ବୁର୍ଲା : ଗୁରୁବାର ଦିନ ବୁର୍ଲା ସହରରେ ସରକାରୀ ଜମିରେ ଗଢ଼ି ଉଠିଥିବା ଏକ ବେଆଇନ ଗୃହ ନିର୍ମାଣ ଉଚ୍ଛେଦକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସହରର ପିଡବ୍ଲୁଡି କଲୋନିର ଶକ୍ତି ନଗର ଅଞ୍ଚଳରେ ଗୋଟିଏ ଘର ଉଚ୍ଛେଦକୁ ନେଇ ଗୁରୁବାର ଦିନ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଅତିରିକ୍ତ ତହସିଲଦାର ଏବଂ ପୁଲିସ ଉପସ୍ଥିତିରେ ଜେସିବି ଲଗାଇ ଜଣକ ଘରକୁ ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଘର ଭାଙ୍ଗିପାରିଲା ନାହିଁ ପୁଲିସ ପ୍ରଶାସନ। ପରିସ୍ଥିତି ଏତେ ଗରମ ହୋଇଗଲା ଯେ ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଶେଷରେ ଲୋକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ସେଠରୁ ପୁଲିସ ପ୍ରଶାସନ ଫେରିଯାଇଥିବା ଦେଖିବାକୁ ମିଳିଛି।
ପିଡବ୍ଲୁଡି କଲୋନିର ଶକ୍ତିନଗର ଅଞ୍ଚଳରେ ଦୋଳଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ପରିବାର ସହିତ ବହୁ ବର୍ଷ ଧରି ଏଠାରେ ରହୁଛନ୍ତି । ପୂର୍ବରୁ ଏଠାରେ ତାଙ୍କର ଏକ ମାଟିଘର ରହିଥିଲା। ସେହି ମାଟିଘରକୁ ଭାଙ୍ଗି ଏବେ ସେ ସିମେଣ୍ଟ ଘର ତିଆରି କରୁଛନ୍ତି। ଘରକାମ ସଂପୂର୍ଣ୍ଣ ହୋଇନାହିଁ। କିନ୍ତୁ, ଆଜି ଏହି ଘର ଭାଙ୍ଗିବା ପାଇଁ ସକାଳୁ ସକାଳୁ ପୁଲିସ ପ୍ରଶାସନ ଘର ସମ୍ମୁଖରେ ପହଂଚିଥିଲା। ଏହା ପରେ ପଡ଼ାବାସୀଙ୍କ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ଦୋଳଗୋବିନ୍ଦ କେବଳ ଏକାକୀ ସରକାରୀ ଜମିରେ ଘର କରିଛନ୍ତି ତାହା ନୁହେଁ, ଏହି ଅଞ୍ଚଳ ସମେତ ବୁର୍ଲା ସହରରେ ଏଭଳି ଶହ ଶହ ଘର ସରକାରୀ ଜମି ଉପରେ ଗଢି ଉଠିଛି । ଏଠାରେ ରହୁଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ ବାରମ୍ବାର ଦାବି ହେଉଥିଲେ ବି ଏହାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। କିନ୍ତୁ, ସହରର ବିଭିନ୍ନ ସ୍ଥାନରେ ଏଭଳି ସରକାରୀ ଜମି ଉପରେ ଘର ନିର୍ମାଣ ହୋଇଥିଲେ ମଧ୍ୟ କାହିଁକି ଗୋଟିଏ ଗୋଟିଏ ଘର ଉପରେ ପ୍ରଶାସନ ହଠାତ୍ ଟର୍ଗେଟ୍ କରି ଏଭଳି ଉଚ୍ଛେଦ କରୁଛି ତାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଏହି ଉଚ୍ଛେଦ କାର୍ଯ୍ୟରେ ବୁର୍ଲା-ହୀରାକୁଦ ଏସଡିପିଓ ସତ୍ୟବ୍ରତ ଦାଶ, ଅତିରିକ୍ତ ତହସିଲଦାର ଲୋପାମୁଦ୍ରା କାଲୋ, ଆର୍ଆଇ ହରିବଂଶ ନାୟକଙ୍କ ସମେତ ବୁର୍ଲା ଥାନାର ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/burla-1.jpg)