ସମାନ ନାଗରିକ ଆଇନ ପ୍ରସଙ୍ଗକୁ ନେଇ ବିଜେଡିରେ କନ୍ଦଳ: ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ

ଏହା ବିଜେପିର ନୀତି, ବିଜେଡିର ନୁହେଁ: ଦେବାଶିଷ, ଦେବାଶିଷ ଠିକ୍‌ କହୁଛନ୍ତି, ମୁଁ ବ୍ୟକ୍ତିଗତ ମତ ରଖିଛି: ଭର୍ତ୍ତୃହରି

କଟକ : ସମାନ ନାଗରିକ ଆଇନ ପ୍ରସଙ୍ଗରେ ବିଜେଡି ଭିତରେ କନ୍ଦଳ ଦେଖିବାକୁ ମିଳିଛି। କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମୁହାଁମୁହିଁ ହୋଇଛନ୍ତି। ଗତକାଲି ଲୋକସଭାରେ ସମାନ ନାଗରିକ ଆଇନ ଲାଗୁ କରିବା ସପକ୍ଷରେ ଭର୍ତ୍ତୃହରି ଯେଉଁ ମନ୍ତବ୍ୟ ଦେଇଥିଲେ, ତାହାକୁ ସମାଲୋଚନା କରିଛନ୍ତି ଦେବାଶିଷ। ଦେବାଶିଷଙ୍କ ମନ୍ତବ୍ୟ ଉପରେ ବି ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି। ଦୁଇ ବିଜେଡି ନେତାଙ୍କ ମଧ୍ୟରେ ବାକ୍‌ ବିନିମୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତକାଲି ଲୋକସଭାର ଶୂନ୍ୟକାଳରେ ଭର୍ତ୍ତୃହରି ସମାନ ନାଗରିକ ସଂହିତା ପ୍ରସଙ୍ଗ ଉତ୍‌ଥାପନ କରି ନିଜର ମତ ରଖି‌ଥିଲେ। ଭର୍ତ୍ତୃହରି କହିଥିଲେ ଯେ ଏପ୍ରକାର ଆଇନର ଅର୍ଥ ନୁହେଁ ଯେ ସବୁ ଧର୍ମ ଉପରେ ହିନ୍ଦୁ ଧର୍ମର ନିୟମ ଲଦି ଦିଆଯିବ। ବରଂ ସବୁ ଧର୍ମର ନିୟମରୁ ଭଲ କଥା ଆଣି ‌ଗୋଟିଏ ନିୟମରେ ଏକାଠି କରାଯିବ। ସମ୍ବିଧାନ ପ୍ରସ୍ତୁତ କରାଯିବା ସମୟରେ ଏ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେତେବେଳେ ଦେଶ ବିଭାଜନର ବିଷମ ପରିସ୍ଥିତି ଦେଇ ଗତି କରୁଥିଲା। ତେଣୁ ଯେଉଁ ପ୍ରକାର ସାମାଜିକ ଓ ଧାର୍ମିକ ନିୟମ ସେ ସମୟରେ ଚଳି ଆସୁଥିଲା, ତାହାକୁ ଜାରି ରଖିବାକୁ ଉଚିତ ମନେ କରାଗଲା। କିନ୍ତୁ ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତି ଯାଇଥିବା ବେଳେ ବର୍ତ୍ତମାନ ଏ ପ୍ରସଙ୍ଗରେ ଚର୍ଚ୍ଚା କରି ସରକାର ସମାନ ନାଗରିକ ଆଇନ ଲାଗୁ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ନିକଟରେ ଦିଲ୍ଲୀ ଓ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ସମାନ ନାଗରିକ ଆଇନର ଆବଶ୍ୟକତା ଉପରେ ମତ ରଖିଛନ୍ତି ବୋଲି ଭର୍ତ୍ତୃହରି କହିଥିଲେ।

ଭର୍ତ୍ତୃହରିଙ୍କ ଏଭଳି ମତ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଜି ଦେବାଶିଷ କହିଛନ୍ତି ଯେ ବିଜେପି ସବୁବେଳେ ଏ ପ୍ରକାର ‘ୟୁନିଫର୍ମ ସିଭିଲ୍ କୋଡ୍‌’ କଥା କହି ଆସିଛି। ସାଂସଦ ତାଙ୍କର ବ୍ୟକ୍ତିଗତ ମତ ରଖିଥାଇ ପାରନ୍ତି। କିନ୍ତୁ ତାହା ବିଜେଡିର ମତ ନୁହେଁ। ଏମିତିକି ସାଂସଦଙ୍କର ଏହି ମତ ବିଜେପିର ମତ ସହ ମେଳ ଖାଉଛି ବୋଲି କହି ସେ ସମାଲୋଚନା କରିଛନ୍ତି।

ଦେବାଶିଷ ଏଭଳି କହିବା ଘଟଣା ସଂପର୍କରେ ଭର୍ତ୍ତୃହରିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ ଯେ ତାଙ୍କ କଥାରୁ ସେ କ’ଣ ବୁଝିଛନ୍ତି, ତାହା ସେ ଜାଣିନ୍ତିନି। ସେ ଏଭଳି ପ୍ରସଙ୍ଗରେ ପଶିବାକୁ ଚାହୁଁନାହାନ୍ତି। କିନ୍ତୁ ପରେପରେ ଭର୍ତ୍ତୃହରି କହିଥିଲେ ଯେ ଦେବାଶିଷ ଦଳର ଜିଲ୍ଲା ସଭାପତି ଭାବେ ଠିକ୍‌ କହିଛନ୍ତି ଏବଂ ସେ ସଂସଦରେ ନିଜର ବ୍ୟକ୍ତିଗତ ମତ ରଖିଛନ୍ତି।

ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦେବାଶିଷ ଓ ଭର୍ତ୍ତୃହରିଙ୍କ ମଧ୍ୟରେ ସମାଲୋଚନା ଓ ପାଲଟା ସମାଲୋଚନା ହୋଇ ଆସିଥିବା ବେଳେ ୟୁନିଫର୍ମ ସିଭିଲ୍ କୋଡ୍ ପ୍ରସଙ୍ଗ କଟକ ରାଜନୀତିର ଦୁଇ ବରିଷ୍ଠ ବିଜେଡି ନେତାଙ୍କୁ ପୁଣି ମୁହାଁମୁହିଁ କରିଛି।

ସମ୍ବନ୍ଧିତ ଖବର