ପୁରୀ: ପୁରୀ ବିଧାନସଭା ଆସନରେ ଟିକେଟ ପରିବର୍ତ୍ତନକୁ ନେଇ ଆଜି କଂଗ୍ରେସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଦାଖଲର ଦିନକ ପରେ ଟିକେଟ କଟିବାରୁ ତାତିଛନ୍ତି ସୁଜିତ ମହାପାତ୍ରଙ୍କ ସମର୍ଥକ। ଆଜି ଅପରାହ୍ଣରେ ଭିଆଇପି ରୋଡ୍ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପଶି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଲାଗିଥିବା ପୋଷ୍ଟର ଚିରିବା ସହ ଦଳୀୟ ପତାକା ଫିଙ୍ଗାଫୋପଡ଼ା କରିଛନ୍ତି। ଗତକାଲି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇ ଦେବା ଓ କଂଗ୍ରେସ ପୁରୀ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ନୂଆ ଲୋକସଭା ପ୍ରାର୍ଥୀ ଘୋଷଣା କରିବାର ଦିନକ ପରେ ଏଭଳି ଘଟଣା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।ଗତ ୧୪ ତାରିଖରେ କଂଗ୍ରେସ ସୁଜିତଙ୍କୁ ପୁରୀ ବିଧାନସଭା ଟିକେଟ ଦେଇଥିଲା। ଗତକାଲି ସୁଜିତ ସମର୍ଥକଙ୍କ ଗହଣରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୬ତାରିଖରେ ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଏହା ପୂର୍ବରୁ ଆଜି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପୁରୀ ବିଧାୟକ ଉମାବଲ୍ଲଭ ରଥଙ୍କୁ ଟିକେଟ ମିଳିଛି।
ଏହି ଟିକେଟ ଘୋଷଣା ପରେ ତାତିଛନ୍ତି ସୁଜିତଙ୍କ ଗୋଷ୍ଠୀ। ସୁଜିତ କହିଛନ୍ତି, ଦଳ ଚାହିଁଥିଲେ ପୂର୍ବରୁ ଉମାବଲ୍ଲଭଙ୍କୁ ଟିକେଟ ଦେଇ ପାରିଥାନ୍ତା। କିନ୍ତୁ ମୋତେ ଟିକେଟ ଦେବା ପରେ ମୁଁ ପ୍ରାର୍ଥିପତ୍ର ଦାଖଲ କରି ସାରିଛି। ଏଭଳି ମୁହୂର୍ତ୍ତରେ ମୋର ଟିକେଟ କାଟି ଅନ୍ୟ କାହାକୁ ଟିକେଟ ଦେବା ଆଦୌ ଗ୍ରହଣୀୟ ନୁହେଁ। ଏହା ମୋ ସ୍ୱାଭିମାନକୁ ଆଘାତ ଦେଇଛି। ମୁଁ ଜଣେ କଂଗ୍ରେସର ୨୦ ବର୍ଷର ଶୃଙ୍ଖଳିତ କର୍ମୀ। ମୋ ସହିତ ଏଭଳି ହେବା, ମୋତେ ଓ ମୋର ସମର୍ଥକଙ୍କୁ ଆଘାତ ପହଞ୍ଚାଇଛି। ସେ ଆହୁରି କହିଛନ୍ତି, ଉମାବଲ୍ଲଭ ବିଜେଡି ଟିକେଟ ଲବିରେ ଥିଲେ। କିନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ରାୟ ପରେ ସବୁ ବଦଳିଗଲା। ଏଣୁ ଉମାବଲ୍ଲଭ ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କ ସହ ମିଶି ଏଭଳି କରିଛନ୍ତି। ଆଜି ରାତିରେ ମୋର ଦଳୀୟ ସମର୍ଥକଙ୍କୁ ଡାକି ବୈଠକ କରୁଛି। ଯଦି ଦଳୀୟ ଟିକେଟ ନ ମିଳେ, ମୁଁ ସ୍ୱାଧୀନ ଭାବେ ଲଢ଼ିବି ବୋଲି ସୁଜିତ କହିଛନ୍ତି।
ଉମାବଲ୍ଲଭ କହିଛନ୍ତି, ସେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଥିଲେ। ଦଳର ବରିଷ୍ଠ ନେତୃବୃନ୍ଦ ଆବେଦନର ବିଚାର କରି ମୋତେ ଟିକେଟ ଦେଇଛନ୍ତି। ଏଥିପାଇଁ ଦଳର ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଉଛି। ନିର୍ବାଚନରେ ମୁଁ ନିଶ୍ଚିତ ମୋର ପାରଦର୍ଶିତା ଦେଖାଇବି। ବେଦାନ୍ତ ବିଶ୍ୱବିଦ୍ୟାଳୟ ଭଳି ବଡ଼ ଲଢ଼େଇରେ ଆମେ ବିଜୟୀ ହୋଇଛୁ। ଏଠି ଅର୍ଥ ବଳ କି ବାହୁବଳ କାମ ଦେଇନି। ଚଳିତ ନିର୍ବାଚନରେ ସେଇଆ ହେବ। ଜନତା ବଳ ସବୁଠୁ ବଡ଼ ବଳ। ମୋ ସହିତ ବାଇଶି ମୌଜା, ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତି ସହ ପୁରୀ ସହରର ଗଳିକନ୍ଦିର ଜନତାଙ୍କ ସମର୍ଥନ ରହିଛି। ମୁଁ ନିଶ୍ଚିତ ବିଜୟ ଲାଭ କରିବି ବୋଲି ଉମାବଲ୍ଲଭ କହିଛନ୍ତି। ବିଧାୟକ ହେଲେ ଲୋକଙ୍କ ଅଭିଯୋଗର ସମାଧାନ ୧୦୦ ଦିନ ଭିତରେ କରିବି ବୋଲି ଉମାବଲ୍ଲଭ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhsfhfhfhfhhf.jpg)