‘କରୋନା ଭାଇରସ’ ପାଇଁ କଣ୍ଟ୍ରୋଲ୍‌ ରୁମ ଖୋଲିଲେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା ‘କରୋନା ଭାଇରସ’ ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି କରୋନା ଭାଇରସ୍‌ ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୪ଟି ଜରୁରୀକାଳୀନ ନମ୍ବର ଜାରି କରାଯାଇଛି। ଏହି ଜରୁରୀକାଳୀନ ନମ୍ବରଗୁଡ଼ିକରେ ଲୋକେ କରୋନା ଭାଇରସ୍‌ ସଂପର୍କିତ କିଛି ସୂଚନା ଥିଲେ କଲ କରିପାରିବେ। କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବା ପାଇଁ ନମ୍ବରଗୁଡ଼ିକ ହେଲା, ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧ ଓ ୯୪୩୭୦୪୦୫୬୪।

ସୂଚନାଯୋଗ୍ୟ, କରୋନା ଭାଇରସ୍‌ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ପକ୍ଷରୁ ପୂର୍ବରୁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କରୋନା ଭାଇରସ ଚିହ୍ନଟ, ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।

Times of India

ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍‌ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ସୂଚନାଯୋଗ୍ୟ, କରୋନାଭାଇରସ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ ୩୦୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର