ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ପରିସରରେ ଗତକାଲି ବିଳମ୍ବିତ ରାତିରେ କମେଣ୍ଟ୍‌ ମରାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ର ଓ କିଛି ଯୁବକଙ୍କ ମଧ୍ୟରେ ହାତାହାତି ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ଉଭୟ ଗୋଷ୍ଠୀର ଅଭିଯୋଗ ଅନୁସାରେ ବୈଦ୍ୟନାଥପୁର ଥାନା ପୁଲିସ ତଦନ୍ତ ଜାରି ରଖିଛି।

Advertisment

ସୂଚନା ଅନୁସାରେ ଏମ୍‌କେସିଜିର ଜଣେ ଡାକ୍ତରୀ ଛାତ୍ର ଆଶିଷ ପ୍ରଧାନ ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ତାଙ୍କ ହଷ୍ଟେଲ୍‌କୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକ୍‌ରେ ୩ଜଣ ଯୁବକ ସେହି ରାସ୍ତା ଦେଇ ଯାଉଥିଲେ। କୌଣସି ଏକ କାରଣକୁ ନେଇ ସେମାନଙ୍କ ମଧ୍ୟରେ କମେଣ୍ଟ୍‌ ପାସ୍‌ ହୋଇଥିଲା। ଏହି ଘଟଣାକୁ ଛାତ୍ର ଜଣକ ପ୍ରତିବାଦ କରିଥିଲେ। ଫଳରେ ସେହି ଯୁବକମାନେ ସମ୍ପୃକ୍ତ ଛାତ୍ରଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ଖବର ପାଇ ସେଠାରେ ଶତାଧିକ ଡାକ୍ତରୀ ଛାତ୍ର ରୁଣ୍ଡ ହୋଇ ସେହି ଯୁବକମାନଙ୍କୁ ଘେରି ଯାଇଥିଲେ। ଦୁଇଜଣ ସେଠାରୁ ଚମ୍ପଟ ମାରିଥିବା ବେଳେ ଛାତ୍ରମାନେ ଜଣକୁ କାବୁ କରି ନେଇଥିଲେ। କମେଣ୍ଟ ମାରିଥିବା ଯୁବକଙ୍କ ସହଯୋଗୀଙ୍କୁ ମେଡିକାଲକୁ ଡକାଇଥିଲେ। ଏହାପରେ ପୁଣିଥରେ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ସେଠାକୁ ଯାଇ ମାମଲା ସମାଧାନ କରିବା ସହିତ ଉଭୟ ଯୁବକଙ୍କୁ ସେଠାରୁ ମୁକୁଳାଇଥିଲା। ମେଡିକାଲ କ୍ୟାମ୍ପସ୍‌ରେ ବିଭିନ୍ନ ସମୟରେ ଗଣ୍ଡଗୋଳ ପରିସ୍ଥିତି ଦେଖା ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଛାତ୍ରମାନେ ଦାବି କରିଛନ୍ତି।