କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାଜନୀତିକୁ ପ୍ରଭାବିତ କରୁଥିବା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ପାଇଁ କେନ୍ଦୁଝର ଜିଲ୍ଲାର ୪ଟି ଆସନରେ ବିଜେପିର ଟିକେଟ ବଣ୍ଟନ ଅଟକିଥିବା ଚର୍ଚ୍ଚା ହେଉଛି। ବିଜେପି ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘସିପୁରା, ଚମ୍ପୁଆ, ତେଲକୋଇ ଓ ପାଟଣା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପାଇଁ ଦଳ ସନାତନଙ୍କ ଇସାରାକୁ ଅପେକ୍ଷା କରିଥିବା କୁହାଯାଉଛି।
କେନ୍ଦୁଝର ଜିଲ୍ଲାର ସମସ୍ତ ୬ଟି ନିର୍ବାଚନମଣ୍ଡଳୀ ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନମଣ୍ଡଳୀରେ ଚମ୍ପୁଆର ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ ବେଶ୍ ଦବଦବା ରହିଛି। ଏହି ସମସ୍ତ ନିର୍ବାଚନମଣ୍ଡଳୀରେ ତାଙ୍କର ନିଜସ୍ବ ସଂଗଠନ ଓ ଭୋଟବ୍ୟାଙ୍କ ରହିଛି। ୨୦୧୯ ନିର୍ବାଚନରେ ସନାତନ ନିଜେ ପ୍ରାର୍ଥୀ ନ ହୋଇ ଚମ୍ପୁଆରେ ମୀନାକ୍ଷୀ ମହାନ୍ତଙ୍କୁ ବିଜେଡି ପ୍ରାର୍ଥୀ କରାଇଥିଲେ। ତାଙ୍କୁ ସମର୍ଥନ ଜଣାଇଥିଲେ। ଫଳରେ ମୀନାକ୍ଷୀ ବିଜୟୀ ହୋଇ ବିଧାୟିକା ହୋଇଥିଲେ। ଏଥର କିନ୍ତୁ ସନାତନ ନିଜେ ବିଧାୟକ ହେବାକୁ ଆଗ୍ରହୀ ଅଛନ୍ତି। କୁହାଯାଉଛି ସନାତନ ବିଜେଡିରେ ସାମିଲ ହେବାକୁ ମଧ୍ୟ ଚାହୁଁଛନ୍ତି। ହେଲେ ତାଙ୍କୁ ଦଳ ନେ ନଥିବା ଚର୍ଚ୍ଚା ହେଉଛି। ଏହାପଛର ମୂଳ କାରଣ ହେଉଛି, ଖଣିଖାଦାନ ଭରା ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ରାଜ୍ୟ ସରକାର ସର୍ବାଧିକ ରାଜସ୍ବ ପାଇଥା’ନ୍ତି। ସେଥିପାଇଁ ଏଠାରେ ବିଜେଡି ଅନ୍ୟ କାହାକୁ ପ୍ରାର୍ଥୀ କରି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। ସନାତନଙ୍କୁ ବିଜେଡି ପ୍ରାର୍ଥୀ କରି ବିଜୟୀ କରାଇଲେ, ପରବର୍ତ୍ତୀ ସମୟରେ ତାଙ୍କୁ ନିୟନ୍ତ୍ରଣରେ ରଖିବା କଷ୍ଟକର ବୋଲି ଦଳ ଜାଣିଛି। ସେ ଦୃଷ୍ଟିରୁ ସନାତନଙ୍କ ସମର୍ଥିତ ବ୍ୟକ୍ତି ଏଠାରେ ପ୍ରାର୍ଥୀ ହେଲେ ଚଳିବ, କିନ୍ତୁ ସିଧାସଳଖ ସନାତନଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଚାହୁଁ ନଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଏଭଳି ସ୍ଥିତିରେ ସନାତନଙ୍କ ପାଇଁ ଦ୍ବିତୀୟ ବିକଳ୍ପ ହେଉଛି ବିଜେପି। ସନାତନ ବିଜେପି ଯିବାକୁ ରାଜିଥିଲେ ମଧ୍ୟ ଦଳ ପାଖରେ ତାଙ୍କର ଏକାଧିକ ସର୍ତ୍ତ ରହିଛି। ଏକ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସନାତନ ଚମ୍ପୁଆ, ତେଲକୋଇ, ପାଟଣା, ଘସିପୁରା ନିର୍ବାଚନମଣ୍ଡଳୀରେ ନିଜ ପସନ୍ଦର ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି। ସନାତନ ଯଦି ବିଜେପିରେ ମିଶିବେ, ତାଙ୍କ ସହ ଆଲୋଚନା କରି ଦଳ କେନ୍ଦୁଝର ଜିଲ୍ଲାର ଏସବୁ ଆସନରେ ପ୍ରାର୍ଥୀ ଦେବ ବୋଲି ଆଲୋଚନା ହେଉଛି। ଯେଉଁଥିପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମଧ୍ୟ ଚମ୍ପୁଆ, ତେଲକୋଇ, ପାଟଣା, ଘସିପୁରା ଆସନରେ କାହାରିକୁ ପ୍ରାର୍ଥୀ କରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/sanatan-mahakud.jpg)
