କବାଟବନ୍ଧ: ଧର୍ମଶାଳା ବ୍ଲକ୍ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ତଳଗଡ଼ ଗ୍ରାମରେ ଏକ ଡ୍ରେନ୍କୁ ବନ୍ଦ କରାଯାଇଥିବାରୁ ବିବାଦ ସୃଷ୍ଟି ହୋଇଛି। ଗ୍ରାମର ଜନୈକ ବ୍ୟକ୍ତି ନିଜ ବ୍ୟକ୍ତିଗତ ଜାଗାରେ ଯାଇଥିବା କହି ଡ୍ରେନ୍କୁ ବନ୍ଦ କରିଦେଇଛନ୍ତି। ଫଳରେ ଡ୍ରେନ୍ର ପାଣି ଜମିରହି ଦୁର୍ଗନ୍ଧ ହେବା ସହ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏସମ୍ପର୍କରେ ଲୋକମାନେ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଜିଲ୍ଲାପାଳ ଧର୍ମଶାଳା ରାଜସ୍ବ ବିଭାଗକୁ ମାପଚୁପ ପାଇଁ ନିର୍ଦେଶ ଦେଇଛନ୍ତି। ହେଲେ ଏଯାଏ ସଂପୃକ୍ତ ଜାଗାର ମାପଚୁପ ହୋଇପାରୁ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବର୍ଜ୍ୟଜଳ ନିଷ୍କାସନ ପାଇଁ ଗ୍ରାମ ଉନ୍ନୟନ ରାସ୍ତା ଅତିକ୍ରମ କରି ଚାଷଜମି ଖାତା ନଂ-୭୫୫ ପ୍ଲଟ୍ ନଂ-୧୦୪୮ରେ ରାସ୍ତା ରହିଥିଲା। ହେଲେ ଗ୍ରାମର ଜନୈକ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜାଗାରେ ଡ୍ରେନ୍ ଯାଇଥିବା ଦାବି କରି କିଛିଦିନ ପୂର୍ବରୁ ଏହାକୁ ପଥର କାନ୍ଥ ଦେଇ ଅବରୋଧ କରିଛନ୍ତି।
ଫଳରେ ଡ୍ରେନ୍ରେ ନିଷ୍କାସିତ ହୋଇନପାରି ଦୂଷିତ ଜଳ ଅଟକି ରହିଛି। ପାଣି ଜମିବା ସ୍ଥାନରେ ଏକ ସରକାରୀ ନଳକୂଅ ରହିଛି। ଉକ୍ତ ନଳକୂଅର ଜଳ ପ୍ରଦୂଷିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଡ୍ରେନ୍ରେ ଜମିରହି ବର୍ଜ୍ୟପାଣି ଦୁର୍ଗନ୍ଧ ହେବା ସହ ମଶାମାଛି ବୃଦ୍ଧି ପାଉଛନ୍ତି। ଏସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଡ୍ରେନ୍ ଅବରୋଧ କରିଥିବା ବ୍ୟକ୍ତିଙ୍କ ପତ୍ନୀ ଗ୍ରାମବାସୀଙ୍କ ବିରୋଧରେ ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଗ୍ରାମର ବହୁଲୋକ ଥାନାରେ ପହଞ୍ଚିଥିଲେ। ଆସନ୍ତା ସୋମବାର ଏହାର ସମାଧାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/7.jpg)