ଜଳେଶ୍ବର ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ନିଯୁକ୍ତିକୁ ନେଇ ବିବାଦ

ସାଙ୍ଗଠନିକ ସଂପାଦକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଲେ ଅସନ୍ତୁଷ୍ଟ ନେତା

ଜଳେଶ୍ବର: ଜଳେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଯୁବ ଜନତା ଦଳର ନୂଆ ସଭାପତି ନିଯୁକ୍ତି ହେବା ପରେ ଦଳୀୟ ରାଜନୀତି ସରଗରମ ହୋଇଛି। ନିଷ୍ପତ୍ତିକୁ ବିରୋଧ କରୁଥିଲେ ବି କାରଣ ନଦର୍ଶାଇ ଯୁବ ଓ ଛାତ୍ର ଜନତା ଦଳର କେତେକ ଅସନ୍ତୁଷ୍ଟ ନେତା ଇସ୍ତଫା ଦେଇଛନ୍ତି।

ବିବରଣୀରୁ ପ୍ରକାଶ ଯେ ଗତ ୨୯ ତାରିଖ ଦିନ ଯୁବ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତାପସ ପରିଡ଼ା ରାଜ୍ୟ ସଭାପତିଙ୍କ ଡ.ବ୍ୟୋମକେଶ ରାୟଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ସିମୁଳିଆ, ସୋର, ନୀଳଗିରି, ରେମୁଣା, ସଦର, ଜଳେଶ୍ବର, ବସ୍ତା ଓ ଭୋଗରାଇ ପାଇଁ ଯୁବ ବିଜୁ ଜନତା ଦଳ ସଭାପତିଙ୍କ ନାମ ଘୋଷଣା କରିଥିଲେ। ସେହି ଘୋଷଣାରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ ଦେବେନ୍ଦ୍ର ଘୋଷଙ୍କ ନାମ ଉଲ୍ଲେଖ କରାଯାଇଥିଲା। ତେବେ ଦେବେନ୍ଦ୍ରଙ୍କ ଏହି ନିଯୁକ୍ତିକୁ ନେଇ ଯୁବ ଓ ଛାତ୍ର ବିଜୁ ଜନତା ଦଳର ବହୁ ପଦାଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଯୁବ ଜନତା ଦଳରେ ନିଯୁକ୍ତି ପାଇଁ ଦଳ ପକ୍ଷରୁ ବୟସସୀମା ୩୦ରୁ ୪୦ ବର୍ଷ ମଧ୍ୟରେ ରଖାଯାଇଥିବା ବେଳେ ନବନିଯୁକ୍ତ ଯୁବ ସଭାପତିଙ୍କ ବୟସ ୨୫ ତଳକୁ ରହିଛି। ସେହିପରି ସେ ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ଥିବାରୁ ତାଙ୍କ ନିଯୁକ୍ତି ଏକପାଖିଆ ବୋଲି କୁହାଯାଉଛି।

ଏପରି ସମୟରେ ଅସନ୍ତୁଷ୍ଟ ଯୁବ ଓ ଛାତ୍ର ବିଜୁ ଜନତା ଦଳର ନେତାମାନେ ନିଜ ନିଜର ଇସ୍ତଫାପତ୍ର ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଖକୁ ଗତ ୫ ତାରିଖ ଦିନ ପଠାଇ ଦେଇଥିଲେ। ହେଲେ ସେଥିରେ ଇସ୍ତଫାର କାରଣ ଉଲ୍ଲେଖ କରି ନଥିଲେ। ତେବେ ଇସ୍ତଫାପତ୍ର ପାଇବା ପରେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ ଘଟଣାକୁ ଗୁରୁତର ସହ ନେଇଥିଲେ। ଇସ୍ତଫାପତ୍ର ପାଇବା ପରେ ସେ ସେହି ୫ ତାରିଖ ଦିନ ଆଲୋଚନା ପାଇଁ ଅସନ୍ତୁଷ୍ଟଙ୍କୁ ଡାକିଥିଲେ। ସେମାନେ ଭୁବନେଶ୍ୱର ଯିବା ସହ ଶ୍ରୀ ସାଙ୍ଗଠନିକ ସମ୍ପାଦକ ଦାସଙ୍କୁ ସାକ୍ଷାତ କରିଛନ୍ତି। ନୂଆ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଏକପାଖିଆ ବୋଲି ଅସନ୍ତୁଷ୍ଟମାନେ ତାଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡ଼ିଛି। ତେବେ ପ୍ରଣବ ସେମାନଙ୍କୁ ବୁଝାଇବା ସହ ଦଳ ପାଇଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଥାଉକି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ମ୍ୟୁନିସିପାଲିଟି ନିର୍ବାଚନରେ ଜଳେଶ୍ବର ବିଜେଡିକୁ ବେଶ୍‌ ସଫଳତା ମିଳିଥିଲା। ତେବେ ଏପରି ମତାନ୍ତର ଦଳ ପାଇଁ ‌ଯେପରି ଘାତକ ନହୁଏ, ସେଥିପାଇଁ ସାଂଗଠନିକ ସଂପାଦକ ଶ୍ରୀ ଦାସ ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର