ଭୁବନେଶ୍ବର : ରାଜ୍ୟର ୬୨ % ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ଥିବା ରାଜ୍ୟ ସରକାରଙ୍କ ନିଜସ୍ବ ରିପୋର୍ଟରୁ ଜଣାପଡ଼ିଛି। ‘ଅମ୍ଳାନ୍’ ଯୋଜନା ନେଇ ରାଜ୍ୟ ସରକାର କରିଥିବା ରକ୍ତ ପରୀକ୍ଷାରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବିରୋଧୀ ଦଳମାନେ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

Advertisment

ବିଜେପିର ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମା’ ଓ ଶିଶୁ ରକ୍ତହୀନତାର ଶିକାର ହେଲେ ପିଲା ସବଳ ହେବ ନାହିଁ କି ମାନସିକ ସ୍ତରରେ ମଧ୍ୟ ବୃଦ୍ଧି ଘଟିବ ନାହିଁ। ରାଜ୍ୟର ମହିଳା ଓ ଶିଶୁମାନଙ୍କର ରକ୍ତହୀନତାକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି। ଭୋଟ୍ ବ୍ୟାଙ୍କ ପଲିଟିକ୍ସରେ ବ୍ୟସ୍ତଥିବା ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ପୃଷ୍ଟି ସାଧନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ। କେବଳ ପ୍ରଚାର, ପ୍ରସାର, ବିଜ୍ଞାପନ ଜରିଆରେ ରକ୍ତହୀନତା ଦୂର ହୁଏନାହିଁ। ରାଜ୍ୟ ସରକାର ‘ଲାଷ୍ଟ ମିଲ୍ ଡେଲିଭରି’ ବା ମହିଳା ଓ ଶିଶୁମାନଙ୍କ ପାଖରେ ପୃଷ୍ଟିକର ଖାଦ୍ୟ, ଶସ୍ୟ, ଭିଟାମିନ୍‌, ମିନେରାଲ୍ସ ଓ ସପ୍ଲିମେଂଟ ପହଞ୍ଚାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମିସନ ଶକ୍ତି ଓ ମହିଳା, ଶିଶୁ ବିକାଶ, ସ୍କୁଲ ଓ ଗଣଶିକ୍ଷା ଭଳି ବିଭାଗକୁ ଭୋଟ ଗୋଟାଇବା କାମରେ ଲଗାଇଛନ୍ତି। ଏଭଳି ସ୍ଥିତିରେ ରକ୍ତହୀନତା ବା ଅପପୃଷ୍ଟି କିଭଳି ଦୂର ହେବ ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ‘ଅମ୍ଳାନ ରିପୋର୍ଟ’:ବିଜେପି
ମହିଳା ସଶକ୍ତୀକରଣକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
ଓଡ଼ିଶାର ବିଭିନ୍ନ ବର୍ଗର ରକ୍ତହୀନତାର ସ୍ତର ହ୍ରାସ ପାଉଛି : ରାଜ୍ୟ ସରକାର

ସେହିପରି ରାଜ୍ୟ କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ ମା’ମାନଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପ ବଦ୍ଧ ବୋଲି କହୁଛନ୍ତି। ମାତ୍ର ୬୦ %ରୁ ଅଧିକ ଗର୍ଭବତୀ ରକ୍ତହୀନତାର ଶିକାର ବୋଲି ସରକାରୀ ତଥ୍ୟ କହୁଛି। ରାଜ୍ୟରେ ମହିଳା ଓ ଶିଶୁ ବିକାଶ ମିସନର ସମୁଦାୟ ବଜେଟର ୫୬ % ଅପପୁଷ୍ଟି ରୋକିବା ପାଇଁ ଖର୍ଚ୍ଚ କରାଯାଉଛି। ଏହାବାଦ୍ ରାଜ୍ୟ ସରକାର ୩୩୭୪ କୋଟି ଟଙ୍କାର ବ୍ୟୟରେ ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏତେସବୁ ଯୋଜନା ସତ୍ତ୍ବେ ଏହାର ସୁଫଳ ରାଜ୍ୟର ମହିଳାଙ୍କୁ ମିଳୁନାହିଁ କାହିଁକି ? ରାଜ୍ୟର ୧୦ଟି ଆଦିବାସୀ ବହୁଳ ଜିଲ୍ଲାର ୭୫% ରୁ ଅଧିକ ମହିଳା ରକ୍ତହୀନତା ଓ ଅପପୁଷ୍ଟିର ଶିକାର। ମାତ୍ର ରାଜ୍ୟ ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରାଯାଉଥିବା କହୁଛନ୍ତି। ଯଦି ମହିଳାଙ୍କ ଆୟ ବୃଦ୍ଧି ପାଇଛି ତାହାଲେ ତାଙ୍କ ପେଟକୁ ମୁଠାଏ ପୁଷ୍ଟିକର ଖାଦ୍ୟ ମିଳିପାରୁନାହିଁ କାହିଁକି ବୋଲି ଶ୍ରୀମତୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପିତା ଦାଶ ଉପସ୍ଥିତ ଥିଲେ।

ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ରକ୍ତହୀନତାର ସ୍ତର ହ୍ରାସ ପାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍ଏଫ୍‌ଏଚ୍‌ଏସ୍‌)-୫ର ରିପୋର୍ଟରେ ୬-୫୯ବର୍ଷର ଶିଶୁଙ୍କ ରକ୍ତହୀନତା ୬୪.୨ %ଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ତାହା ୪୨.୩ %ରହିଛି। ପ୍ରଜନନକ୍ଷମ ମହିଳାଙ୍କ କ୍ଷେତ୍ରରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୬୪.୩ ଥିବା ବେଳେ ଏବେ ତାହା ୫୫.୭% ରହିଛି। ଗର୍ଭବତୀ ମହିଳାଙ୍କ ୬୧.୮% ଥିବା ବେଳେ ବର୍ତ୍ତମାନ ୬୨.୭% ରହିଛି। ପୁଷ୍ଟିସାଧନ କ୍ଷେତ୍ରରେ ଏନ୍ଏଫ୍‌ଏଚ୍‌ଏସ୍‌-୪ ଅପେକ୍ଷା ଏନ୍ଏଫ୍‌ଏଚ୍‌ଏସ୍‌-୫ ତଥ୍ୟ ଅନୁସାରେ ୫ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପୁଷ୍ଟିସାଧନ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।