ଝାରସୁଗୁଡ଼ା: ପାର୍ବଣର ଅବ୍ୟବହିତ ପୂର୍ବରୁ ଅଶାନ୍ତ ହେଲାଣି ଝାରସୁଗୁଡ଼ା ସହର। ଗଣେଶ ପୂଜା ଭସାଣିକୁ କେନ୍ଦ୍ର କରି ଶନିବାର ବିଳମ୍ବିତ ରାତିରେ ରେଲୱେ କଲୋନିର ଦଶରଥ ସୋନାଙ୍କ ସରକାରୀ କ୍ବାର୍ଟର୍ସ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଘର କବାଟ, କାନ୍ଥ, କୁଲର ଆଦି କଣା ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି। ସୋହନ ସୋନାଙ୍କ ଏତଲାକ୍ରମେ ଜିଆର୍ପି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ଏସ୍ପି ଜିଆର୍ ରାଘବେନ୍ଦ୍ର, ଏସ୍ଡିପିଓ ଉମାଶଙ୍କର ସିଂହ, ଜିଆର୍ପି ଡିଏସ୍ପି ଡିଆର୍ ଦାସଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ୬ଟି ଖୋକା ଜବତ କରିଛି।
ପୁଲିସ ସୂଚନାନୁସାରେ, ଶନିବାର ରେଲୱେ କଲୋନି ଶୀତଳା ମଠର ଗଣେଶ ମେଢ଼ ଭସାଣି ଥିଲା। କମିଟି ସଦସ୍ୟ ବିସର୍ଜନ ସାରି ଫେରିବା ବେଳକୁ ସୋହନ ସୋନାଙ୍କ ସହିତ ଡବଲିଂ କଲୋନିର କିଛି ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ କମିଟି ସଦସ୍ୟ ୱେୟାରଲେସ୍ ଗ୍ରାଉଣ୍ଡକୁ ଆସିଥିବାବେଳେ ସେଠାରେ ଅପରଗୋଷ୍ଠୀ ପହଞ୍ଚିବାରୁ ମାଡ଼ପିଟ ଆରମ୍ଭ ହୋଇଥିଲା। ତେବେ କିଛି ସମୟ ପରେ ସ୍ଥିତି ଥଣ୍ଡା ପଡ଼ି ଯିଏ ଯାହା ଘରକୁ ଯାଇଥିଲେ। ପରେ ସୋହନ କମିଟି ସଦସ୍ୟଙ୍କ ସହ ପୂଜାର ହିସାବକିତାବ କରିବାକୁ ପେଣ୍ଡାଲ ନିକଟକୁ ଚାଲି ଯାଇଥିଲେ। ରାତି ପ୍ରାୟ ଅଢ଼େଇଟା ବେଳେ କିଛି ଯୁବକ କାର ଓ ବାଇକରେ ସୋହନଙ୍କ ଘର ଆଗରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କୁ ଡାକିଥିଲେ। କିନ୍ତୁ ସେ ସମୟରେ ସୋହନଙ୍କ ମା’ କେବଳ ଘରେ ଥିବା ଦେଖି ଦୁର୍ବୃତ୍ତମାନେ ପ୍ରଥମେ କାନ୍ଥକୁ ଗୁଳି ମାରିଥିଲେ। ଏହା ପରେ ଗ୍ରିଲ୍ ଭିତରେ ପିସ୍ତଲ ପୂରାଇ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ। ସୋହନଙ୍କ ମା’ ଖଟରୁ ଉଠିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ନେଇ ଅଭିଯୋଗ ପରେ ଜିଆର୍ପି ପୁଲିସ ଅର୍ଜୁନ ସାହୁ, ମୁନୁ ପାଣ୍ଡେ ଓ ତା’ର ଭାଇ, ମିଥିଳେଶ ଯାଦବ, ଅମନ ତିୱାରୀଙ୍କ ନାଁ’ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିଆର୍ପି ପକ୍ଷରୁ ଗଠିତ ୨ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/08/shfhsfhxb-2025-09-08-01-34-25.jpg)