ବିବାଦରେ ଫସିଲା ପୁରୀ ଐତିହ୍ୟ ପ୍ରକଳ୍ପ: ସତ ମାନିଲେ ଜିଲ୍ଲାପାଳ, କହିଲେ ‘କିଛି’ର ଅନୁମତି ମିଳିନି

ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ କେତେ ଯେ ଅବହେଳା କରାଯାଇଛି, ତାର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଦିନକ ତଳେ ଲୋକଲୋଚନକୁ ଆସିଥିବା ଏନ୍‌ଏମ୍‌ଏ ଚିଠି ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଭିଜିଟ୍‌ ନୋଟ୍‌ରୁ ବି ଏହା ସ୍ପଷ୍ଟ ପ୍ରମାଣିତ ହୋଇସାରିଛି। ଯେଉଁଥିରେ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ବାହାରେ ନିର୍ମାଣ ଓ କେଉଁ ଜାଗାରେ ନିର୍ମାଣ କାର୍ଯ୍ୟ କରାଯାଉଛି, ତା‌ର ଯଥାର୍ଥ ପ୍ରମାଣ ଦେବାକୁ କୁହାଯାଇଥିଲା। ଯଦି ସେତେ ଜରୁରୀ ନୁହେଁ, ଏହାକୁ ‌ରେଗୁଲେଟେଡ୍‌ ଏରିଆରେ କରିବାକୁ କୁହାଯାଇଥିଲା। ଏଭଳି ସ୍ଥିତିରେ ନିଜେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ୟୁ-ଟର୍ଣ୍ଣ ମାରିବା ଓ ଏହି କଥାକୁ ମାନିବା, ସବୁ ମିଛକୁ ଧରା ପକାଇ ଦେଇଛି। ନିଜେ ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କିଛି କାମ ଉପରେ ପରିବର୍ତ୍ତିତ ନକ୍ସାର ନିର୍ମାଣ ଅନୁମତି ଏନ୍‌ଏମ୍‌ଏଠାରୁ ମଗାଯାଇଥିବା ସ୍ବୀକାର କରିଛନ୍ତି।

ଦେଢ଼ ମାସ ତଳୁ ଏହି ଆବେଦନ କରାଯାଇଥିଲେ ବି ଏହାର ଅନୁମତିପତ୍ର ହସ୍ତଗତ ହୋଇନି ‌ବୋଲି ସେ କହିଛନ୍ତି। ପୂର୍ବରୁ ଯେଉଁ ଜିଲ୍ଲାପାଳ ସମସ୍ତ ପ୍ରକଳ୍ପର ଏନ୍‌ଏମ୍‌ଏ ଅନୁମତି ପାଇସାରିଛୁ ବୋଲି କହୁଥିଲେ, ସେ ଆଜି କିଛି ପ୍ରକଳ୍ପର ଅନୁମତି ମିଳିନି, ଅନୁମତି ମାଗିଛୁ ବୋଲି କହିବା ପୁଣିଥରେ ଐତିହ୍ୟ କରିଡର ପ୍ରକଳ୍ପକୁ ବିବାଦ ଭିତରକୁ ଠେଲି ଦେଇଛି।

କିଛିଦିନ ତଳେ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାବତୀ ଶ୍ରୀମନ୍ଦିର ପରିଦର୍ଶନରେ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଐତିହ୍ୟ କରିଡର ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ଅବସରରେ ଡିଜି ଶ୍ରୀମନ୍ଦିର ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ବୋଲି ଯୁକ୍ତି ବାଢ଼ିବା ସହ ଏହା ବାହାରେ ନିର୍ମାଣ କରିବାକୁ ଯୁକ୍ତି ବାଢ଼ିଥିଲେ। ଯାହାର ଭିଜିଟ୍‌ ନୋଟ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଜିଟ୍‌ ନୋଟ୍‌ କେତେ ସତ, କେତେ ମିଛ ଜଣାପଡ଼ିଥିଲେ ବି ନୋଟ୍‌ର ଦ୍ବିତୀୟ ପାରାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନ ରିସେପ୍ସନ୍‌ ସେଣ୍ଟର ଓ ଅନ୍ୟ କିଛି ପ୍ରକଳ୍ପ ଉପରେ ଡିଜି ଆପତ୍ତି ଉଠାଇଥିବା ଉଲ୍ଲେଖ ରହିଛି। ଏପରିକି ଏହି ପ୍ରକଳ୍ପ ଶ୍ରୀମନ୍ଦିରର ଚତୁଃପାର୍ଶ୍ବ ୧୦୦ ମିଟର ବାହାରେ ଅର୍ଥାତ୍‌ ରେଗୁଲେଟେଡ୍‌ ଏରିଆ ବାହାରେ କରିବାକୁ ଯୁକ୍ତି ବାଢ଼ିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଏହା କରିବାକୁ ସେ ମତ ଦେଇଛନ୍ତି।

କିନ୍ତୁ ଆରମ୍ଭରୁ ଏହାକୁ ଘଣ୍ଟ ଘୋଡ଼ାଇଥିଲେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ। ଏବେ ଯେତେବେଳେ ସତ ଜଣାପଡ଼ିଥିଲା, ସେତେବେଳେ ଜିଲ୍ଲାପାଳ କଥା ଗୋଳାଇବା ଆରମ୍ଭ କରିଛନ୍ତି। ପୂର୍ବରୁ ଯେଉଁ ଜିଲ୍ଲାପାଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସମସ୍ତ ଅନୁମତି ମିଳିଯାଇଛି ଓ ଅନୁମତିପୂର୍ବକ ଖନନ ଓ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ଯୁକ୍ତି ବାଢ଼ୁଥିଲେ, ସେ ଏବେ ମତ ବଦଳାଇବା ଆରମ୍ଭ କରିଛନ୍ତି। ପରିକ୍ରମା ପ୍ରକଳ୍ପର ଅଳ୍ପ କିଛି ପ୍ରକଳ୍ପରେ ସଂଶୋଧନ ପାଇଁ ଏନ୍‌ଏମ୍‌ଏ କହିଥିଲା। ଆବଶ୍ୟକ ସଂଶୋଧନ କରି ଆମେ ଦେଢ଼ ମାସ ତଳୁ ଏନ୍‌ଏମ୍‌ଏକୁ ପଠାଇ ସାରିଛୁ। କିନ୍ତୁ ଏହାର ଅନୁମତିପତ୍ର ଆସିନି ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି। ପୂର୍ବରୁ ଯେଉଁ ଜିଲ୍ଲାପାଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସବୁ ଅନୁମତି ମିଳି ସାରିଛି ବୋଲି କହୁଥିଲେ, ସେ ଏଭଳି ମତ ବଦଳାଇବା ହଠାତ୍‌ ବିବାଦ ଠିଆ କରିଛି। ସେପଟେ ଆଜି ଛତିଶାନିଯୋଗ ବୈଠକରେ ବି ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ସେବାୟତମାନେ ଜିଲ୍ଲାପାଳ ଓ ଉପସ୍ଥିତ ଅନ୍ୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରକଳ୍ପରେ କ’ଣ ଅଛି, ତାର ନକ୍ସା ସାର୍ବଜନିନ କରାଯାଉ ବୋଲି ବୈଠକରେ ଦାବି କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ହୋଲି ପରେ ପ୍ରକଳ୍ପର ରୂପରେଖ ସେବାୟତଙ୍କ ଆଗରେ ଉପସ୍ଥାପନ କରିବ ବୋଲି କହିଛି।

 

ସମ୍ବନ୍ଧିତ ଖବର