ଶ୍ରୀମନ୍ଦିର ଚାରିପଟ ଖନନ ଓ ନିର୍ମାଣ ବିବାଦ: ରହିତାଦେଶ ଦେଲେନି ହାଇକୋର୍ଟ

ସତ୍ୟପାଠ ସହିତ ଯୁଗ୍ମ ଅନୁଧ୍ୟାନ ରିପୋର୍ଟ ଦାଖଲ କଲା ଏଏସ୍‌ଆଇ
ଅନୁମତି ଦିଆଯାଇନି; ଖନନରେ ପ୍ରତ୍ନତାତ୍ତ୍ବିକ ଅବଶେଷ ନଷ୍ଟ ହେବା ଆଶଙ୍କା
ହାଇକୋର୍ଟ ଅସନ୍ତୁଷ୍ଟ; ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ଏଏସ୍‌ଆଇ ଯୁଗ୍ମ ଅନୁଧ୍ୟାନ ରିପୋର୍ଟ ଦାଖଲ କଲେ। କୋର୍ଟରେ ସମସ୍ତ ପକ୍ଷଭୁକ୍ତ ନିଜ ନିଜ ସପକ୍ଷରେ ପ୍ରଚଣ୍ଡ ଯୁକ୍ତି ଉପସ୍ଥାପନ କଲେ। କିନ୍ତୁ ରିପୋର୍ଟ ଏବଂ ତଥ୍ୟରେ ଅମେଳ କୋର୍ଟଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ଲାଗି ଏଏସ୍‌ଆଇ ଓ ଆବେଦନକାରୀଙ୍କ ଓକିଲ ବାରମ୍ବାର ଦାବି କରିଥିଲେ ହେଁ ପରିକ୍ରମା ପ୍ରକଳ୍ପ ନିର୍ମାଣ ଉପରେ କୋର୍ଟ କୌଣସି ରହିତାଦେଶ ଦେବାକୁ ମନା କରିଦେଇଛନ୍ତି। ଫଳରେ ପରିକ୍ରମାପ୍ରକଳ୍ପ ନିର୍ମାଣକୁ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ବର୍ତ୍ତମାନ ପାଇଁ ସାମୟିକ ଭାବେ ଟଳିଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପସ୍ଥଳୀରେ ନିର୍ମାଣ କାର୍ଯ୍ୟ ଜାରି ରହିବ।

ତେବେ ଏ ଭିତରୁ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏହି ପ୍ରସଙ୍ଗରେ ମୁହଁ ଲୁଚାଇ ବୁଲୁଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଯେଉଁ ଯୁଗ୍ମ ଅନୁଧ୍ୟାନ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିଛନ୍ତି, ସେଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀମନ୍ଦିର ଚାରି ପଟେ ଖନନ ଓ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅନୁମତି ମିଳିନାହିଁ। ଏଥିପାଇଁ ଏନ୍‌ଓସି ମଧ୍ୟ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ ଜାରି କରାଯାଇ ନାହିଁ। ଏଏସ୍‌ଆଇ ଏହି ରିପୋର୍ଟରେ ଆହୁରି ଆଶଙ୍କା ବ୍ୟକ୍ତ କରିଛି ଯେ ନିର୍ମାଣକାରୀ ସଂସ୍ଥା ଖନନ ଓ ମାଟି ଅପସାରଣ କରିବା ବେଳେ ଐତିହ୍ୟ ସ୍ଥଳର ପ୍ରତ୍ନତାତ୍ତ୍ବିକ ଅବଶେଷ ନଷ୍ଟ ହୋଇଥାଇପାରେ। ହେଲେ କଣ ନଷ୍ଟ ହୋଇଥିବ, କେତେ ପରିମାଣର ନଷ୍ଟ ହୋଇଥାଇପାରେ ଏ ନେଇ କୌଣସି ସ୍ପଷ୍ଟ ଚିତ୍ର ଏଏସ୍‌ଆଇ ରଖିପାରିନାହିଁ। ଏଥିସହିତ ଏଏସଆଇର ସତ୍ୟପାଠ ଉପରେ ଜୁନ୍ ୨୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ଜୁନ୍ ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।

The New Indian Express

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଳୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରିଥିଲେ। ଏହି ଶୁଣାଣି ଉପରେ ଆଜି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଠାରୁ ଆରମ୍ଭ କରି ରାଜ୍ୟବାସୀଙ୍କର ନଜର ରହିଥିଲା। କିନ୍ତୁ ଶୁଣାଣି ବେଳେ ଏଏସଆଇର ରିପୋର୍ଟ ଓ ଯୁକ୍ତି ମଧ୍ୟରେ ତାଳମେଳ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କୋର୍ଟ ମଧ୍ୟ ଏଥିରେ ଅସନ୍ତୋଷ ଝାଡ଼ିଥିଲେ।

ଉଲ୍ଲେଖଥାଉକି, ଏଏସ୍‌ଆଇ ସତ୍ୟପାଠ ସହିତ ଦାଖଲ କରିଥିବା ଯୁଗ୍ମ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଇଛନ୍ତି ଯେ ମେ’ ୧ରେ ଏଏସଆଇ ସୁପରି‌ନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଓ ଅନ୍ୟ ଅଧିକାରୀମାନେ ପୁରୀ ଜିଲ୍ଲାପାଳ ତଥା ଶ୍ରୀଜଗନ୍ନାଥ ମନ୍ଦିର ଉପମୁଖ୍ୟ ପ୍ରଶାସକ, ଓଡ଼ିଶା ବ୍ରିଜ କନଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିସି) ଏମଡିଙ୍କ ସହିତ ନିର୍ମାଣସ୍ଥଳ ଅନୁଧ୍ୟାନ କରିଥିଲେ। ପରିକ୍ରମା ପ୍ରକଳ୍ପ ପାଇଁ ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳ (ପ୍ରୋହିବିଟେଡ୍ ଆଣ୍ଡ ରେଗୁଲେଟେଡ୍ ଏରିଆ)ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ସେମାନେ ଦେଖିଛନ୍ତି। ଆଲୋଚନା ବେଳେ ଓବିସିସି ଏମ୍‌ଡି ଅବଗତ କରିଥିଲେ ଯେ ଏନ୍‌ଏମ୍‌ଏ ବା ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ କୌଣସି ଅନୁମତି ବା ଅନୁମୋଦନ ଏହି ପ୍ରକଳ୍ପ ପାଇଁ ଉପଲବ୍ଧ ନାହିଁ। ପ୍ରକଳ୍ପ ଡିଜାଇନରେ ପରିବର୍ତ୍ତନ କରାଯାଇଛି ଓ ଏ ନେଇ ଏନ୍‌ଏମ୍‌ଏକୁ ଅବଗତ କରାଯାଇଛି।

ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ସଂଶୋଧିତ ପ୍ରସ୍ତାବରେ ବିଭିନ୍ନ ଢାଞ୍ଚାର ଉଚ୍ଚତା ବୃଦ୍ଧି କରାଯାଇଛି ଓ ନୂଆ ୟୁନିଟ ସଂଯୋଗ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଭାବ ଆକଳନ ପାଇଁ କୌଣସି ହେରିଟେଜ୍ ଇମ୍ପାକ୍ଟ ଆସେସମେଣ୍ଟ ଷ୍ଟଡି ବା ଅନୁଧ୍ୟାନ କରାଯାଇ ନାହିଁ। ୭୫ ମିଟର ପରିଧି ଅଞ୍ଚଳର ମାଟି ତଳେ ରହିଥିବା ପ୍ରତ୍ନତ୍ତାତ୍ବିକ ଓ ଐତିହାସିକ ଗୁରୁତ୍ବ ରଖୁଥିବା ଅବଶେଷ ପ୍ରସଂଗରେ ଜାଣିବା ପାଇଁ କୌଣସି ସର୍ଭେ (ଜିପିଆରଏସ) କରାଯାଇ ନାହିଁ। ରିପୋର୍ଟର ଉପସଂହାରରେ ଉଲ୍ଲେଖ କରାଯାଇଛି ଯେ ଯୁଗ୍ମ ଅନୁଧ୍ୟାନ ତଥା ନିର୍ମାଣସ୍ଥଳରେ ଓବିସିସି ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିକାରୀଙ୍କ ସହିତ ଆଲୋଚନା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ଲାଗି କୌଣସି ବୈଧ ଅନୁମତି/ଏନଓସି ପ୍ରାଧିକୃତ କର୍ତ୍ତପକ୍ଷ ଦେଇ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି। ଏନଏମଏ ନିକଟରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଠାରୁ ସଂଶୋଧିତ ପ୍ରକଳ୍ପର ଡ୍ରଇଂ ଓ ଡିଜାଇନ ଭିନ୍ନ। ଏହି ପ୍ରସଂଗରେ ବାରମ୍ବାର ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।

