କଥା ରଖିଲେ କେନ୍ଦ୍ର ରେଳମନ୍ତ୍ରୀ: ଆରମ୍ଭ ହେଲା ବିବାଦୀୟ ରେଲୱେ କଲୋନି ରାସ୍ତା କାମ

୧.୨ କି.ମି. ରେଳବାଇ ଦାବି କରୁଥିଲା ୧୧୦ କୋଟି

ରାଉରକେଲା: ଚାରି ବର୍ଷ ପରେ ଆରମ୍ଭ ହୋଇଛି ସହରର ବିବାଦୀୟ ମାଲଗୋଦାମ -ରେଲୱେ କଲୋନି ରାସ୍ତା କାମ। ଜିଲ୍ଲା ବିଜେପିର ବରିଷ୍ଠ ନେତା ନିହାର ରାୟଙ୍କ ନେତୃତ୍ବରେ ପ୍ରତିନିଧି ଦଳ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ପରେ ବିବାଦର ପୂର୍ଣ୍ଣଚ୍ଛେଦ ପଡିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସହରବାସୀଙ୍କ ବୃହତ ସ୍ବାର୍ଥଦୃଷ୍ଟିରୁ କଥା ରଖିଛନ୍ତି। ଦକ୍ଷିଣପୂର୍ବ ରେଳବାଇର ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ପାଇଁ ଜାଗା ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବାପରେ ‌ରେଳବାଇ ବିଭାଗୀୟ ଅଧିକାରୀ ଜିଲ୍ଲା ପ୍ରଶାସନକୁ ରାସ୍ତା କାମ କରିବାକୁ ଅନୁମତି ଦେଇଛନ୍ତି। ଗତ ୩ ଦିନ ଧରି ରାସ୍ତା ସମ୍ପ୍ରସାରଣ କାମ ଜାରି ରହିଛି। ‌କଲୋନି ଜାଗାର ଜବରଦଖଲକାରୀଙ୍କୁ ହଟାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୩.୮୨୫ କି.ମି. ରାସ୍ତା ସମ୍ପ୍ରସାରଣ କାମରୁ ୧.୨ କି.ମି. ହୋଇ ପାରି ନଥିଲା। ଏଥିପାଇଁ ରେଳବାଇ ୧୧୦ କ‌ୋଟି ଟଙ୍କା ଦାଖଲ କରିବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡା ଗସ୍ତ ଅବସରରେ ସାଂସଦ ଜୁଏଲ ଓରାମଙ୍କ ନିର୍ଦ୍ଦେଶକ୍ରମେ ବିଜେପିର ଏକ ପ୍ରତିନିଧି ସାକ୍ଷାତ କରିଥିଲେ। ରାସ୍ତା ଓ ରେଳଷ୍ଟେସନର ସୌନ୍ଦର୍ଯ୍ୟକରଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ପ୍ରତିନିଧି ଦଳରେ ନିହାର ରାୟ, ଜଗବନ୍ଧୁ ବେହେରା, ଅଙ୍କୁଶ ବର୍ମା, ସେକ୍‌ ମୁଜାହିଦ୍‌, ସରୋଜ ଦାସ, ଶକ୍ତେଶ୍ବର ପାତ୍ର, ଆଶୁ କ୍ୟୁରେସି ୧୧୦ କୋଟି ଟଙ୍କା ଛାଡ କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହାର ସମାଧାନ କରିବାକୁ ଦ.ପୂ. ରେଳବାଇ ଚକ୍ରଧରପୁର ଡିଆର୍‌ଏମ୍‌କୁ କହିଥିଲେ। କେବଳ ଏତିକି ନୁହେଁ ବାସନ୍ତୀକଲୋନି ଠାରୁ ବିଏସ୍‌ଏନ୍‌ଏଲ୍‌ ଛକ ପର୍ଯ୍ୟନ୍ତ ଓ ‌ଚୌଧୁରୀ ପେଟ୍ରୋଲ ପମ୍ପଠାରୁ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବ।

ଆସନ୍ତା ୩ ମାସ ମଧ୍ୟରେ କାମ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ସେମିତି ଷ୍ଟେସନର ଦ୍ବିତୀୟ ପ୍ରବେଶପଥର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ। ୨୦୧୭ରେ ବାସନ୍ତୀକଲୋନି ମାଲଗୋଦାମରୁ ରିଂରୋଡ ବିଏସ୍‌ଏନ୍‌ଏଲ୍‌ ଛକ ପର୍ଯ୍ୟନ୍ତ ପ୍ରାୟ ୩.୮୨୫ ମିଟର ରାସ୍ତା ପାଇଁ ପ୍ରାୟ ୧୧ କୋଟି ଟଙ୍କା ମଞ୍ଜୁରି ହୋଇଥିଲା। କାମ ନେଇଥିବା ଠିକା ସଂସ୍ଥା ଉଭୟ ବାସନ୍ତୀ କଲୋନି ଓ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପାର୍ଶ୍ବରୁ ନିର୍ମାଣ କାମ ଆରମ୍ଭ କରିଥିଲେ। ବର୍ଷକ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ତେବେ ରେଲୱେ କଲୋନି ପୋଖରୀ ନିକଟରୁ ରେଲୱେ ସାଇଡିଂ ପର୍ଯ୍ୟନ୍ତ ପ୍ରାୟ ୧୨୦୦ ମିଟର ରାସ୍ତାରେ ନିଜ ଜମି ପଡୁଥିବାରୁ ରେଳ କର୍ତ୍ତୃପକ୍ଷ କାମ କରିବାକୁ ଦେଇ ନଥିଲେ। ୧୧୦ କ‌ୋଟି ଟଙ୍କା ଦାବି କରିଥିଲେ। ପ୍ରତିଦିନ ଏହି ରାସ୍ତା ଦେଇ ସହରର ହଜାର ହଜାର ଲୋକ ଯାତାୟତ କରୁଛନ୍ତି। ରେଳବାଇର ଦ୍ବିତୀୟ ଟିକେଟ୍‌ କାଉଣ୍ଟର, ୬ ନଂ ପ୍ଳାଟଫର୍ମ ସହ ‌ଇସ୍ପାତ ସହରାଞ୍ଚଳକୁ ଯିବା ପାଇଁ ଏହା ହେଉଛି ପ୍ରମୁଖ ରାସ୍ତା। ମାତ୍ର ସଂପ୍ରସାରଣ କାମ ଅଧାପନ୍ତରିଆ ହୋଇ ପଡ଼ିଥିବା ଯୋଗୁଁ ଯାତାୟତରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ରାତିରେ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହେଉଥିଲା। ଏହି ରାସ୍ତା ସମ୍ପୂର୍ଣ୍ଣ ହେଲେ ସେକ୍ଟର, ଝିରପାଣି, ଜଗଦା, ଛେଣ୍ଡ, ଲୁଆକେରା, ବାସନ୍ତୀ କଲୋନି, ଲେବର ଟେନାମେଣ୍ଟ ଆଦି ଅଞ୍ଚଳର ଯାତ୍ରୀମାନେ ଦ୍ବିତୀୟ ପ୍ରବେଶପଥ ଦେଇ ରେଳସେବା ପାଇ ପାରିବେ। ତଦ୍ବାରା ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ବହୁକାଂଶରେ ହ୍ରାସ ପାଇବ।

ସମ୍ବନ୍ଧିତ ଖବର