ପ୍ରଥମ ଚିଠିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ: ରେଗୁଲେଟେଡ୍‌ ଅଞ୍ଚଳରେ ନିର୍ମାଣ ପାଇଁ ମଗାଯାଇଥିଲା ଅନୁମତି

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଖନନ ଓ ନିର୍ମାଣକୁ ରାଜ୍ୟବ୍ୟାପୀ ତୀବ୍ର ବିରୋଧ ଚାଲିଥିଲେ ବି ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା ଏବେ ବି ଖନନ ଓ ନିର୍ମାଣ ଜାରି ରଖିଛନ୍ତି। ଏହା ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁମତି ନେଇ ଜିଲ୍ଲା ପ୍ରଶାସନ ଆରମ୍ଭରୁ ଯେଉଁ ଏନ୍‌ଓସି (ନୋ ଅବ୍‌ଜେକ୍ସନ୍‌ ପ୍ରମାଣପତ୍ର) ଦେଖାଇ ଆସୁଛି, ସେଥିରେ ରେ‌ଗୁଲେଟେଡ୍‌ ଅଞ୍ଚଳରେ ସବୁକିଛି ନିର୍ମାଣ କରାଯିବ ବୋଲି କୁହାଯାଇଥିଲା। ଯଥାସମ୍ଭବ ‘ନିଷିଦ୍ଧାଞ୍ଚଳ’ ଶବ୍ଦକୁ ଚିଠିରୁ ଦୂରେଇ ରଖାଯାଇଥିଲା। ଯାହା ଏବେ ସଂସ୍କୃତି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଆଣିଛି।

‘ନିଷିଦ୍ଧାଞ୍ଚଳ’ ଶବ୍ଦରୁ ଦୂରେଇ ରହିଥିଲା ସଂସ୍କୃତି ବିଭାଗ

ମିଳିଥିବା ତଥ୍ୟ ଅନୁସାରେ, ୨୦୨୧ ଜୁଲାଇ ୧୫ରେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଆର୍‌. କେ. ଦାସ ଏନ୍‌ଏମ୍‌ଏ (ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ) ସଦସ୍ୟ ସଚିବଙ୍କୁ ଏକ ଚିଠି (ନଂ-ସିଏ/୨୫/୨୦୨୧/୩୯୪୮) କରିଥିଲେ। ଯେଉଁଥିରେ ସେ ଶ୍ରୀମନ୍ଦିର ପ୍ରଶାସନର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ଅନୁମତି ପାଇଁ ଆବେଦନ କରିଥିଲେ। ଶ୍ରୀ ଦାସ ୨୦୨୧ ଜୁନ୍‌ ୧୧ ତାରିଖର ଏକ ଚିଠି (୩/୫୭/୧୮-ଏମ-୫୯୩) ସଂପର୍କରେ ଉଲ୍ଲେଖ କରି କହିଥିଲେ ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ଯେଉଁ ପରିକ୍ରମା ପ୍ରକଳ୍ପ କରାଯାଇଛି, ତା’ର ଅନୁଧ୍ୟାନ ରିପୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା।

ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର କୋଣାର୍କ ମ୍ୟୁଜିୟମ ସହକାରୀ ଅଧୀକ୍ଷଣଙ୍କ ପରାମର୍ଶ ଆଧାରରେ ଗଠିତ କମିଟି ଏହି ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଥିଲା। ରାଜ୍ୟ ସଂସ୍କୃତି ବିଭାଗ ଏହି ଅନୁଧ୍ୟାନ ରିପୋର୍ଟର ବିସ୍ତୃତ ସମୀକ୍ଷା କରିଛି। ଏହାକୁ ଆଧାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅନୁମତି ମଗାଯାଉଛି। ଏହି ପ୍ରକଳ୍ପ ରେଗୁଲେଟେଡ୍‌ ଅଞ୍ଚଳରେ ଆସୁଛି। ଏଥି ସହ କିଛି ଅଞ୍ଚଳ ମରାମତି ଓ ପୁନରୁଦ୍ଧାର ପର୍ଯ୍ୟାୟଭୁକ୍ତ ଅଞ୍ଚଳରେ ଆସୁଛି। ଯାହା ଆମ୍‌ସାର ଆଇନ-୧୯୫୮ ଓ ଏହାର ସଂଶୋଧିତ ଆଇନ-୨୦୧୦ ଅଧୀନସ୍ଥ ଅଛି। ଏଣୁ ଶ୍ରୀ ଦାସ ଏହି ଚିଠି ଜରିଆରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଏନ୍‌ଏମ୍‌ଏଠାରୁ ଏନ୍‌ଓସି ମାଗିଥିଲେ, ଯାହାର ନକଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (ଚିଠି ନଂ-୩୯୪୯), ପୁରୀ ଜିଲ୍ଲାପାଳ (ଚିଠି ନଂ-୩୯୫୦) ଓ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ (ଚିଠି ନଂ-୩୯୫୧)ଙ୍କୁ ପ୍ରଦାନ କରାଯାଇଥିଲା।

ଶ୍ରୀ ଦାସ ଅତି ଚତୁରତାର ସହ ଚିଠିରେ କୌଣସି ସ୍ଥାନରେ ୭୫ ମିଟର ଭିତରେ କରାଯାଉଥିବା ଏହି ପରିକ୍ରମା ପ୍ରକଳ୍ପ କାମ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଆସୁଛି ବୋଲି ଉଲ୍ଲେଖ କରିନଥିଲେ। ଯାହାର ପ୍ରତ୍ୟୁତ୍ତରରେ ୨୦୨୧ ସେପ୍ଟେମ୍ବର ୯ ତାରିଖରେ ଏନ୍‌ଏମ୍‌ଏ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଦ୍ବନ୍ଦ୍ବାତ୍ମକ ଏନ୍‌ଓସି ପ୍ରଦାନ କରିଥିଲା। କିନ୍ତୁ ପରିକ୍ରମା ପ୍ରକଳ୍ପ କାମ କରିବାର ଅନୁମତି ଦେବାକୁ ଯେହେତୁ ଏନ୍‌ଏମ୍‌ଏ ପ୍ରାଧିକୃତ କର୍ତ୍ତୃପକ୍ଷ ନୁହନ୍ତି, ସେହି ଦୃଷ୍ଟିରୁ କେବଳ ଏନ୍‌ଓସି ଦେଇ ଚୁପ୍‌ ବସି ପଡ଼ିଥିଲା। ଯେଉଁ ଚିଠିରେ କ୍ଲକ୍‌ ରୁମ୍‌, ମିନି କ୍ଲକ୍‌ ରୁମ୍‌, ସେଲ୍‌ଟର ପାଭିଲିୟନ୍, ‌ଶୌଚାଳୟ, ଇଲେକ୍ଟ୍ରିକାଲ୍‌ ଘର କରିବାକୁ ଏନ୍‌ଓସି ପ୍ରଦାନ କରାଯାଇଥିଲା। କିନ୍ତୁ ବାକି ପ୍ରକଳ୍ପର ପୁନଃ ଅନୁଧ୍ୟାନ ସହ ସ୍ଥାନାନ୍ତର ପାଇଁ ଏନ୍‌ଓସିରେ କୁହାଯାଇଥିଲା। ଯେଉଁ ଏନ୍‌ଓସିକୁ ଏବେ ପ୍ରଶାସନ ଅନୁମତିପତ୍ର ବୋଲି ବାରମ୍ବାର କହି ଆସୁଛି। ଜନୈକ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କ ମତରେ ଏହି କାମ ପାଇଁ କେବଳ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ହିଁ ଅନୁମତିପତ୍ର ଦେଇପାରିବେ। ଏଭଳି ସ୍ଥଳେ ଆଜି ପର୍ଯ୍ୟନ୍ତ ପ୍ରତ୍ନତତ୍ତ୍ବ ବିଭାଗ ବି କୌଣସି ଅନୁମତି ଦେଇନି ବୋଲି ସେ କହିଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କ ଏହି କଥା ବି କିଛିଦିନ ତଳର ସୂଚନା ଅଧିକାର ତଥ୍ୟ ପ୍ରମାଣିତ କରି ସାରିଛି। ଏହା ସତ୍ତ୍ବେ ନିର୍ମାଣ ଓ ଖନନ ଜାରି ରହିବା କେବଳ ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦେଇଛି, ଭକ୍ତଙ୍କ ଭାବାବେଗକୁ କୁଠାରାଘାତ କରୁଛି ବୋଲି ସାଂଘାତିକ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର