କର୍ଲାପାଟ ଖଣି ଖନନ ଟେଣ୍ଡରରେ ଆରମ୍ଭରୁ ବିବାଦ

ଟେଣ୍ଡର ତ୍ରୁଟି ନେଇ ମାନ୍ୟବର ହୋଇକୋର୍ଟଙ୍କ ରହିତାଦେଶ, ସ୍ଥାନୀୟ ଅଧିବାସୀ ଗ୍ରିନ୍‌ ଟ୍ରିବ୍ୟୁନାଲ ଯିବେ

କେସିଙ୍ଗା : କର୍ଲାପାଟରେ ଖଣି ଖନନକୁ ନେଇ ସ୍ଥାନୀୟ ଅଧିବାସୀମାନେ ତୀବ୍ର ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ଟେଣ୍ଡରରେ ତ୍ରୁଟି ଥିବାରୁ ମାନ୍ୟବର ହାଇକୋର୍ଟ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏମ୍‌ଏସ୍‌ଟିସିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାଇଥ୍ରି ଇନ୍‌ଫ୍ରା, ମାଇନିଂ ଇଣ୍ଡିଆ ଓ ଅନ୍ୟମାନଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଥିଲା। ଜଷ୍ଟିସ ଏସ୍‌କେ ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଗଠିତ ଖଣ୍ଡପୀଠ ଏହାର ପ୍ରାଥମିକ ପ୍ରମାଣ ଶୁଣି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଅଶୋକ ମହାନ୍ତି ଓ ଅମିତ ପଟ୍ଟନାୟକ କେସ୍‌ ପରିଚାଳନା କରୁଛନ୍ତି।

ସୂଚନାନୁସାରେ କର୍ଲାପାଟରେ ବକ୍ସାଇଟ ଖଣି ଖନନ ପାଇଁ ସରକାର ଏମ୍‌ଏସ୍‌ଟିସି ନାମକ କମ୍ପାନି ଦ୍ବାରା ଟେଣ୍ଡର ଆହ୍ୱାନ କରିଥିଲେ। ଅନ୍‌ ଲାଇନ୍‌ରେ ଟେଣ୍ଡର ଆହ୍ୱାନ ହୋଇଥିଲା। ବହୁ ସଂସ୍ଥା ଏହି ଟେଣ୍ଡରରେ ସାମିଲ ମଧ୍ୟ ହୋଇଥିଲେ। କିନ୍ତୁ ବ୍ରିଡିଂ ପ୍ରାଇସ୍‌ ଦାଖଲ ଦିନ ସରଭର୍‌ ଧୀର ହୋଇଯାଇଥିଲା। ଫଳରେ ବହୁ ଆବେଦନକାରୀ ଭାଗ ନେଇପାରି ନଥିଲେ। ଏମାନେ ଅଭିଯୋଗ କଲେ ମଧ୍ୟ ଏମ୍‌ଏସ୍‌ଟିସି କିଛି ଶୁଣି ନଥିଲା। ଏହାକୁ ପ୍ରତିବାଦ କରି ଆବେଦନକାରୀ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

She a bird no1

ଅନ୍ୟପଟେ କର୍ଲାପାଟରେ ହାତୀ ଅଭୟାରଣ୍ୟ ରହିଛି। ଅଞ୍ଚଳର ଜମି, ଜଙ୍ଗଲ, ଫଳମୂଳ, ଔଷଧୀୟ ବୃକ୍ଷସବୁ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକା ସହ ଜଡ଼ିତ। ଏଣୁ ଏଭଳି ବେନିୟମ ଟେଣ୍ଡର ନେଇ ସ୍ଥାନୀୟ ବାସିନ୍ଦା ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ଙ୍କ ଦ୍ବାରସ୍ଥ ହେବ ବୋଲି କହିଛନ୍ତି। ମରିବୁ ପଛେ ଛାଡ଼ିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ନିୟମଗିରିରେ ବିନା ଗ୍ରାମସଭାରେ ଖଣି ଖନନ ହେଉଥିବାରୁ ମାନ୍ୟବର ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଜଷ୍ଟିସଙ୍କ ଉପସ୍ଥିତିରେ ଗ୍ରାମସଭା କରିବାକୁ କହିଥିଲେ। ଏହାପରେ ଖଣି ଖନନ ବନ୍ଦ ହୋଇଥିଲା, ସରକାରଙ୍କୁ ବଡ଼ ଝଟକା ଲାଗିଥିଲା। ସରକାର ପୁଣି ବିନା ଗ୍ରାମସଭାରେ ଏହି ଖଣି ଖଣନ ପାଇଁ ଟେଣ୍ଡର କରିଥିବାରୁ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। କିଛିଦିନ ତଳେ କ୍ରାନ୍ତି ଦିବସରେ ସ୍ଥାନୀୟ ବାସିନ୍ଦା ଏକଜୁଟ ହୋଇ ମାନବଶୃଙ୍ଖଳ କରି ତୀବ୍ର ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର