ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ନିଷ୍ପତ୍ତି ପରେ ତେଜୁଛି ବିବାଦ, ଚତୁଃପାର୍ଶ୍ବରୁ ୧୦୦ ମିଟର ଉଚ୍ଛେଦ ହେବ ତ?

୧୦ ମିଟରରୁ ଅଧିକ ହୋଇପାରିବନି କୋଠାର ଉଚ୍ଚତା

ପୁରୀ : ଅପରପକ୍ଷେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପେଦଷ୍ଟା କମିଟିର ନିଷ୍ପତ୍ତି ପରେ ବିବାଦ ବଢ଼ିଛି। ଯେଉଁ ସ୍ଥାନରେ ଏହି କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଛି, ସେଠି ଜମି ଅଧିଗ୍ରହଣର ଆବଶ୍ୟକତା ଥିବାବେଳେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି। ଯଦି ଅଭ୍ୟର୍ଥନା କେନ୍ଦ୍ର ପାଇଁ ଜମି ଅଧିଗ୍ରହଣ ହେବ, ତେବେ କେବଳ ପୂର୍ବ-ଦକ୍ଷିଣ କୋଣରୁ ନୁହେଁ, ଚତୁଃପାର୍ଶ୍ବରୁ ଅଧିଗ୍ରହଣ ହେଉ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅପରପକ୍ଷେ କେତେକ ସେବାୟତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଉ ଜମି ଦିଆଯିବ ନାହିଁ ବୋଲି କହିବା ପରେ ଏହି ବିବାଦ ଏବେ ବଢ଼ିବାରେ ଲାଗିଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ କୋଣରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଛି। ଦକ୍ଷିଣ-ପୂର୍ବ କୋଣରେ ଏମାର ମଠ ଜାଗାକୁ ଲାଗି ୨୬୩୮.୯୧୧ ବର୍ଗମିଟର ଜାଗାରେ ୧୩.୨୦୮ ମିଟର ଉଚ୍ଚର ତିନି ମହଲା(ଜି+୨) କୋଠା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହାକୁ ନେଇ ଉଭୟ ଏନ୍‌ଏମ୍‌ଏ ଓ ପ୍ରତ୍ନତତ୍ତ୍ବ ବିଭାଗ ଆପତ୍ତି ଉଠାଇବା ସହ ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ଏହା ନିର୍ମାଣ କରାଯାଉଥିବା ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କୁ ଅବଗତ କରିଛି। ଅନ୍ୟପଟେ ଏହି କୋଠାର ଉଚ୍ଚତା ୧୩.୨୦୮ ମିଟର ରଖାଯାଇଥିବାବେଳେ ଏହା ମେଘନାଦ ପାଚେରି ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ତଥା ଐତିହ୍ୟକୁ ଅଢ଼ୁଆଳ କରିବ, ଭକ୍ତଙ୍କୁ ମେଘନାଦ ପାଚେରି ଓ ଶ୍ରୀମନ୍ଦିର ଦୃଶ୍ୟମାନ ହେବାରେ ଅସୁବିଧା ହେବ ବୋଲି ମତ ଦେଇଛି। ଏଣୁ ନିଷିଦ୍ଧାଞ୍ଚଳ ବାହାରେ ଏଥିପାଇଁ ଅନୁମତି ମାଗିବା ସହ କୋଠାର ଉଚ୍ଚତା ଅତିବେଶିରେ ୧୦ ମିଟର ଭିତରେ ରଖିବାକୁ କୁହାଯାଇଥିବା କୋର୍ଟଙ୍କୁ ଜଣାଇଛି।

ଏହାପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକରେ ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ ଅର୍ଥାତ୍‌ ଏହାକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ନିଷ୍ପତ୍ତି ‌ନିଆଯାଇଛି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ୭୫ ମିଟର ପରିଧିରେ ଜମି ଅଧିଗ୍ରହଣ କରିଛି। ଯଦି ଏହି ପ୍ରକଳ୍ପ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ହୁଏ, ତେବେ ଆହୁରି ଜମି ଅଧିଗ୍ରହଣ କରିବାକୁ ହେବ। ଏଭଳି ହେଲେ କାଳିକାଦେବୀ ସାହି, ମାଟିମଣ୍ଡପ ସାହି ଆଦି ଅଞ୍ଚଳରୁ ଜମି ଅଧିଗ୍ରହଣର ଆବଶ୍ୟକତା ପଡ଼ିବ। ଦକ୍ଷିଣ-ପୂର୍ବ କୋଣରେ ଜମି ଅଧିଗ୍ରହଣ ଉପରେ ନଜର ପକାଇଲେ, ଏମାର ପଛପାର୍ଶ୍ବରୁ ବର୍ତ୍ତମାନ ପ୍ରାୟ ୧୦୦ ମିଟରର ଜମି ଅଧିଗ୍ରହଣ ସରିଛି। ୧୦୦ ମିଟର ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେଲେ, ସେହି ଅନୁସାରେ ନକ୍ସା ବଦଳିବ ଓ କୋଠା ନିର୍ମାଣ ଶୈଳୀ ନକ୍ସାରେ ଆଉ ପଛକୁ ଘୁଞ୍ଚାଯିବ। ଏଥିପାଇଁ ୧୦୦ ମିଟର ବାଦ୍‌ ଆଉ ୩୦ରୁ ୪୦ ମିଟର ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିବାର ପ୍ରାଥମିକ ଆକଳନ କରାଯାଇଛି। ଏଣୁ ଜମି ଅଧିଗ୍ରହଣ ପାଇଁ ଉଚ୍ଛେଦ କାର୍ଯ୍ୟ କରାଯିବ। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଶଙ୍କା ଜାତ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ପ୍ରଥମ‌େ ଜିଲ୍ଲା ପ୍ରଶାସନ ୭୫ ମିଟର ଜମି ଅଧିଗ୍ରହଣ କଲା, ଏଥିରେ ଆମେ ସହମତି ଜଣାଇଲୁ। ଏବେ ଯଦି ଆହୁରି ଜମି ଅଧିଗ୍ରହଣ ହେବ, ନିଶ୍ଚିତ ଅସୁବିଧା ହେବ। ଯଦି ଅଧିଗ୍ରହଣ ହେଉଛି, ଚତୁଃପାର୍ଶ୍ବରୁ ଅଧିଗ୍ରହଣ ହେଉ, ଆମେ ସ୍ବାଗତ କରିବୁ। କିନ୍ତୁ କେବଳ ଆମ ଅଞ୍ଚଳରୁ ଅଧିଗ୍ରହଣ କଲେ, ଲୋକେ ଅସୁବିଧାର ସମ୍ମୁଖୀନ ହେବ। ଅନେକ ସେବାୟତ ପରିବାର ବି ଏଠାର ବସବାସ କରୁଛନ୍ତି। ସେମାନେ ବିସ୍ଥାପିତ ହେଲେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଯିବାବେଳେ ଅସୁବିଧା ଭୋଗିବେ।

ସମ୍ବନ୍ଧିତ ଖବର