ପୁଲିସ ବିଭାଗରେ ‘ଖାକି ବିବାଦ’: ଓପିଏସ୍ ପାହ୍ୟାଙ୍କୁ ବର୍ଷକୁ ୭ ହଜାର ଥୋପ

ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌, କମାଣ୍ଡାଣ୍ଟ ବି ଅସହାୟ, ଆର୍ମଡ୍ ପୁଲିସରେ ସ୍ଥିତି ଦୟନୀୟ

କଟକ: ପୁଲିସ ବିଭାଗରେ କନଷ୍ଟେବଳ ପାହ୍ୟାରୁ ଆଇପିଏସ୍ ପାହ୍ୟା ପର୍ଯ୍ୟନ୍ତ ଖାକି ପୋଷାକ ବାବଦ ଭତ୍ତାକୁ ନେଇ ଅସନ୍ତୋଷ କୁହୁଳୁଛି। ରାଜ୍ୟ ସରକାର ଏବେ ଓପିଏସ୍ (ଓଡ଼ିଶା ପୁଲିସ ସର୍ଭିସ) ପାହ୍ୟାର ଅଧିକାରୀଙ୍କୁ ସାନ୍ତ୍ବନା ଦେବାକୁ କସରତ ଆରମ୍ଭ କରିଛନ୍ତି। ‘ସମ୍ବାଦ’ରେ ଗଲା ୭ ତାରିଖରେ ଏ ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇବାପରେ ଡିଏସ୍‌ପି ପାହ୍ୟାରୁ ଅତିରିକ୍ତ ଏସ୍‌ପି ପାହ୍ୟା ପର୍ଯ୍ୟନ୍ତ ପୁଲିସ ଅଧିକାରୀଙ୍କୁ ବାର୍ଷିକ ପୋଷାକ ବାବଦ ୭ ହଜାର ଟଙ୍କା ଦେବାକୁ ଏକ ନୀତିଗତ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ କନଷ୍ଟେବଳରୁ ଇନସ୍ପେକ୍ଟର ପାହ୍ୟା ପର୍ଯ୍ୟନ୍ତ ପୋଷାକ ଭତ୍ତା ବାବଦ ଯେଉଁ ଅସଂଗତି ଦେଖାଦେଇଛି, ତାକୁ ନେଇ ରାଜ୍ୟ ସରକାର କୌଣସି ପ୍ରକାର ନିଷ୍ପତ୍ତି ନେଇନାହାନ୍ତି। ସିଭିଲ୍ ପୁଲିସ ଭଳି ଆର୍ମଡ୍ ପୁଲିସର ବି ପୋଷାକ ଭତ୍ତା ବାବଦ ଅସଂଗତି ରହିଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟରୁ କମାଣ୍ଡାଣ୍ଟ ପାହ୍ୟା ପର୍ଯ୍ୟନ୍ତ ଅଧିକାରୀଙ୍କୁ କୌଣସି ଭତ୍ତା ଟଙ୍କା ଦିଆଯାଉନାହିଁ। ସିପାହିରୁ ସୁବେଦାର ପର୍ଯ୍ୟନ୍ତ ବି ଭତ୍ତାରେ ଅସଂଗତି ଦେଖା ଦେଇଛି। ଆଗାମୀ ଦିନରେ ଭତ୍ତା ଟଙ୍କା ବଣ୍ଟାକୁ ନେଇ ତୀବ୍ର ବିରୋଧ ଦେଖା ଦେବାର ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଓଡ଼ିଶା ପୁଲିସ ବିଭାଗରେ ଫୋର୍ସଠାରୁ ଆରମ୍ଭ କରି ଇନସ୍ପେକ୍ଟର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଖାକି ପୋଷାକ ବାବଦ କପଡ଼ା ଏବଂ ଆଇପିଏସ୍ ପାହ୍ୟାର ଅଧିକାରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଭତ୍ତା ଦିଆଯାଇ ଆସୁଥିଲା। କିନ୍ତୁ ୨୦୨୦ ଡିସେମ୍ବର ୧୭ ତାରିଖ ପରଠାରୁ ୪୦ କୋଟି ଟଙ୍କା ବ୍ୟୟରେ ଭତ୍ତା ଟଙ୍କା ଯୋଗାଇବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ଫୋର୍ସଙ୍କୁ ୫ ହଜାର ୯୦୦ ଟଙ୍କା ମିଳୁଥିବା ବେଳେ କନଷ୍ଟେବଳ ଓ ହାବିଲଦାରଙ୍କୁ ୫ ହଜାର ଟଙ୍କା ଏବଂ ଏଏସଆଇରୁ ଏସଆଇ ୪ ହଜାର ୨୦୦ ଓ ଇନସ୍ପେକ୍ଟରଙ୍କୁ ୪ ହଜାର ୩୦୦ ଟଙ୍କା ଭଳି ଭିନ୍ନ ଭିନ୍ନ ପ୍ରକାର ଭତ୍ତା ଦିଆଯାଉଛି। କିନ୍ତୁ ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପି ପାହ୍ୟା ପର୍ଯ୍ୟନ୍ତ ଭତ୍ତା ବାବଦ ମାତ୍ର ୧୦୦ ଟଙ୍କା ଦିଆଯାଉଥିଲେ ସୁଦ୍ଧା ଓପିଏସ୍ ଆସୋସିଏସନ୍ ପକ୍ଷରୁ ଏହାକୁ ବିଭିନ୍ନ ସମୟରେ ବିରୋଧ କରି ଏହି ଭତ୍ତା ପୁଲିସ ଅଧିକାରୀମାନେ ଗ୍ରହଣ କରୁନାହାନ୍ତି। ଏଭଳି ପ୍ରସଂଗ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଗୃହ ବିଭାଗ ପକ୍ଷରୁ ପୁଲିସ ମୁଖ୍ୟାଳୟକୁ ଏକ ସ୍ପଷ୍ଟୀକରଣ ମଗାଯାଇଥିଲା। ତେବେ ଡିଏସ୍‌ପି ଅତିରିକ୍ତ ଏସପି ପର୍ଯ୍ୟନ୍ତ ଓପିଏସ୍ ପାହ୍ୟାକୁ ୧୦୦ ଟଙ୍କା ବଦଳରେ ୭ ହଜାର ଟଙ୍କା ଭତ୍ତା ଟଙ୍କା ଯୋଗାଇବାକୁ ମୁଖ୍ୟାଳୟ ସୁପାରିସ୍ କରିଛି। ଅର୍ଥ ବିଭାଗ ସହିତ ଏଭଳି ପ୍ରସଂଗରେ ଆଲୋଚନା ଚାଲିଥିବା ବେଳେ ପୌର ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ସରକାର ଏ ନେଇ ନିର୍ଦ୍ଦେଶନାମା ଜାରି କରିପାରୁ ନାହାନ୍ତି।

ଅନ୍ୟପଟେ ସିଭିଲ୍ ପୁଲିସ ଭଳି ରାଜ୍ୟରେ ଆର୍ମଡ୍ ପୁଲିସରେ ପୋଷାକ ବାବଦ ଭତ୍ତା ଟଙ୍କାକୁ ନେଇ ସ୍ଥିତି ଦୟନୀୟ ହୋଇପଡ଼ିଛି। ଆର୍ମଡ୍ ପୁଲିସରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ(ଡିଏସପି ପାହ୍ୟା), ଡେପୁଟି କମାଣ୍ଡାଣ୍ଟ(ଅତିରିକ୍ତ ଏସପି ପାହ୍ୟା), କମାଣ୍ଡାଣ୍ଟ(ଏସପି ପାହ୍ୟାର) ଅଧିକାରୀଙ୍କୁ ଭତ୍ତା ବାବଦ ଆଦୌ କୌଣସି ପ୍ରକାର ଟଙ୍କା କିମ୍ବା କପଡ଼ା ମିଳୁନଥିବା ଭଳି ଖୋଲାଖୋଲି ଅଭିଯୋଗ ଆର୍ମଡ୍ ପୁଲିସର ବରିଷ୍ଠ ଅଧିକାରୀମାନେ ଏବେ ଆଣିଛନ୍ତି। ସେମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ବାର୍ଷିକ ତିନିରୁ ଚାରି ହଳ ଖାକି ପୋଷାକ କିଣୁଛନ୍ତି। ସିଭିଲ୍ ପୁଲିସ ଭଳି ଆର୍ମଡ୍ କ୍ୟାଡରର ସିପାହୀ(କନଷ୍ଟେବଳ) ଓ ହାବିଲଦାରଙ୍କୁ ୫ ହଜାର ଟଙ୍କା, ହାବିଲଦାର୍ ମେଜର(ଏଏସଆଇ ପାହ୍ୟା) ଓ ଡେପୁଟି ସୁବେଦାର(ଏସଆଇ)ଙ୍କୁ ୪ ହଜାର ୨୦୦ ଏବଂ ସୁବେଦାର(ଇନସ୍ପେକ୍ଟର)ଙ୍କୁ ୪ ହଜାର ୩୦୦ ଟଙ୍କା ଭତ୍ତା ଦିଆଯାଉଛି। ଏମାନଙ୍କୁ ମିଳୁଥିବା ଭତ୍ତା ଟଙ୍କାରେ କୌଣସି ପ୍ରକାର ତାରତମ୍ୟ ବି ରହୁନାହିଁ। ପାହ୍ୟା ବଢ଼ିଲେ ପୋଷାକ ଭତ୍ତା ଟଙ୍କାରେ ହ୍ରାସ ଘଟିବା ଭଳି ଅଂସଗତି ଅସନ୍ତୋଷର ପ୍ରମୁଖ କାରଣ ହୋଇଛି। ବର୍ତ୍ତମାନ ରାଜ୍ୟରେ ଆର୍ମଡ୍ ପୁଲିସରେ ଥିବା ସ୍ପେଶାଲ ଆର୍ମଡ ପୁଲିସର ୪ଟି ବାଟାଲିୟନ, ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ୬ଟି, ଓଡ଼ିଶା ସ୍ପେସାଲ ଆର୍ମଡ ପୁଲିସର ୮ଟି, ଓଡ଼ିଶା ଇଣ୍ଡଷ୍ଟ୍ରି ସିକ୍ୟୁରିଟି ଫୋର୍ସର ଗୋଟିଏ, ଏସ୍‌ଓଜିର ଗୋଟିଏ ବାଟାଲିୟନରେ ଉଭୟ ହାବିଲଦାର ଓ କନଷ୍ଟେବଳ ପାଖାପାଖି ୨୨ ହଜାର ଓ ହାବିଲଦାର ମେଜରରୁ କମାଣ୍ଡାଣ୍ଟ ପର୍ଯ୍ୟନ୍ତ ପାଖାପାଖି ୨ ହଜାର ଅଧିକାରୀଙ୍କ ଭିତରେ ଏଭଳି ପୋଷାକ ଭତ୍ତାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗଲା ୭ ତାରିଖରେ ସିଭିଲ୍ ପୁଲିସର ପୋଷାକ ବିବାଦକୁ ନେଇ ଦେଖା ଦେଇଥିବା ବିବଦ ପ୍ରସଂଗ ସମ୍ବାଦରେ ପ୍ରକାଶ ପାଇବା ପରେ ଆର୍ମଡ ପୁଲିସ ବି ତତ୍କାଳୀନ ପୁଲିସ ଡିଜି ଅଭୟଙ୍କ ସୁପାରିସ ଓ ସରକାରଙ୍କ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିଛନ୍ତି। ଗୃହ ବିଭାଗ ଏମାନଙ୍କ ଭତ୍ତା ଟଙ୍କାକୁ ବିଚାରକୁ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର