ପୋଖରୀ ନିଲାମକୁ ନେଇ ପାଣିକୋଇଲିରେ ଉତ୍ତେଜନା

ପାଣିକୋଇଲି : ପାଣିକୋଇଲି ପଞ୍ଚାୟତରେ ଗୁରୁବାର ଦିନ ଅଳତିରି ବକ୍ସିରା ପୋଖରୀ ନିଲାମକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଶେଷରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପାଣିକୋଇଲି ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଗଣ୍ଡଗୋଳ ପାଇଁ ଏଥର ମଧ୍ୟ ନିଲାମକୁ ବାତିଲ କରାଯାଇଛି।

ବକ୍ସିରା ପୋଖରୀ ମାଲିକାନାକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି। ଏହାକୁ ଜଣେ ନିଜ ବ୍ୟକ୍ତିଗତ ପୋଖରୀ ବୋଲି ଦାବି କରୁଛନ୍ତି। ଗ୍ରାମବାସୀ ସମୂହ ପୋଖରୀ ବୋଲି କହୁଛନ୍ତି। ଏହାକୁ ନେଇ ଉଚ୍ଚନ୍ୟାୟଳୟରେ ମାମଲା ଚାଲିଛି ଏବଂ ପୋଖରୀଟିକୁ ପଞ୍ଚାୟତ ଅଧୀନରେ ହିଁ ନିଲାମ କରାଯାଉଛି। ୨୦୧୨-୧୩ ଆର୍ଥିକ ବର୍ଷରେ ବ୍ୟକ୍ତିଗତ ମାଲିକାନା ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ ପକ୍ଷରୁ ନିଲାମ ଦିଆାଯାଇଥିଲା। ପୁନର୍ବାର ୨୦୧୯ ରେ ଗ୍ରାମବାସୀ କ୍ରମାଗତ ଭାବେ ଏହାକୁ ନିଲାମ ନେଇଥିଲେ। ଚଳିତ ବର୍ଷ ନୂତନ ସରପଞ୍ଚ ନିର୍ବାଚିତ ହେବା ପରେ ମାର୍ଚ୍ଚ ମାସରେ ନିଲାମ ଆରମ୍ଭ ହେଉଣୁ ଗଣ୍ଡଗୋଳ ଘଟିଥିଲା। ପଞ୍ଚାୟତ କାର୍ଯ୍ୟାଳୟରେ ଚେୟାର ଫିଙ୍ଗା ହେବାରୁ ନିଲାମ ବନ୍ଦ ରହିଥିଲା। ପରେ ୮ସେପ୍ଟେମ୍ବରରେ ନିଲାମ କରାଯିବ ବୋଲି ସ୍ଥିର ହୋଇଥିଲା। ତଦନୁଯାୟୀ ଆଜି ବକ୍ସିରା ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ନିଲାମ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ବ୍ୟକ୍ତିଗତ ମାଲିକାନା ଦାବି କରୁଥିବା ବ୍ୟକ୍ତି ତାଙ୍କର ଜମିପଟ୍ଟା ଦାଖଲ କରିଥିଲେ। ତେଣୁ କିଛି ସମୟ ପାଇଁ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା।

ସ୍ବୟଂସହାୟକ ଗୋଷ୍ଠୀ ମହିଳା ଓ ଗ୍ରାମବାସୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଅନ୍ୟପଟେ ବିଡିଓ ଆସିଲା ପରେ ନିଲାମ ପ୍ରକ୍ରିୟା ଚାଲୁ ହେବ ବୋଲି ସରପଞ୍ଚ ପଦ୍ମାବତୀ ପଣ୍ତା ପ୍ରକାଶ କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ବିଡିଓ ନଆସିବାରୁ ପାଟିତୁଣ୍ତ ଗାଳିଗୁଲଜ ଆରମ୍ଭ ହୋଇଯାଇଥିଲା। କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ସମସ୍ତେ ବସି ରହିଥିଲେ। ଖବରପାଇ ପାଣିକୋଇଲି ପୁଲିସ ପହଞ୍ଚିଥିଲେ। ବ୍ଲକରୁ ଅସିଥିବା ଅଧିକାରୀ ବାହାନା କରି ବାହାରକୁ ଯାଇ ପଳାଇଥିଲେ। ସେହିପରି ପୁଲିସ ଉପସ୍ଥିତିରେ ସରପଞ୍ଚ ସେଠାରୁ ବାହାରି ଘରକୁ ପଳାଇଥିଲେ। ନିଲାମ ପ୍ରକ୍ରିୟା ବନ୍ଦ ହେବା ଜାଣି ନିଜ କାମଧନ୍ଦା ଛାଡି ଗୋଟିଏ ଦିନ ଅପେକ୍ଷା କରିଥିବା ଲୋକମାନେ ତାତିଥିଲେ। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବାକୁ ଧମକ ଦେବା ସହ ଗାଳିଗୁଲଜ କରି ଫେରିଯାଇଥିଲେ।

ସମ୍ବନ୍ଧିତ ଖବର