ଦଶରଥପୁର  ଦଶରଥପୁର ବ୍ଲକ ଜାଫରପୁର(୧) ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ଚୟନ ବନ୍ଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କିଛି ଲୋକ କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି। ଗତ ୮ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇ ୨୨ ତାରିଖ ଅର୍ଥାତ ଆଜି ପ୍ରାର୍ଥୀ ଚୟନ ହେବ ବୋଲି ସୂଚନା ଦିଆଯାଇଥିଲା। ଅନିବାର୍ଯ୍ୟ କାରଣବଶତଃ ଏହି ଚୟନ ବନ୍ଦ କରାଗଲା ବୋଲି କାର୍ଯ୍ୟାଳୟ ପକ୍ଷରୁ ୨୦ ତାରିଖରେ ପୁଣି ଏକ ବିଜ୍ଞପ୍ତି ପ୍ରକାଶ ପାଇ ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥରେ ଲଗାଯାଇଥିଲା। ଗୁରୁବାର ସକାଳୁ ଭୋଟ ଦେବାକୁ ଆସିଥିବା ମହିଳା ଏହା ଜାଣିବା ପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପୁରୁଷ ଓ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ସମ୍ମୁଖରେ ବସି ରହିଥିଲେ।

Advertisment

ଏଠାରେ ସହାୟିକା ଭାବେ କାର୍ଯ୍ୟ କରୁଥିବା ସମ୍ପଦ ବାରିକ ୫ ବର୍ଷ ତଳେ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଛି। ୨୦୨୧ ରେ ସହାୟିକା ପଦ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇ ଭୋଟିଂ ହୋଇଥିଲେ ହେଁ ବିବାଦ ହେତୁ ଚୟନ ସ୍ଥଗିତ ରହିଥିଲା। ବାରମ୍ବାର ବିଜ୍ଞପ୍ତି ପ୍ରକାଶ କରି ଏହି ପଦଟି କାହିଁକି ପୂରଣ କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ଚୟନ ପ୍ରକ୍ରିୟା ନକ​ଲେ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।