କଟକ: ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଐତିହାସିକ କଟକ ବାଲିଯାତ୍ରା ଆୟୋଜନକୁ ନେଇ ଏବେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଅଦାଲତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ଗୋଟିଏ ପଟେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ଙ୍କ ନିର୍ଦ୍ଦେଶ ଓ ଅନ୍ୟପଟେ ବାଲିଯାତ୍ରାର ଐତିହାସିକ ପୃଷ୍ଠଭୂମି ବାଧକ ସାଜିବାକୁ ଯାଉଛି। ଏହାକୁ ନେଇ ବିଭିନ୍ନ ମହଲରେ ବିତର୍କ ବି ଆରମ୍ଭ ହୋଇଯାଇଛି।
ତଥ୍ୟ ଅନୁଯାୟୀ ବର୍ଷ ବର୍ଷ ଧରି ବାଲିଯାତ୍ରା କେବଳ ଉପର ପଡ଼ିଆରେ ଆୟୋଜନ ହୋଇ ଆସୁଥିଲା। କଳେବର ବଢ଼ିବାରୁ ନବେ ଦଶକରେ ଆୟୋଜନ ତଳ ପଡ଼ିଆକୁ ସଂପ୍ରସାରଣ ହେଲା। ସେହି ସମୟରେ ତଳ ପଡ଼ିଆକୁ ବ୍ୟବସାୟୀ ଯିବା ପାଇଁ ଅମଙ୍ଗ ହେଉଥିବା ବେଳେ ସମୟକ୍ରମେ ତଳ ପଡ଼ିଆର ଆକର୍ଷଣ ବଢ଼ିଲା। କିନ୍ତୁ ଦୁଇ ପଡ଼ିଆରେ ବାଲିଯାତ୍ରା ଆୟୋଜନ ରିଂ ବନ୍ଧ ଓ ଦୁଇ ପଡ଼ିଆର ସଂଯୋଗ ସ୍ଥାନରେ ସାଂଘାତିକ ସ୍ଥିତି ସୃଷ୍ଟି କରିବା ସହିତ ଦଳାଚକଟା ଆଶଙ୍କା ବଢ଼ୁଛି ବୋଲି ହାଇକୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା। ତେଣୁ ଆୟୋଜନକୁ ବ୍ୟବସ୍ଥିତ କରିବା ଲାଗି ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ଏବଂ ଉପର ପଡ଼ିଆରେ କେବଳ ଗାଡ଼ି ପାର୍କିଂ ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ଏନ୍ଜିଟିର ନିର୍ଦ୍ଦେଶ ଅନୁସାରେ, ତଳ ପଡ଼ିଆରେ ୩୪ ଏକରରୁ ଅଧିକ ସ୍ଥାନରେ ବାଲିଯାତ୍ରା ଆୟୋଜନ ହୋଇ ପାରିବନାହିଁ। ୨୦୨୨, ସେପ୍ଟେମ୍ବର ୨୧ରେ ଏନ୍ଜିଟି ଦେଇଥିବା ରାୟରେ କହିଥିଲେ ଯେ ୩୪ ଏକର ବାହାରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ କରାଯିବ ନାହିଁ। ପଡ଼ିଆରେ କଂକ୍ରିଟ୍ ନିର୍ମାଣ ହେବ ନାହିଁ। ସବୁପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ବାଲିଯାତ୍ରା ଆୟୋଜନ କରାଯିବ। ଅବଶିଷ୍ଟ ୩୯୨ ଏକର ଜମି ଉପରେ ଜଙ୍ଗଲ ସୃଷ୍ଟି କରାଯିବ। ଏହି ଅଞ୍ଚଳକୁ ଏକ ବାୟୋଲୋଜିକାଲ ପାର୍କରେ ରୂପାନ୍ତର କରାଯିବ। ଏହି ଜମିକୁ କୌଣସି ପ୍ରକାର ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହାର କରାଯିବ ନାହିଁ। ବର୍ତ୍ତମାନ ସ୍ଥିତିରେ ଏନ୍ଜିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ତଳ ବାଲିଯାତ୍ରା ପଡ଼ିଆରେ ୩୪ ଏକର ସ୍ଥାନରେ ବାଲିଯାତ୍ରା ଆୟୋଜନ ହେଉଛି। ଷ୍ଟଲ୍, ପୃଷ୍ଠପୋଷକଙ୍କ ପାଇଁ ସ୍ଥାନ, ଓରମାସ୍, ଷ୍ଟେଜ୍, ଦୋଳି ଇତ୍ୟାଦି ପାଇଁ ପାଖାପାଖି ୨୪ ଏକର ବ୍ୟବହାର ହେଉଛି। କଟକ-ଇନ୍-କଟକ ୧୦ ଏକର ସ୍ଥାନରେ ରହିଥିବାରୁ ମୋଟ ୩୪ ଏକର ସ୍ଥାନ ବାଲିଯାତ୍ରା ପାଇଁ ବ୍ୟବହାର ହେଉଛି। ଯଦି ଉପର ବାଲିଯାତ୍ରା ପଡ଼ିଆର ସବୁ ଦୋକାନ ଓ ଷ୍ଟଲ୍ ତଳ ବାଲିଯାତ୍ରା ପଡ଼ିଆକୁ ସ୍ଥାନାନ୍ତର ହେବ, ତା’ ହେଲେ ୩୪ ଏକରରୁ ବହୁ ଅଧିକ ସ୍ଥାନ ଆବଶ୍ୟକ ପଡ଼ିବ। ସେଭଳି ହେଲେ ଏନ୍ଜିଟି ରାୟର ବିରୁଦ୍ଧାଚରଣ କରିବ। ଇତିମଧ୍ୟରେ ବାଲିଯାତ୍ରା ଉପର ପଡ଼ିଆରେ ୬୦୦ ଓ ତଳ ପଡ଼ିଆରେ ୭୦୦ ଷ୍ଟଲ୍ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେଣୁ ଆୟୋଜନ ପାଇଁ ନୂଆ କସରତ ସମସ୍ତଙ୍କ ଦ୍ବନ୍ଦ୍ବ ବଢ଼ାଇବାରେ ଲାଗିଛି।
ବିଭିନ୍ନ ମହଲରେ ବିରୋଧାଭାସ
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହୁଏତ ଆସନ୍ତା ୪ ତାରିଖରେ ଏ ପ୍ରସଙ୍ଗରେ ଆଲୋଚନା ବୈଠକ ଡାକିବେ। କଟକ ଡିସିପି, ସିଏମ୍ସି କମିସନର ଓ ଅନ୍ୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକର ନିଷ୍ପତ୍ତି ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ହାଇକୋର୍ଟଙ୍କୁ ଅବଗତ କରାଯିବ। କିନ୍ତୁ ଏଭଳି ସମ୍ଭାବନାକୁ ନେଇ ଖବର ସାମନାକୁ ଆସିବା ପରେ ଏହାକୁ ନେଇ ବିରୋଧାଭାସ ବି ସୃଷ୍ଟି ହୋଇଛି। ଯୁବ ସମାଜସେବୀ ଡକ୍ଟର ଦ୍ବୀପାୟନ ପଟ୍ଟନାୟକ କହିଛନ୍ତି ଯେ ବାରବାଟୀ ଦୁର୍ଗ ସମ୍ମୁଖରେ ବାଲିଯାତ୍ରା ଆୟୋଜନ ହଜାର ହଜାର ବର୍ଷର ପରମ୍ପରା। ଆଜି ସେ ଭୂମିରୁ ଐତିହ୍ୟକୁ ମୂଳୋତ୍ପାଟନ କରିବାକୁ ଚେଷ୍ଟା କରାଯାଉଛି। ପୂର୍ବରୁ ବାଲିଯାତ୍ରାର ପରିସର ଦୁର୍ଗ ମଧ୍ୟରେ ଥିଲା। ଏନ୍ଜିଟି ସୀମିତ ସ୍ଥାନରେ ତଳ ପଡ଼ିଆରେ ଆୟୋଜନ ପାଇଁ ଅନୁମତି ଦେଇଥିବାରୁ ଉପର ପଡ଼ିଆର ବିକଳ୍ପ ସ୍ଥାନ କେଉଁଠୁ ଆସିବ ବୋଲି ଡକ୍ଟର ପଟ୍ଟନାୟକ ପ୍ରଶ୍ନ କରିବା ସହିତ ଅନ୍ତର୍ଜାତୀୟସ୍ତରରେ ବାଲିଯାତ୍ରାକୁ ପହଞ୍ଚାଇବା, ୟୁନେସ୍କୋର ମାନ୍ୟତା ପାଇଁ ପ୍ରୟାସ କରିବା ପରିବର୍ତ୍ତେ ପକ୍ଷଛେଦନ ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/02/JOnQ38BnHTSNtwt0wqN2.jpg)