କଟକ : ଗଣେଶ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ କଟକ ଡିସିପିଙ୍କ ଅଗଷ୍ଟ ୨୮ର ରିପୋର୍ଟ ଉପସ୍ଥାପନ କରାଯାଇଥିଲ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଯେଉଁ ମୂର୍ତ୍ତି ପ୍ରସଂଗ ନେଇ ମାମଲା ଦାୟର ହୋଇଛି ଯଦି ତାହା ସର୍ବସାଧାରଣରେ ପ୍ରଦର୍ଶନ କରାଯାଏ ତେବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ପାରେ। ହାଇକୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ଏହି ମାମଲାରେ ଆବେଦନକାରୀଙ୍କ ପ୍ରାର୍ଥନାକୁ ଗ୍ରହଣ କରିବାକୁ ମନା କରିଛନ୍ତି। ଏଭଳି ମୂର୍ତ୍ତି ଦ୍ବାରା ଆଇନଶୃଙ୍ଖଳା ସ୍ଥିତିର ପୁଲିସ ସମ୍ମୁଖୀନ ହୋଇପାରେ। ଆବେଦନକାରୀ ବିକଳ୍ପ ଭାବେ ଆପତ୍ତି ନଥିବା ମୂର୍ତ୍ତି ନିର୍ମାଣ କରି ବିକ୍ରି କରି ପାରିବେ। ଏଭଳି ମୂର୍ତ୍ତି ପ୍ରଦର୍ଶନ ଦ୍ବାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଘଟଣାକୁ ବିଚାରକୁ ନେଇ ହାଇକୋର୍ଟ ଆବେଦନକାରୀଙ୍କ ପ୍ରାର୍ଥନା ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିକୃତ ମୂର୍ତ୍ତି ନିର୍ମାଣ ଅଭିଯୋଗ କରି ପୁଲିସ କାରିଗରଙ୍କୁ ନିର୍ଯାତନା ଦେଇଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଶିଳ୍ପୀ କୁମ୍ଭାରସାହିର ନାରାୟଣ ମୁଦୁଲିଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ପୁରୀଘାଟ ଥାନା ଆଇଆଇସି ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ମୂର୍ତ୍ତି ନିର୍ମାଣ କରାଯାଉଥିବା ସ୍ଥାନରେ ପହଞ୍ଚି କାରିଗରମାନଙ୍କୁ ଗାଳି ଦେଇଥିଲେ। ନିର୍ଦ୍ଦିଷ୍ଟ ମୂର୍ତ୍ତିକୁ ବିକ୍ରି ନ କରିବାକୁ ପୁଲିସ ତାଗିଦ କରିଥିଲା। ପୁଲିସ କେତେକ କାରିଗରଙ୍କୁ ଥାନାରେ ଅଟକ ରଖିଥିଲା। କାରିଗରଙ୍କ ନିକଟରୁ ପୁଲିସ ଅଣ୍ଡରଟେକିଂ ରଖିଥିଲା। ପୁଲିସ ଭୟରେ କାରିଗରମାନେ ସାଦା କାଗଜରେ ଦସ୍ତଖତ ଦେଇଥିଲେ। ନିର୍ମାଣ କରାଯାଇଥିବା ଗଣେଶ ମୂର୍ତ୍ତି କାହାର ଭାବନାକୁ ଆଘାତ ଦେବ ନାହିଁ। ଗଣେଶଙ୍କ ଶିବ ସ୍ବରୂପ ବା ରୁଦ୍ର ଗଣେଶକୁ ନେଇ ପୁଲିସ ଆପତ୍ତି ଉଠାଇଥିବା ବେଳେ ଏପରି ମୂର୍ତ୍ତି ପୂର୍ବରୁ ଦେଶର ବିଭିନ୍ନ ମଣ୍ଡପରେ ପୂଜା ପାଉଥିଲେ। ଏଭଳି ସ୍ଥିତିରେ ନିର୍ମାଣ କରାଯାଉଥିବା ଗଣେଶ ମୂର୍ତ୍ତିକୁ ନେଇ ପୁଲିସର ଆଭିମୁଖ୍ୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ନିର୍ମାଣ କରାଯାଇଥିବା ଗଣେଶ ମୂର୍ତ୍ତିକୁ ମଣ୍ଡପକୁ ସ୍ଥାନାନ୍ତର ପାଇଁ ଅନୁମତି ଦିଆଯାଉ। ଯାହା ଫଳରେ ଅଗଷ୍ଟ ୩୧ରେ ଗଣେଶ ପୂଜା ଦିନ ଏହି ମୂର୍ତ୍ତି ମଣ୍ଡପରେ ପୂଜା ପାଇ ପାରିବେ। କରୋନା ସଂକ୍ରମଣ ଯୋଗୁଁ ଜାରି କରାଯାଇଥିବା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେବ କାରିଗରମାନେ ରୋଜଗାର ହରାଇଥିଲେ। ଚଳିତ ବର୍ଷ ମଣ୍ଡପରେ ପୂର୍ବଭଳି ସ୍ବାଭାବିକ ଭାବେ ଗଣେଶପୂଜା କରାଯିବ। ଏଭଳି ସ୍ଥିତିରେ କାରିଗରମାନେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ନିର୍ମାଣ ପାଇଁ କେତେକ କେତେକ କ୍ଲବ ଓ ଅନୁଷ୍ଠାନରୁ ଅଗ୍ରୀମ ମଧ୍ୟ ନେଇଛନ୍ତି। କିନ୍ତୁ ନିର୍ମାଣ କରାଯାଇଥିବା ଗଣେଶ ମୂର୍ତ୍ତି କାହାକୁ ବିକ୍ରି ନ କରିବାକୁ ପୁଲିସ କହୁଛି। କାରିଗରମାନଙ୍କ ମୌଳିକ ଅଧିକାରର ଏହା ଉଲ୍ଲଂଘନ ଓ ରୋଜଗାର ଉପରେ ଗୋଇଠା ସଦୃଶ। ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
ଅନ୍ୟପଟେ ଆଜି ମାମଲାର ରାୟ ପ୍ରକାଶ ପରେ ଡିସିପି ପିନାକ ମିଶ୍ର କହିଛନ୍ତି ଯେ ବିକୃତ ମୂର୍ତ୍ତି ସାଧାରଣ ଜନତାଙ୍କ ଭାବାବେଗକୁ ପ୍ରଭାବିତ କରୁଛି। ଏ ପ୍ରକାର ମୂର୍ତ୍ତି ପୂଜା କରିବାର ଯୋଜନା କେହି ଯଦି କରିଛନ୍ତି ତେବେ ଏଥିରୁ ନିବୃତ ରୁହନ୍ତୁ। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିଲେ ଉକ୍ତ ଅନୁଷ୍ଠାନ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି।