ରାୟଗଡ଼ା/ଭୁବନେଶ୍ବର : ଭାରତ ଭ୍ରମଣରେ ଆସି ରାୟଗଡ଼ାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦୁଇ ରୁଷ ପର୍ଯ୍ୟଟକଙ୍କ ଅନ୍ତିମ ସଂସ୍କାରକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି। ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟ ଧର୍ମାବଲମ୍ବୀ। ସେମାନଙ୍କ ଶବ ପୋତାଯିବା କଥା। ହେଲେ ପୁଲିସ କିପରି ସେମାନଙ୍କ ମୃତଦେହ ନ ପୋତି ପୋଡ଼ିଦେଲା, ତାକୁ ନେଇ ପ୍ରଶ୍ନ ଉଠିଲାଣି। କେବଳ ସେତିକି ନୁହେଁ, ମୃତଦେହ ପୋଡ଼‌ିଦେବା ପାଇଁ ରୁଷ୍‌ ଦୂତାବାସ ନା ମୃତକଙ୍କ ସଂପର୍କୀୟ ଅନୁମତି ଦେଇଥିଲେ? ସେ ନେଇ ପୁଲିସ ମୁହଁ ଖୋଲୁନାହିଁ। ମାଜି‌ଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ରାୟଗଡ଼ା ତହସିଲଦାର ମଧ୍ୟ ତାଙ୍କ ନିକଟରେ ଏ ସଂପର୍କିତ କୌଣସି କାଗଜପତ୍ର କିମ୍ବା ସୂଚନା ନଥିବା କହିଛନ୍ତି। ଫଳରେ ମାମଲାର ତଦନ୍ତ ନେଇ ସନ୍ଦେହ ସୃଷ୍ଟି ହେଲାଣି।

Advertisment

ଗତ ୨୪ ତାରିଖରେ ରୁଷ୍‌ ପର୍ଯ୍ୟଟକ ତଥା ଭ୍ଲାଦିମିର କ୍ଷେତ୍ର ସାଂସଦ ପାୱେଲ୍ ଆନ୍ଥେଭଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ତାରିଖ (ସୋମବାର) ଅପରାହ୍ନ ସୁଦ୍ଧା ଆନ୍ଥେଭଙ୍କ ଶେଷକୃତ୍ୟ ନେଇ ରୁଷ୍‌ ଦୂତାବାସ କୌଣସି ସୂଚନା ପ୍ରଦାନ କରିନଥିଲା। ହେଲେ ହଠାତ୍ ସୋମବାର ଅପରାହ୍ନ ୪ଟାରେ ରାୟଗଡ଼ା ପୁଲିସ ଆନ୍ଥେଭଙ୍କ ମୃତଦେହକୁ ସଂରକ୍ଷଣ ଗୃହରୁ ବାହାରୁ କରି ବ୍ୟବଚ୍ଛେଦ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଏହାପରେ ସଂଧ୍ୟା ୭ଟାରେ ଆନ୍ଥେଭଙ୍କ ମୃତଦେହକୁ ସିରିଗୁଡ଼ା ଶ୍ମଶାନରେ ଦାହ କରାଯାଇଥିଲା। ଶେଷକୃତ୍ୟ ସମୟରେ ମାଜି‌ଷ୍ଟ୍ରେଟ୍ ଦାୟିତ୍ବରେ ରାୟଗଡ଼ା ତହସିଲଦାର ତାପସ ରାଉତ ଏବଂ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।

ଖ୍ରୀଷ୍ଟ ଧର୍ମାବଲମ୍ବୀ ପର୍ଯ୍ୟଟକଙ୍କ ଶବ ନ ପୋତି କିମ୍ବା ତଦନ୍ତ ପାଇଁ ଅନ୍ୟ କୌଣସି ସୁପାରିସ କରିବା ବଦଳରେ ପୁଲିସ କାହା ଚାପରେ ତରବରିଆ ଭାବେ ମୃତଦେହକୁ ପୋଡ଼ିଦେଲା, ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ବିଶେଷକରି ରୁଷ୍‌ ଦୂତାବାସର ନିର୍ଦ୍ଦେଶରେ ଶେଷକୃତ୍ୟ କରାଯାଇଥିବା ପୁଲିସ କହୁଥିବା ବେଳେ କେଉଁଥିପାଇଁ ଆନ୍ଥେଭଙ୍କ ମୃତଦେହ ପୋଡ଼ିଦେଲେ, ସେ ସମ୍ପର୍କରେ କେହି ମୁହଁ ଖୋଲୁନାହାନ୍ତି। ଆ‌‌ନ୍ଥେଭଙ୍କ ପୂର୍ବରୁ ମୃତ୍ୟୁବରଣ କରିଥିବା ବନ୍ଧୁ ବ୍ଲାଦ୍‌ମିର୍ ବିଦାନୋଭାଙ୍କ ଶେଷକୃତ୍ୟ ତାଙ୍କ ପରିବାର ଲୋକଙ୍କ ଅନୁମତିରେ କରାଯାଇଥିବା ଜଣାପଡ଼ିଛି। ତେବେ ପରିବାର ଲୋକେ ପୋଡ଼ିବାକୁ ଅନୁମତି ଦେଇଛନ୍ତି କି ପୋତିବାକୁ ଦେଇଛନ୍ତି, ସେସମ୍ପର୍କରେ ବି ଆଦୌ ମୁହଁ ଖୋଲୁନି ପୁଲିସ।

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ାରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଦିନତମାମ ରାୟଗଡ଼ା ପୁଲିସ ପକ୍ଷରୁ ହୋଟେଲ୍ ସମେତ ଶ୍ମଶାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।