ଓଡ଼ିଶାରେ କୋଭିଡ୍‌ ଟିକା ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ରାଜ୍ୟରେ ସାଢ଼େ ୪ ଲକ୍ଷ ବୟସ୍କ ନେଇ ନାହାନ୍ତି ପ୍ରଥମ ଡୋଜ୍‌: କେନ୍ଦ୍ର, ରାଜ୍ୟର ଦାବି ୯୯% ନେଇ ସାରିଲେଣି ଟିକା

ଭୁବନେଶ୍ବର : ଓଡ଼ିଶାରେ ବୟସ୍କ ଲୋକଙ୍କ କୋଭିଡ୍‌ ଟିକାକରଣକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରାଜ୍ୟରେ ୯୯ ପ୍ରତିଶତ ବୟସ୍କ ଲୋକ ଟିକା ନେଇସାରିଥିବା ରାଜ୍ୟ ସରକାର ଦାବି କରୁଛନ୍ତି। ମୁଣ୍ଡ ଗଣନା ଅନୁସାରେ ରାଜ୍ୟରେ ଏହି ଲକ୍ଷ୍ୟ ହାସଲ କରିଥିବା କୁହାଯାଉଛି। କିନ୍ତୁ କେନ୍ଦ୍ର ସରକାରଙ୍କ ତଥ୍ୟ ଭିନ୍ନ ‌ଚିତ୍ର ଦେଖାଉଛି। ରାଜ୍ୟର ଏବେ ବି ସାଢ଼େ ୪ଲକ୍ଷ ବୟସ୍କ ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି ବୋଲି କେନ୍ଦ୍ର ତଥ୍ୟ ଦେଇଛି। କେନ୍ଦ୍ରର ତଥ୍ୟ ଓ ରାଜ୍ୟର ଦାବି ମଧ୍ୟରେ ତାଳମେଳ ନ ରହିବା ସ୍ବାସ୍ଥ୍ୟ ବି‌ଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଜ୍ୟରେ କରୋନା ଟିକାକରଣ ୬କୋଟି ଟପି ସାରିଛି। କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ୧୮ବର୍ଷରୁ ଅଧିକ ୩.୨୫ କୋଟି ଲୋକଙ୍କୁ ରାଜ୍ୟରେ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ତାଲିକା ଅନୁସାରେ ସାଢ଼େ ୬କୋଟି ଡୋଜ୍‌ର ଆବଶ୍ୟକତା ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଡା. ଭାରତୀ ପୱାର ସଂସଦରେ ରଖିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ଚଳିତମାସ ୮ତାରିଖ ସୁଦ୍ଧା ୪ଲକ୍ଷ ୭୩ହଜାର ୨୪୬ଜଣ ୬୦ବର୍ଷରୁ ଅଧିକ ବୟସ୍କ ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି। ସେହିପରି ୬ଲକ୍ଷ ୫୪ହଜାର ୭୯୬ ଜଣ ନିଜର ଦ୍ବିତୀୟ ଡୋଜ୍ ନେଇ ନାହାନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି ଓଡ଼ିଶାରେ ୧୦ଲକ୍ଷରୁ ଅଧିକ ଲୋକ ବିଭିନ୍ନ ରାଜ୍ୟରେ ରହୁଛନ୍ତି। ତେଣୁ ଏହି ଲୋକମାନେ ଓଡ଼ିଶାରେ ନୁହେଁ ବରଂ ନିଜ ରହୁଥିବା ସ୍ଥାନରେ ଟିକା ନେଇଥିବେ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ଏବେ ବି ୬୦ବର୍ଷରୁ ଅଧିକ ପ୍ରଥମ ଡୋଜ୍ ନେଉଛନ୍ତି।

ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ‌ଆରଜିଆଇର ତଥ୍ୟକୁ ଭିତ୍ତି କରି କେନ୍ଦ୍ର ସରକାର ଓଡ଼ିଶାରେ ୧୮ବର୍ଷରୁ ଅଧିକ ୩.୨୫କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟରେ ସଂଶୋଧନ କରିଥିଲେ। ଏବେ ରାଜ୍ୟ‌ରେ ୬କୋଟିରୁ ଅଧିକ ଲୋକ ଟିକା ନେଇ ସାରିଥିବା ବେଳେ ତାହା କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ଜନସଂଖ୍ୟାର ୯୫ ପ୍ରତିଶତ। ରାଜ୍ୟ ସରକାରଙ୍କ ହିସାବ ଅନୁସାରେ ୬୦ବର୍ଷରୁ ଅଧିକ ୪ଲକ୍ଷ ୫୬ହଜାର ୭୧୪ଜଣ ପ୍ରଥମ ଡୋଜ୍ ନେଇ ନାହାନ୍ତି। ମାତ୍ର ଲକ୍ଷାଧିକ ଲୋକ ରାଜ୍ୟ ବାହାରେ ରହୁଥିବାରୁ ଯଦି ଏହି ସଂଖ୍ୟାକୁ ହିସାବକୁ ନିଆଯାଏ ତାହାଲେ ତାହା ୯୯ ପ୍ରତିଶତ ହେବ। ବାହାରେ ରହୁଥିବା ଅନେକଙ୍କ ପିତାମାତା ମଧ୍ୟ ସେମାନଙ୍କ ସହିତ ରହିଥିବା ଅନୁମାନ କରାଯାଉଛି। ଏସବୁ ଦୃଷ୍ଟିରୁ ଜିଲ୍ଲାସ୍ତରରେ ହୋଇଥିବା ମୁଣ୍ଡ ଗଣନାରୁ ଏଭଳି ସୂଚନା ମିଳିଛି। ରାଜ୍ୟରେ ଟିକାକରଣ ସଂପର୍କିତ ସୂଚନା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର