ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ହେବ ନା ନାହିଁ? ଯଦି ହେବ, ତାହା ହେଲେ କେବେ? ୨୦୨୩ରେ ଅକ୍ଟୋବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ବେଳେ ସେପ୍ଟେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଚଳିତ ବର୍ଷ ପରୀକ୍ଷା ହେବା ନେଇ ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ପରୀକ୍ଷା ସମ୍ପର୍କରେ ପରିଷଦ କୌଣସି ସ୍ପଷ୍ଟ ସୂଚନା ଦେଉ ନ ଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ ଦ୍ବନ୍ଦ୍ବରେ। ଏହାରି ଭିତରେ ଷାଣ୍ମାସିକ ପରୀକ୍ଷା କରିବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ନିଷ୍ପତ୍ତି ନେଇଛି। ଓଷ୍ଟା ପକ୍ଷରୁ ଅକ୍ଟୋବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା କରାଯିବ। ଯେଉଁଥିରେ ୬ ହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟ ସାମିଲ ହେବାକୁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।

Advertisment

ଗୋଟିଏ ପଟେ ପରୀକ୍ଷାକୁ ନେଇ ପରିଷଦ ଚୁପ୍‌ ରହିଥିବା ବେଳେ ଅନ୍ୟପଟେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପରିଷଦ ଦ୍ବାରା କେଉଁ କେଉଁ ପରୀକ୍ଷା କରାଯିବ ସେ ନେଇ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩-୨୪ ଶିକ୍ଷାବର୍ଷଠାରୁ ପରିଷଦ ପକ୍ଷରୁ ବିଭିନ୍ନ ପରୀକ୍ଷା ପରିଚାଳନା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା। ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ସମେତ ୧୦ମ ଷାଣ୍ମାସିକ ପରୀକ୍ଷା ଓ ବୋର୍ଡ ପରୀକ୍ଷା ପରିଷଦ କରିବ। କେବେ ପରୀକ୍ଷା କରାଯିବ, କେଉଁଭଳି ପ୍ରଶ୍ନପତ୍ର ଆସିବ, କେତେ ମାର୍କର ପରୀକ୍ଷା ହେବେ ଏସବୁ ବିଷୟରେ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା। ଇତିମଧ୍ୟରେ ସେପ୍ଟେମ୍ବର ମାସ ସରିବାକୁ ବସିଥିଲେ 
ମଧ୍ୟ ୧୦ମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ହୋଇ ନାହିଁ। ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଏପର୍ଯ୍ୟନ୍ତ କରାଯାଇନି। କେବେ ହେବ ସେନେଇ କାହା ପାଖରେ ଖବର ମଧ୍ୟ ନାହିଁ।

ପରିଷଦର ଏଭଳି ହେୟଜ୍ଞାନକୁ ନେଇ ବିଦ୍ୟାଳୟଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ କରିଛନ୍ତି ଯେ ପରୀକ୍ଷା ସମ୍ପର୍କରେ ପରିଷଦ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦେଇ ନ ଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ରହିଛୁ। ଯେହେତୁ ଓଷ୍ଟା ପରୀକ୍ଷା ତାରିଖ ଘୋଷଣା କରି ସାରିଛି ସେହି ଅନୁଯାୟୀ ଆମେ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା କରାଇବୁ। ଓଷ୍ଟା ପକ୍ଷରୁ ପ୍ରତିବର୍ଷ ହେଉଥିବା ପ୍ରଶ୍ନପତ୍ରଗୁଡ଼ିକ ବିଶେଷଜ୍ଞମାନଙ୍କ ଦ୍ବାରା ତିଆରି ହେଉଛି। କମ୍‌ ମୂଲ୍ୟରେ ବିଦ୍ୟାଳୟକୁ ଦିଆଯାଉଛି। ଭାଇରାଲ ରୋକିବାକୁ ବିଭିନ୍ନ ସେଟ୍‌ର ପ୍ରଶ୍ନପତ୍ର କରୁଛନ୍ତି। ତେଣୁ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅସୁବିଧା ହେଉ ନାହିଁ। ମାତ୍ର ପରିଷଦ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଅନ୍‌ଲାଇନ୍‌ରେ ପଠାଇ ଦେଉଛି। ରାଜ୍ୟର ସବୁ ସ୍ଥାନରେ ପ୍ରିଣ୍ଟ କରି ସଙ୍ଗେ ସଙ୍ଗେ ପିଲାଙ୍କୁ ପ୍ରଶ୍ନପତ୍ର ଯୋଗାଇବା ସମ୍ଭବପର ନୁହେଁ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ମଧ୍ୟ ହୋଇଯାଉଛି। ଯେଉଁ ପାଟର୍ନରେ ପରୀକ୍ଷା ହେଉଛି ବୋର୍ଡ ପରୀକ୍ଷା ସହ ତାହା ସମାନ ନୁହେଁ। ରଦି କାଗଜରେ ପ୍ରଶ୍ନପତ୍ର ହେଉଛି। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସୁ ନ ଥିବାରୁ  ଛାତ୍ରଛାତ୍ରୀ ଅଭ୍ୟାସ କରିବାରୁ ବଞ୍ଚିତ ହେଉଛନ୍ତି। ଯଦି ପରିଷଦ ଷାଣ୍ମାସିକ ପରୀକ୍ଷା ଦିଗରେ ପଦକ୍ଷେପ ନେଉଛି ତେବେ ସମସ୍ତ ନିୟମାବଳୀ ପାଳନ କରାଯାଉ ବୋଲି ମତପ୍ରକାଶ ପାଇଛି।