ଚିକିତ୍ସା ଯୋଜନାରେ ରହିଛି। ଏହି ଯୋଜନାର ଲୋଗୋ ‘ସୁନେତ୍ର’ର ଉନ୍ମୋଚନ ସରିଛି। ଏହାକୁ ବ୍ରାଣ୍ଡିଂ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ତେବେ ମୋବାଇଲ ଭ୍ୟାନ୍ ଚାଲୁ ନ ଥିବାରୁ ଲୋଗୋର ବ୍ରାଣ୍ଡିଂ ସମ୍ଭବ ହୋଇପାରି ନାହିଁ। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି ୧୦ଟି ମୋବାଇଲ ଭ୍ୟାନ୍ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। କେନ୍ଦ୍ରରୁ ଆସିଥିବା ଅର୍ଥରେ ଏହି ୧୦ଟି ମୋବାଇଲ ଭ୍ୟାନ୍ କିଣାଯିବ। ହେଲେ ତାହାର ମଧ୍ୟ ଟେଣ୍ଡର ହୋଇପାରି ନାହିଁ। ସେହିପରି ଚଳିତବର୍ଷ ରାଜ୍ୟର ୭୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ‌ କେନ୍ଦ୍ର ବା ସିଏଚ୍‌ସିରେ ଭିଜନ୍ ସେଣ୍ଟର ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ତାହା ମଧ୍ୟ ଖୋଲିପାରି ନାହିଁ। ଭିଜନ୍ ସେଣ୍ଟର ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣାଯାଇ ନ ଥିବାରୁ ଏହାକୁ କେବେ ଖୋଲାଯିବା ତାହା ସନ୍ଦେହ ଘେରରେ ରହିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୭୬ ମସିହାରୁ ଜାତୀୟ ଅନ୍ଧତ୍ବ ନିୟନ୍ତ୍ରଣ କାର୍ଯ୍ୟ ଚାଲୁ ରହିଛି। ଏହା ଜରିଆରେ ରାଜ୍ୟରେ ମୋତିଆବିନ୍ଦୁର ଅସ୍ତ୍ରୋପଚାର କରାଯାଉଛି। ତେବେ ସାର୍ବଜନୀତ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖିଥିଲେ। ଗତବର୍ଷ ରାଜ୍ୟରେ ୧.୬ ଲକ୍ଷ ମୋତିଆବିନ୍ଦୁ ଅ‌‌‌ସ୍ତ୍ରୋପଚାର ହୋଇଥିବା ବେଳେ ୨୦୧୮/୧୯ରେ ୨ଲକ୍ଷ ଅସ୍ତ୍ରୋପଚାର କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଅଧିକାଂଶ ଡାକ୍ତରଖାନାରେ ଆବଶ୍ୟକ ଯନ୍ତ୍ରପାତିର ଅଭାବ ଓ ଡାକ୍ତର ନିଯୁକ୍ତିରେ ବିଳମ୍ବ ଯୋଗୁଁ ଏହି ଲକ୍ଷ୍ୟ ପୂରଣ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର