ପଟ୍ଟାମୁଣ୍ତାଇ : ଗତକାଲି ଫୋନ୍ କରି ପୁଲିସକୁ ନାଲିଆଖି ଦେଖାଇଥିଲେ। କାହିଁକି ବାଲି ଗାଡ଼ି ଅଟକାଇଲ, କିଏ ତୁମକୁ ସେ କ୍ଷମତା ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ। ଆଜି କିନ୍ତୁ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ପଟ୍ଟାମୁଣ୍ତାଇ ତହସିଲଦାର ଶରତ କୁମାର ଗିରି ଥାନାକୁ ଯାଇ ଗାଡ଼ି ଛାଡ଼ିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ପୂର୍ବରୁ ଫୋନ୍ କରି ଗାଡ଼ି ଛାଡ଼ିବା ପାଇଁ ଚାପ ପକାଉଥିବା ଏହି ଅଧିକାରୀ ଏବେ ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପଟେ ପୁଲିସ କିନ୍ତୁ ବାଲି ଚୋରାଚାଲାଣ ନେଇ ସ˚ଗିନ ଦଫାରେ ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁସାରେ, ତହସିଲଦାର ଶ୍ରୀ ଗିରି ଆଜି ଥାନାକୁ ସକାଳ ୧୦ଟା ଭିତରେ ଦୁଇ ଦୁଇ ଥର ଯାଇ ଥାନାଧିକାରୀଙ୍କୁ ଗାଡ଼ି ଛାଡ଼ିଦେବାକୁ ଅନୁରୋଧ କରିଥିଲେ। ଗତ ଶନିବାର ଲକଡାଉନ୍ ଦିନ ଅଳପୁଆ ଆଡ଼ୁ ପଟ୍ଟାମୁଣ୍ତାଇ ସହରକୁ ଆସୁଥିବା ବାଲି ବୋଝେଇ ଦୁଇଟି ହାଇୱା ଟ୍ରକ୍କୁ ପୁଲିସ ଅଟକାଇଥିଲା। କାଗଜପତ୍ର ଦେଖାଇ ନ ପାରିବାରୁ ପୁଲିସ ଟ୍ରକ୍କୁ ଜବତ୍ କରି ଥାନାକୁ ନେଇ ଆସିଥିଲା। ଡ୍ରାଇଭର୍ ଫେରାର୍ ହୋଇଯାଇଥିଲେ। କିନ୍ତୁ, ବାଲି ଚାଲାଣକାରୀଙ୍କ ପ୍ରତି ଅନୁକମ୍ପା ଦେଖାଇ ତହସିଲ୍ଦାର୍ ଶ୍ରୀ ଗିରି ଫୋନ୍ କରି ଗାଡ଼ି ଛାଡ଼ିବାକୁ ଚାପ ପ୍ରୟୋଗ କରିଥିଲେ। ଏପରିକି, ଥାନାଧିକାରୀଙ୍କୁ ଓଲଟା ନାଲିଆଖି ଦେଖାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଆଜି ଏ ସମ୍ପର୍କରେ 'ସମ୍ବାଦ'ରେ ଖବର ପ୍ରକାଶ ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ତହସିଲ୍ଦାର୍ ମଧ୍ୟ ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରିଛନ୍ତି। ଗାଡ଼ି ଛାଡ଼ିବାକୁ ଥାନାଧିକାରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି। ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ଏହା ସ୍ବୀକାର କରିବା ସହିତ କହିଛନ୍ତି ଯେ, ' ତହସିଲଦାର ଆଜି ଥାନାକୁ ଆସି ଗତକାଲି କହିଥିବା କଥା ପାଇଁ ଭୁଲ୍ ମାଗିଛନ୍ତି। ଗାଡ଼ି ଛାଡ଼ିବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି।' ତେବେ, ନିଲାମଧାରୀ ବ୍ୟକ୍ତି ଜଣକ ଏପର୍ଯ୍ୟନ୍ତ କାଗଜପତ୍ର ଦେଖାଉନାହାନ୍ତି। ଫଳରେ, ତହସିଲଦାର ନିଲାମ ବାଲି କହୁଥିଲେ ବି ଏପର୍ଯ୍ୟନ୍ତ କାଗଜପତ୍ର ଦେଖାଇପାରୁନଥିବାରୁ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଅନ୍ୟପକ୍ଷରେ, ଘଟଣା ଦିନ ଟ୍ରକ୍ ଯାଞ୍ଚ କରିଥିବା ଏଏସ୍ଆଇ ଏ ସ˚କ୍ରାନ୍ତରେ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ପୁଲିସ କେସ୍ ନ˚ ୨୭୮/୨୦, ଦଫା ୩୭୯, ୪୧୧, ୧୭୯, ୧୮୪, ୧୮୪(ବି) ଏବ˚ ଓଡ଼ିଶା ମିନେରାଲ୍ସ ମାଇନ୍ସ କନସିସେସନ୍-୨୦୦୪, ଦଫା ୬୮, ୩୪ ଆଇପିସିରେ ମାମଲା ରୁଜୁ କରିଛି। ଏସ୍ଆଇ ବିଲ୍ବମ˚ଗଳ ସେଠୀଙ୍କୁ ତଦନ୍ତ ଭାର ଦିଆଯାଇଛି। ପୁଲିସ ଚୋରି ସହ ସ˚ଗିନ ଦଫା ଯୋଡ଼ି ମାମଲା ରୁଜୁ କରିବା ପରେ ତହସିଲଦାରଙ୍କ ଭୂମିକାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Tahasildar_Pattamundai.jpg)