ରିପୋର୍ଟ ସହିତ ଏଏସ୍‌ଆଇ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଆନସିଆଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ର ଧାରା ୨୦-କ ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ଶହେ ମିଟର ଭିତର ଅଞ୍ଚଳ ନିଷିଦ୍ଧାଞ୍ଚଳ (ପ୍ରୋହିବିଟେଡ ଏରିଆ)। ଏହି ଅଞ୍ଚଳ ଭିତରେ କୌଣସି ପ୍ରକାର ନିର୍ମାଣ ଉପରେ ଅଙ୍କୁଶ ରହିଛି। କେବଳ ଏଏସଆଇ ଅଧିକାରୀଙ୍କୁ ଏଥି ପାଇଁ ଅନୁମତି ଦିଆଯାଇ ପାରିବ। ନିଷିଦ୍ଧାଞ୍ଚଳର ବାହାରେ ଦୁଇ ଶହ ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ ଅଞ୍ଚଳ (ରେଗୁଲେଟେଡ୍ ଏରିଆ) ରହିବ। ଏହି ଅଞ୍ଚଳରେ ଏନଏମଏ/ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ନିର୍ମାଣ କରାଯାଇ ପାରିବ। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରାଯାଉଛି ଓ ଆଉ କେତେକ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଟଏଲେଟ, ଡ୍ରେନ, ଇଲେକ୍ଟ୍ରିକାଲ କାର୍ଯ୍ୟ ଇତ୍ୟାଦି ‘ନିର୍ମାଣ’ ସଂଜ୍ଞା ଭିତରେ ଆସୁ ନାହିଁ। ତେଣୁ ଏହି ସବୁ କାମ ନିଷିଦ୍ଧାଞ୍ଚଳରେ ମଧ୍ୟ ହୋଇ ପାରିବ। ଅନ୍ୟପକ୍ଷରେ ରିସେପସନ୍ ସେଣ୍ଟର ନିର୍ମାଣ ସଂଜ୍ଞା ଭିତରେ ଆସୁଛି, ଯାହା କି ନିଷିଦ୍ଧାଞ୍ଚଳରେ ଅନୁମତି ଦିଆଯାଇ ପାରିବ ନାହିଁ।

