ଜୟପୁର ( ନବୀନ ଚନ୍ଦ୍ର ସାହୁ): ପୂର୍ବତନ ସାଂସଦ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀଙ୍କୁ ନେଇ ଲାଗି ରହିଛି ସସ୍ପେନସ୍। ଏକଦା ରାଜ୍ୟ ରାଜନୀତିରେ ବେଶ୍ ସକ୍ରିୟ ଥିବା ପ୍ରଦୀପ ଏବେ ନିରବ ପ୍ରାୟ। ବହୁ ଦିନ ହେଲା ସରକାରୀ, ବେସରକାରୀ ସହ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ, କୋରାପୁଟ, ନବରଙ୍ଗପୁରରେ ବିଜେଡିର ସାଙ୍ଗଠନିକ ବୈଠକ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ବହୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ମଧ୍ୟ ପ୍ରଦୀପଙ୍କ ଅନୁପସ୍ଥିତି ଚର୍ଚ୍ଚା ପାଇଁ ଖୋରାକ ଯୋଗାଉଛି।
୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ପ୍ରଦୀପ। ଦଳ ରାଜ୍ୟ ସାଧାରଣ ସମ୍ପାଦକ ପଦବି ସହ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍ଡିସି) ଉପଦେଷ୍ଟା ଭାବେ ଗୁରୁଦାୟିତ୍ବ ଦେଇଥିଲା। ୨୦୧୯ ସାଧାରଣ ନିର୍ବାଚନ ପରେ ସୁପ୍ତ ହୋଇ ପଡିଥିବା ଏସ୍ଡିସି ପ୍ରଦୀପଙ୍କ ଦାୟିତ୍ବ ଗ୍ରହଣ ପରେ ସକ୍ରିୟ ହୋଇଥିଲା। ଆଦିବାସୀ ବହୁଳ ଜିଲ୍ଲାରେ ଖାଲି ପଡିଥିବା ଏସ୍ଡିସି ଅଧ୍ୟକ୍ଷ ପଦବି ପୂରଣ କରିଥିଲେ ସରକାର। ନବରଙ୍ଗପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଆସୁଥିବା ପ୍ରଦୀପଙ୍କ ପ୍ରଭାବ ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ରହିଛି। ତେବେ ଏହି ସବୁ ଜିଲ୍ଲାର କାର୍ଯ୍ୟକ୍ରମରେ ଏବେ ପ୍ରଦୀପଙ୍କ ଦେଖା ମିଳୁନି। ଅକ୍ଟୋବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମାଲକାନଗିରିରେ ଅବିଭକ୍ତ କୋରାପୁଟର ୪ ଜିଲ୍ଲାର ନେତା ଡେରା ପକାଇଥିଲେ। ହେଲେ ସେଠାରେ ପ୍ରଦୀପ ନିଜ ଅନୁପସ୍ଥିତି ପାଇଁ ଚର୍ଚ୍ଚାରେ ଥିଲେ। କେବଳ ଏତିକି ନୁହେଁ, ଏବେ ଏସ୍ଡିସି ପକ୍ଷରୁ ପ୍ରତି ପଞ୍ଚାୟତରେ କ୍ରୀଡ଼ା ମହୋତ୍ସବ ଚାଲିଥିଲେ ମଧ୍ୟ ପ୍ରଦୀପ କେଉଁଠାରେ ଯୋଗ ଦେଇନାହାନ୍ତି। ଅକ୍ଟୋବର ୧୩ ତାରିଖରେ ରାୟଗଡ଼ାରେ ଅନୁଷ୍ଠିତ ଆଦି ରନ୍-୨୦୨୩ ମାରାଥନ୍ରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥଙ୍କ ସାରକା, ଅନ୍ବେଷା ଉପଦେଷ୍ଟା ଏଲିନା ଦାସ ଉପସ୍ଥିତ ଥିବା ବେଳେ ପ୍ରଦୀପଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଛି।
ସରକାରୀ, ବେସରକାରୀ କାର୍ଯ୍ୟକ୍ରମରେ ଦେଖାମିଳୁନି
ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତରେ ବି ଅନୁପସ୍ଥିତ
ଦଳୀୟ ସମୀକ୍ଷା, ଏସ୍ଡିସି ଟୁର୍ଣ୍ଣାମେଣ୍ଟରେ ବି ନଥିଲେ
କୋରାପୁଟ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଦଶମନ୍ତପୁର ବ୍ଲକ୍ ଲୁଲା ଗ୍ରାମର ସମସ୍ୟାକୁ କୁନି ଝିଅ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ। ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ସମସ୍ୟା ବୁଝିବା ବଦଳରେ ହସିବା ଏବଂ ତାଳି ମାରିବାକୁ ନେଇ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ସମାଲୋଚନ କରିଥିଲେ ପ୍ରଦୀପ। ସେହିପରି ପ୍ରଦୀପଙ୍କ ସାନ ଭାଇ ପ୍ରସନ୍ନ ମାଝୀ ବିଜେଡିରେ ଅଣଦେଖା କରାଯାଉଥିବା ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। ପ୍ରଦୀପଙ୍କ ଅନୁରୋଧ ପରେ ପ୍ରସନ୍ନ ପୋଷ୍ଟକୁ ହଟାଇଥିଲେ। ଏମିତି କିଛି କାରଣ ନା ଆଉ କିଛି ପାଇଁ ପ୍ରଦୀପ ଏବେ ନିରବ ରହିଛନ୍ତି ତାକୁ ନେଇ ଚାଲିଛି ଚର୍ଚ୍ଚା। ଭୁବନେଶ୍ବର ମାରାଥନ୍ରେ ଝୁଣ୍ଟି ପଡି ଆହତ ହେବା ପରେ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ଯୋଗୁଁ ପ୍ରଦୀପ କୌଣସି କାର୍ଯ୍ୟକ୍ରମକୁ ଆସୁନଥିବା ତାଙ୍କ ସମର୍ଥକ କହିଛନ୍ତି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଦୀପ ବିଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ ନା ଦଳ ତାଙ୍କୁ କେଉଁ ଆସନରୁ ବିଧାୟକ କରିପାରେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।