ଘରର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୬ମାସରେ ୬୮ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଆଇଏଏସ୍‌ ଅଧିକାରୀ: ମଶାରୀ ପାଇଁ ୪ ଲକ୍ଷ, ଭଙ୍ଗା ପାଚେରୀର ମରାମତି ପାଇଁ ଖର୍ଚ୍ଚ ହୋଇଛି ୮ ଲକ୍ଷ

ସୁନ୍ଦରଗଡ଼ : ସରକାର କା ମାଲ୍‌ ଦରିଆ ମେଁ ଡାଲ୍‌ ! ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାରେ। ଜଣେ  ବରିଷ୍ଠ ସରକାରୀ ଅଧିକାରୀ ସରକାରୀ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଥିବା ଜଣାପଡ଼ିଛି । ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ସୂଚନା ଅନୁସାରେ, ବର୍ତ୍ତମାନର ସୁନ୍ଦରଗଡ ଜିଲ୍ଲାପାଳ ଥିବା ବରିଷ୍ଠ ଆଇଏଏସ ଅଫିସର ରଶ୍ମିତା ପଣ୍ଡା କିଭଳି ସରକାରୀ ଘରର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ବହୁଳ ଭାବେ ସରକାରୀ ଅର୍ଥ ଖର୍ଚ୍ଚ କରିଛନ୍ତି ତାର ସତ୍ୟତା ସାମ୍ନାକୁ ଆସିଛି ।

ଆରଡିଏ ବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଥିବା ସମୟରେ ନିଜ ସରକାରୀ ବାସଭବନର ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଆଇଏଏସ ଅଧିକାରୀ ରଶ୍ମିତା ପଣ୍ଡା । ରାଉରକେଲାର ସୂଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ପାଢୀ ସୂଚନା ଅଧିକାର ବଳରେ ତଥ୍ୟ ମଗାଇବା ପରେ ଖୋଦ ଆରଡିଏ ପକ୍ଷରୁ ଏହି ତଥ୍ୟ ଯୋଗାଇ ଦିଆଯାଇଛି । ରାଉରକେଲାର  ଉଦିତ ନଗର ଅଞ୍ଚଳରେ ଥିବା ଆରଡିଏ ଉପାଧ୍ୟକ୍ଷଙ୍କ ସରକାରୀ ବାସଗୃହର ମତାମତି ଓ ପୁନରୁଦ୍ଧାର ବାବଦରେ  ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କା ଖର୍ଚ୍ଚ କରାଯାଇଥିଲା।  ଆଇଏଏସ ରଶ୍ମିତା ପଣ୍ଡା ଆରଡିଏ ଉପାଧ୍ୟକ୍ଷ  ଥିବା ସମୟରେ ୬ ମାସ ଅବଧି ମଧ୍ୟରେ ଏହି ଟଙ୍କା ବ୍ୟୟ କରାଯାଇଥିଲା ବୋଲି ଜଣାପଡ଼ିଛି ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, କେବଳ ତତ୍କାଳୀନ ଆରଡିଏ ଉପାଧକ୍ଷାଙ୍କ ସରକାରୀ ବାସଭବନରେ ମଶାରି ଲଗାଇବାକୁ ଖର୍ଚ୍ଚ ହୋଇଛି ୪ ଲକ୍ଷ, ୪ ହଜାର ୪୭୧ ଟଙ୍କା । ସେହିଭଳି ଟଏଲେଟ୍‌ ଓ ଘରକୁ ଜଳ ଯୋଗାଣ ପାଇଁ ଖର୍ଚ୍ଚ କରାଯାଇଛି ୪ ଲକ୍ଷ ୩୯ ହଜାର ୨୯ ଟଙ୍କା । ଏହି ତାଲିକା ଖୁବ ଲମ୍ବା ହୋଇଥିବା ବେଳେ ସରକାରୀ ବାସଭବନରେ ଅତିରିକ୍ତ ଡାଇନିଂ ରୁମ୍‌ ପାଇଁ ଖର୍ଚ୍ଚ କରାଯାଇଛି ୪ ଲକ୍ଷ ୫ ହଜାର ୨ ଟଙ୍କା । ବାସଗୃହ ଚାରିପଟେ ଥିବା ପାଚେରୀର ଉଚ୍ଚତା ବୃଦ୍ଧି ସହ ମରାମତି ଓ ପୁନରୁଦ୍ଧାର କାମ ପାଇଁ ବ୍ୟୟ ହୋଇଛି ପ୍ରାୟ ୮ ଲକ୍ଷ ଟଙ୍କା । ଏପରିକି ଗାର୍ଡ ରୁମ୍‌ ବା ସୁରକ୍ଷାକର୍ମୀ ରହିବା ପାଇଁ ଥିବା ଗୃହର ମରାମତିରେ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣା ପଡ଼ିଛି ।

ଏହି କାର୍ଯ୍ୟରେ ଟଙ୍କାର ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ଏପରିକି ସରକାରୀ ନିୟମକୁ ଉଲ୍ଲଂଘନ କରି ଓପନ ଟେଣ୍ଡର ନକରି ୬ ମାସ ଅବଧିରେ ଛୋଟିଆ ଛୋଟିଆ କରି ପୁରା ମରାମତି କାମକୁ କରାଯାଇଛି । ଅତି ଚତୁରତାର ସହ ସମସ୍ତ ବ୍ୟୟ ଅଟକଳକୁ ୫ ଲକ୍ଷ ଭିତରେ ରଖିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର