ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ: ୧୦ ଘରର ଛାତ ପଡ଼ିଲା

ପୁରୀ : ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ ଓ ଦକ୍ଷିଣଦ୍ବାରରେ ଖନନ ଓ ନିର୍ମାଣ ଜାରି ରହିଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଦ୍ବାରରେ ନିର୍ମାଣାଧୀନ ୧୦ଟି ଘରର ଛାତ ପଡ଼ିଛି। ବାକି ଘରର ଛାତ ପଡ଼ିବା ପାଇଁ ପ୍ରସ୍ତୁତି ଚାଲିଛି। ସେପଟେ ଆଉ ଏକ ସତ୍ୟ ପଦାକୁ ଆସିଛି। ପ୍ରକଳ୍ପ ପାଇଁ ନିର୍ମାଣ କରିବାକୁ ଥିବା ଘରର ଯେଉଁ ସଂଖ୍ୟା ପ୍ରଶାସନ ଦେଖାଉଥିଲା, ତାହାଠାରୁ ଢ଼େର ଅଧିକ ସଂଖ୍ୟକ ଘର ନିର୍ମାଣ କରାଯାଉଛି। ଯେଉଁଠି ମାତ୍ର ଶୌଚାଳୟ, କ୍ଲୋକ୍‌ ରୁମ, ସେଲ୍‌ଟର ପାଭେଲିୟନ୍‌, ଇଲେକ୍ଟ୍ରିକାଲ୍‌ ରୁମ୍‌ ନିର୍ମାଣ ଚାଲିଥିବା ପ୍ରଶାସନ କହୁଥିଲା, ସେଠି ୧୦ଟି ଘରର ଛାତ ପଡ଼ିବା ଓ ଆହୁରି ଏକାଧିକ ଘରର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିବାକୁ ନେଇ ଭକ୍ତ, ଶ୍ରୀଜଗନ୍ନାଥପ୍ରେମୀ ସନ୍ଦେହ ପ୍ରକଟ କରିଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଏହା ପରବର୍ତ୍ତୀ ୨ଶହ ମିଟର ରେଗୁଲେଟେଡ୍‌ ଅଞ୍ଚଳ। ପଶ୍ଚିମ ଓ ଦକ୍ଷିଣ ଦ୍ବାରରେ ପ୍ରାୟ ୩୦ ଫୁଟର ଗର୍ତ୍ତ ସୃଷ୍ଟି ଫଳରେ ଏହା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇ ଆସୁଛି। ଆଜି ପ୍ରତ୍ନତତ୍ତ୍ବ ବିଭାଗ ବି ହାଇକୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ଏନେଇ ଆାଶଙ୍କା ବ୍ୟକ୍ତ କରିଛି। ଚତୁଃପାର୍ଶ୍ବ ଖନନ ଓ ମାଟି ଉଠାଣ ଶ୍ରୀମନ୍ଦିର ତଥା ପୁରାତନ କୀର୍ତ୍ତିରାଜି ପ୍ରତି ବିପଦ ସୃଷ୍ଟି କରିବା ସ୍ବାଭାବିକ ବୋଲି କହିସାରିଛି। ତଥାପି ଠିକା ସଂସ୍ଥା ନିର୍ମାଣ ଜାରି ରଖିଛି।

ଇତିମଧ୍ୟରେ ଠିକା ସଂସ୍ଥା ପଶ୍ଚିମଦ୍ବାରରେ ୭ଟି ଘର ନିର୍ମାଣ ପରେ ଏହାର ଛାତ ପକାଇଛି। ପଶ୍ଚିମଦ୍ବାର ବାମପାର୍ଶ୍ବରେ ଯେଉଁଠି ସେଲ୍‌ଟର ପାଭେଲିୟନ୍‌, ଇନ୍‌ଫର୍ମେସନ୍‌ କିଓସ୍କ, ଶୌଚାଳୟ ନିର୍ମାଣ କଥା କୁହାଯାଉଥିଲା, ସେଠି ୪ଟି ଘର ଓ ଡାହାଣ ପାର୍ଶ୍ବରେ ଯେଉଁଠି ଇଲେକ୍ଟ୍ରିକାଲ୍‌ ଗୃହ ନିର୍ମାଣ କରାଯାଉଛି ବୋଲି କୁହାଯାଉଥିଲା, ସେଠି ୩ଟି ଘରର ଛାତ ପଡ଼ିଛି। ସେପଟେ ଦକ୍ଷିଣଦ୍ବାରରେ ଡାହାଣ ପାର୍ଶ୍ବକୁ ୩ଟି ଘର ଓ ବାମପାର୍ଶ୍ବକୁ ଗୋଟିଏ ଘରର ଛାତ ପଡ଼ିଛି। ବାକି ଦକ୍ଷିଣପାର୍ଶ୍ବ ଓ ପଶ୍ଚିମପାର୍ଶ୍ବରେ ନିର୍ମାଣାଧୀନ ଏକାଧିକ ଘରର ଛାତ ପକାଇବାକୁ ପଟା ସେଟିଂ ଚାଲିଛି। ଉତ୍ତରଦ୍ବାର ଖନନ ବି ଜାରି ରହିଛି। ନିର୍ମାଣସ୍ଥଳରେ ଉପସ୍ଥିତ ଠିକା ସଂସ୍ଥାର ଯନ୍ତ୍ରୀମାନଙ୍କୁ ପଚାରିବାରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କାମ ହେଉଥିବା କହି ନିଜ ଦୋଷ ଖସାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର