ଜୟପୁର: ପ୍ରଦେଶ କଂଗ୍ରେସ କମିଟିର ନୂତନ ତାଲିକା ଘୋଷଣା ପରେ କୋରାପୁଟ ଜିଲ୍ଲା କଂଗ୍ରେସରେ ରହିଥିବା ବିବାଦ ପଦାରେ ପଡ଼ିଛି। ପରିବାରବାଦ ପ୍ରସଙ୍ଗ ଉଠାଇ ଜିଲ୍ଲା ସଭାନେତ୍ରୀ ପଦବି ସହ ପିସିସି ସାଧାରଣ ସଂପାଦିକା ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି ମୀନାକ୍ଷୀ ବାହିନୀପତି। ଏହି ପ୍ରସଙ୍ଗରେ ସାଂସଦ ସପ୍ତଗିରି ଉଲାକଙ୍କୁ ମଧ୍ୟ ଇଙ୍ଗିତ କରିବାକୁ ସେ ପଛାଇ ନାହାନ୍ତି।

Advertisment

ସୋମବାର ପ୍ରକାଶ ପାଇଥିବା ତାଲିକାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବରିଷ୍ଠ ଉପସଭାପତି ଓ ପତ୍ନୀ ମୀନାକ୍ଷୀଙ୍କୁ ସାଧାରଣ ସଂପାଦିକା ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି କାର୍ଯ୍ୟକାରୀ କମିଟିରେ କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା, ମା’ ରତ୍ନମଣି ଉଲାକାଙ୍କ ନାଁ ରହିଥିବା ବେଳେ ସଂପାଦକ ଭାବେ ସାଂସଦଙ୍କ ଭାଇ ସୀମାଞ୍ଚଳ ଉଲାକା ମନୋନୀତ ହୋଇଛନ୍ତି। ଏହି ନିଷ୍ପତ୍ତି ନିଷ୍ଠାପର କର୍ମୀଙ୍କ ପ୍ରତି ଅଣଦେଖା ସଦୃଶ୍ୟ ବୋଲି ମୀନାକ୍ଷୀ କହିଛନ୍ତି। ପରିବାରବାଦକୁ ବିରୋଧ କରି ବହୁପୂର୍ବରୁ ଜିଲ୍ଲା ସଭାନେତ୍ରୀ ପଦବିରେ ରହିବେ ନାହିଁ ବୋଲି ଇସ୍ତଫା ପତ୍ର ପିସିସି ସଭାପତିଙ୍କୁ ପଠାଇଥିବା ସୂଚନା ଦେଇଛନ୍ତି। ଦଳର ଜଣେ ସାଧାରଣ କର୍ମୀ ଭାବେ କାମ କରିବେ ବୋଲି ସ୍ଥିର କରିଛନ୍ତି।

ଏଥିସସହିତ, ସାଂସଦ ସପ୍ତଗିରିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ମୀନାକ୍ଷୀ। ସେ କହିଛନ୍ତି, ତାଙ୍କୁ ଜିଲ୍ଲା ସଭାନେତ୍ରୀ ପଦବିରୁ ହଟାଇକୁ ସାଂସଦ ସପ୍ତଗିରି ଉଲାକାଙ୍କ ସମର୍ଥକ ପ୍ରୟାସ ଚଲାଇ ଆସୁଛନ୍ତି। ତାଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ନେତା ବୁଲୁ ସାହୁଙ୍କୁ ନୂତନ ସଭାପତି କରିବା ପାଇଁ ପିସିସି ସଭାପତିଙ୍କୁ ସାଂସଦ ଚିଠି ବି ଲେଖିଛନ୍ତି। ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେଡିର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ମଧ୍ୟ ଦଳକୁ ଆଣିବା ପାଇଁ ପ୍ରୟାସ ଚାଲିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛିମାସ ହେଲା ଜୟପୁର ବିଧାୟକ ଓ କୋରାପୁଟ ସାଂସଦ ଉଲାକାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି। ସାଂସଦ ଉଲାକା ଜୟପୁରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଆସୁଥିଲେ ମଧ୍ୟ ବିଧାୟକଙ୍କ ସହ କାର୍ଯ୍ୟକ୍ରମରେ ଏକାଠି ରହିବା କିମ୍ବା ସଂଗଠନ ସଂପର୍କରେ ଆଲୋଚନା କରୁନାହାନ୍ତି। ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଚାଳନା କମିଟି ବୈଠକରେ ବି ଉଭୟେ ଏକା ସ୍ଥାନରେ ବସିଥିଲେ ମଧ୍ୟ କଥାବାର୍ତ୍ତା ହୋଇନଥିଲେ।