କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଅଗଷ୍ଟ ୨୭ରେ ଏଏସ୍ଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଲିଖିତ ପରୀକ୍ଷା ଆୟୋଜନକୁ ବିରୋଧ କରି ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏଥିସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ବେହେରା ଓ ଅନ୍ୟଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଓପିଏସସି ପକ୍ଷରୁ ଏଏସଓ ପଦବି ପୂରଣ ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୧ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷରେ, ଅଗଷ୍ଟ ୨୭ରେ ଏଏସଓ ଲିଖିତ ପରୀକ୍ଷା କରାଯିବ ବୋଲି ଓପିଏସ୍ସି ପକ୍ଷରୁ ଅଗଷ୍ଟ ୨୦ରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟରେ ବନ୍ୟା ପରିସ୍ଥିତି ଚିନ୍ତାଜନକ ସ୍ଥିତିରେ ରହିଛି। ପରିସ୍ଥିତିରେ ସୁଧାର ଆସି ନଥିବାରୁ ଏହି ପରୀକ୍ଷା ଅଗଷ୍ଟ ୨୭ରେ କରିବା ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ଅଗଷ୍ଟ ୨୨ରେ ମାମଲା ରୁଜୁ ହୋଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳର ବହୁ ପ୍ରାର୍ଥୀ ଏହି ଲିଖିତ ପରୀକ୍ଷା ଦେବାରୁ ବଞ୍ଚିତ ହେବାର ସମ୍ଭାବନା ରହିଥିବାରୁ ଅଗଷ୍ଟ ୨୭ରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଏବେ ସ୍ଥଗିତ ରଖାଯାଉ। ବନ୍ୟାସ୍ଥିତିରେ ସୁଧାର ପରେ ଏହି ପରୀକ୍ଷା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।