ଏହାକୁ ନେଇ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ତରଫରୁ ୨୦୧୯ରେ ସୁପ୍ରିମ‌କୋର୍ଟ ମୃଣାଳିନୀ ପାଢୀ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଭକ୍ତଙ୍କ ପାଇଁ ମୌଳିକ ସୁବିଧା ଓ ଅନ୍ୟାନ୍ୟ ପ୍ରସଂଗରେ ବିସ୍ତୃତ ଭାବେ ଏଠାରେ ଉଲ୍ଲେଖ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସୁବିଧା ଓ ଅନ୍ୟାନ୍ୟ ବହୁ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ସବୁ ସୁପ୍ରିମକୋର୍ଟ ପ୍ରଦାନ କରିଥିଲେ। ଏଏସଆଇ ସହଯୋଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସୁପ୍ରିମକୋର୍ଟ କହିଥିଲେ। ଏହି ପ୍ରକଳ୍ପ ପାଇଁ ୨୦୨୧ ସେପ୍ଟେମ୍ବର ୪ରେ ଏନଏମଏ ଅନୁମତି ଦେଇଥିଲା। ଏଏସଆଇ ସହଯୋଗରେ ରାଜ୍ୟ ସରକାର ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ପଦକ୍ଷେପ ନେଉଛନ୍ତି। ରିସେପସନ୍ ସେଣ୍ଟର ଇତିମଧ୍ୟରେ ନିଷିଦ୍ଧାଞ୍ଚଳର ବାହାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ ଏଏସଆଇ ସତ୍ୟପାଠ ଉପରେ ଜବାବ ରଖିବାକୁ ସୁଯୋଗ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

ଦାୟର ଆବେଦନରେ ଦର୍ଶାଯାଇଛି ଯେ ୨୦୧୯ରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଏହି ପ୍ରକଳ୍ପର ଅଂଶ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଏପରି ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଛି। ଶ୍ରୀଜଗନ୍ନାଥ ମନ୍ଦିରର ୫୦ରୁ ୭୫ ମିଟର ଦୂରତା ଭିତରେ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି। ୧୦୦ ମିଟର ଭିତରେ କୌଣସି ପ୍ରକାର ନିର୍ମାଣ ଉପରେ ଅଙ୍କୁଶ ରହିଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ବୁନ୍ଦୁସାର ସୁବୁଦ୍ଧି ମାମଲା ପରିଚାଳନା କରୁଛନ୍ତି।

ଜାରି ରହିବ କାମ, ଶୀଘ୍ର ଶେଷ ହେବ

ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଆଜି ହାଇକୋର୍ଟଙ୍କ ଆଭିମୁଖ୍ୟ ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରିଛନ୍ତି। ସରକାରଙ୍କ ତରଫରୁ କୁହାଯାଇଛି ଯେ, ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୂର୍ବଭଳି ଜାରି ରହିବ। ଏଏସଆଇ ସତ୍ୟପାଠ ଦାଖଲ କରିସାରିବା ପରେ ଆଜି ଶୁଣାଣି ହୋଇଥିଲା ଓକାମ ବନ୍ଦ କରିବାକୁ ହାଇକୋର୍ଟ କେଉଁଠାରେ ବି କହିନାହାନ୍ତି। ତେଣୁ ତ୍ୱରାନ୍ୱିତ ବେଗରେ ଏବେ କାମ କରାଯିବା ସହିତ ପ୍ରକଳ୍ପ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ରାଜ୍ୟ ସରକାର ଏହି ଅବସରରେ ସୁପ୍ରିମକୋର୍ଟଙ୍କ ୨୦୧୯ ମସିହାର ନିର୍ଦେଶ ସଂପର୍କରେ ସ୍ମରଣ କରାଇଛନ୍ତି ଓ ଏ ସଂପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି। ସରକାର ଆହୁରି କହିଛନ୍ତି ଯେ ନ୍ୟାସନାଲ ମୁନ୍ୟମେଣ୍ଟ ଅଥରିଟିର ଏନଓସି ରହିଛି। ଏଏସ୍‌ଆଇ ଡିଜି ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଓଡ଼ିଶା ସରକାର ଏଏସଆଇ ସହ ମିଶି କାମ କରିବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି।ଯେହେତୁ ଆଗକୁ ରଥଯାତ୍ରା ଆସୁଛି ଓ ମୌସୁମୀ ଋତୁ ଆରମ୍ଭ ହୋଇଯିବ ଏଣୁ ଏହା ପୂର୍ବରୁ ପ୍ରକଳ୍ପ କାମ ସାରିବା ଲାଗି ଚେଷ୍ଟା କରାଯିବ।

ସମ୍ବନ୍ଧିତ ଖବର