ଭୁବନେଶ୍ବର : ଶନିବାର ଦିନ ଭୁବନେଶ୍ବର-ରାଉରକେଲା ମଧ୍ୟରେ ବିମାନସେବା ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ବର ବିମାନବନ୍ଦର ପରିସରରେ ଏକ ସଭା ହୋଇଥିଲା। ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ହେଲେ ଏହି ବିମାନ ଉଡ଼ାଣ ନେଇ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ନଥିବା ପ୍ରସଙ୍ଗ ଉଠିବା ପରେ ସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା।
ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ବିମାନ ଚଳାଚଳ ହୋଇପାରିଥିବାରୁ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଦେଇଥିଲେ। ହେଲେ ରାଜ୍ୟ ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ େମାଦୀଙ୍କ ଫଟୋ ନଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ସିନ୍ଧିଆ ଏବଂ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ୱର-ରାଉରକେଲା ବିମାନ ସେବା ସତ୍ତ୍ୱେ ଓଡ଼ିଶା ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା କ୍ଷୋଭର ବିଷୟ। ଦୁଇ ଦଳ ମଧ୍ୟରେ ରାଜନୈତିକ ବାଦବିବାଦ ରହିବ। କିନ୍ତୁ ରାଜ୍ୟର ମର୍ଯ୍ୟାଦା ଓ ସ୍ୱାର୍ଥ କଥା ଆସିଲେ ଆମ ସମସ୍ତଙ୍କୁ ଏକାଠି ହେବା ଦରକାର। ଆଜି ଖବରକାଗଜରେ ଏହି ବିମାନ ସେବା ଶୁଭାରମ୍ଭର ଏକ ବିଜ୍ଞାପନ ଓଡ଼ିଶା ସରକାର ବାହାର କରିଛନ୍ତି। କିନ୍ତୁ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ କିମ୍ବା କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କୁ ଧନ୍ୟବାଦ ଦିଆଯାଇନାହିଁ। ପ୍ରଧାନମନ୍ତ୍ରୀଙ୍କ ଫଟୋ ଛପାଯିବା ଉଚିତ୍ ଥିଲା।
ଭୁବନେଶ୍ୱର ବିମାନବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ ହେଲା। ଅଟଳ ବିହାରୀ ବାଜପେୟୀ ଏହି ନିଷ୍ପତ୍ତି ନେଇଥିଲେ। ସେତେବେଳେ ଏହାର ଲୋକାର୍ପଣ କରିବା ପାଇଁ ସାହାନୱାଜ ହୁସେନ୍ ଆସିଥିଲେ। ଏହା ଥିଲା ବାଜପେୟୀଙ୍କ ପରମ୍ପରା। ତେଣୁ ଯାହାଙ୍କ ପ୍ରଚେଷ୍ଟାରେ ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି ତାଙ୍କୁ ଧନ୍ୟବାଦ ଦେଲେ ଭଲ ହୋଇଥାନ୍ତା। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା, ଜ୍ୟୋତିରାଦିତ୍ୟଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ଯୋଡ଼ିବା କ’ଣ ଓଡ଼ିଆ ପରମ୍ପରା ନୁହେଁ? ଓଡ଼ିଶା ପାଇଁ ଏହା ଭଲ ହେଲା ନାହିଁ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ ଓ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦିଆଯିବା ଦରକାର ଏବଂ ବିଜ୍ଞାପନରେ ଫଟୋ ରହିବା ଦରକାର ବୋଲି କହିଥିଲେ।
ଧର୍ମେନ୍ଦ୍ର ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ ମଞ୍ଚରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପଣ୍ଡା ଏହାର ପ୍ରତିବାଦ କରି କିଛି କହିବାକୁ ମାଇକ୍ରୋଫୋନ୍ ମାଗିଥିଲେ। ହେଲେ ତାଙ୍କୁ ମାଇକ୍ରୋଫୋନ୍ ମିଳିନଥିଲା।