ଗଣେଶଙ୍କ ବିକୃତ ମୂର୍ତ୍ତିକୁ ନେଇ ବିବାଦ ବଢ଼ିଲା

ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ ନେଇ ଅଭିଯୋଗ, ଗଣେଶ ପୂଜା କମିଟି ବିରୋଧରେ ମାମଲା ରୁଜୁ

ମାଲକାନଗିରି : ମାଲକାନଗିରି ସହରରେ ଗ‌ଣେଶଙ୍କ ବିକୃତ ମୂର୍ତ୍ତିକୁ ନେଇ ବିବାଦ ଦେଖ‌ାଦେଇଛି। ଏପରିକି ମାମଲା ବି ଥାନାରେ ପହଞ୍ଚିଛି। କଳାତ୍ମକ ସ୍ବାଧୀନତା ଆଳରେ ମୃଣ୍ମୟ ମୂର୍ତ୍ତିକୁ ବିକୃତ କରି ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ ‌କରାଯାଇଥିବା ଅଭିଯୋଗ ହୋଇଛି।

ମାଲକାନଗିରି ଡିଏନ୍‌କେ ପୁରୁଣା ଡାକ୍ତରଖାନା ଛକରେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ତିନୋଟି ଗଣେଶ ମୂର୍ତ୍ତି ମଣ୍ଡପରେ ଶୋଭା ପାଉଛି। ଭିନ୍ନ ଭିନ୍ନ ଧର୍ମର ବେଶଭୂଷାରେ ଗଜାନନ ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି। ଗତକାଲି ଶ୍ରଦ୍ଧାଳୁ ମଣ୍ଡପରେ ଦର୍ଶନ ପାଇଁ ପହଞ୍ଚିବା ପରେ ବିବାଦ ଆରମ୍ଭ ହୋଇଥିଲା। ହିନ୍ଦୁ ଦେବାଦେବୀଙ୍କୁ ଏଭଳି ବିକୃତ କରାଯାଇଥିବାରୁ କିଛିଲୋକ ତୀବ୍ର ବିରୋଧ କରି ମୃଣୟ ମୂର୍ତ୍ତିକୁ ହଟାଇବା ପାଇଁ ଦାବି କରିଥିଲେ। ଏଥିସହିତ, ଥାନାରେ ବି ଅଭିଯୋଗ କରିଥିଲେ। ଅଭିଯୋଗ ସମ୍ପର୍କରେ ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ କହିଛନ୍ତି, ସମ୍ପୃକ୍ତ ପୂଜା କମିଟି ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି, ମୂର୍ତ୍ତି ଗୁଡ଼ିକୁ ନିର୍ମାଣ କରିଥିବା ଶିଳ୍ପୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଧାର୍ମିକ ବିଦ୍ବେଷକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ମୃଣ୍ମୟ ମୂର୍ତ୍ତି ନିର୍ମାଣ କରାଯାଇଛି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର