ପୁରୀର ରଥ ସବୁଠୁ ଉଚ୍ଚ: ଗଜପତି

କେନ୍ଦୁଝର ରଥ ସବୁଠାରୁ ଉଚ୍ଚା ମାନ୍ୟତାକୁ ନେଇ ବିବାଦ

ପୁରୀ : ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ କେନ୍ଦୁଝର ରଥକୁ ସର୍ବୋଚ୍ଚ ମାନ୍ୟତାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ରଥ ନିର୍ମାଣ ସେବକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶନିବାର ଦିନ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସିଧାସଳଖ କହିଛନ୍ତି, ପୁରୁଷୋତ୍ତମ କ୍ଷେତ୍ର ପୁରୀର ରଥ ସବୁଠୁ ଉଚ୍ଚ। କେନ୍ଦୁଝର ରଥକୁ ସର୍ବୋଚ୍ଚ ମାନ୍ୟତା ଦେବା ଅଜ୍ଞତାର ପରିଚୟ। ଏହାଦ୍ବାରା ପୁରୁଷୋତ୍ତମ କ୍ଷେତ୍ରର ଗରିମା ଓ ପରମ୍ପରା ନଷ୍ଟ ହେଉଛି। ଏହା ଅକ୍ଷୁର୍ଣ୍ଣ ରହୁ, ସରକାର ଏ ଦିଗରେ ଚିନ୍ତା କରନ୍ତୁ।

ଗଜପତି କହିଛନ୍ତି, କେନ୍ଦୁଝର ରଥକୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସର୍ବୋଚ୍ଚ ରଥର ମାନ୍ୟତା ମିଳିବା ନେଇ ମୋ ପାଖରେ କୌଣସି ସରକାରୀ ସୂଚନା ପହଞ୍ଚିନି। ତଥାପି ମୁଁ ଯାହା ଜାଣିଛି, ପୁରୁଷୋତ୍ତମ କ୍ଷେତ୍ରକୁ ସର୍ବଦା ସର୍ବୋଚ୍ଚ ମାନ୍ୟତା ମିଳି ଆସିଛି। ପୁରୁଷୋତ୍ତମ କ୍ଷେତ୍ରରେ ଯେଉଁ ରଥ ନିର୍ମାଣ ହେଉଛି, ତା’ଠାରୁ ଅଧିକ ଉଚ୍ଚ ରଥ ହେବା ଅନୁଚିତ୍‌। ପୁରୀର ରଥକୁ ସମ୍ମାନ ଦେଇ ପୂର୍ବରୁ ଗଡ଼ଜାତ ରାଜାମାନେ ସେମାନଙ୍କ ଅଞ୍ଚଳରେ ପୁରୀଠାରୁ ଅଧିକ ଉଚ୍ଚର ରଥ ନିର୍ମାଣ କରୁନଥିଲେ। ପୁରୀ ରଥଯାତ୍ରା ଆରମ୍ଭ ହେବା ପରେ ବାକି ଜାଗାରେ ରଥଯାତ୍ରା ଆରମ୍ଭ ହେଉଥିଲା। ଏହା ଓଡ଼ିଶାର ପରମ୍ପରା। ଏହା ବିଚାର କରିବାର ବିଷୟ। ଏହି ପରମ୍ପରା ଅକ୍ଷୁର୍ଣ୍ଣ ରହିବା ଦରକାର। ଶ୍ରୀକ୍ଷେତ୍ର ପୁରୀ ହେଉଛି ମହାପ୍ରଭୁଙ୍କ ମୂଳପୀଠ। ମୂଳପୀଠ ସର୍ବଦା ମୂଳପୀଠର ମାନ୍ୟତା ପାଇଆସିଛି। ବାକି ସବୁ ପୀଠ ମୂଳପୀଠକୁ ଅନୁସରଣ କରି ପରମ୍ପରାକୁ ଆଗକୁ ନିଅନ୍ତି। ଏହା ବିରୋଧରେ କୌଣସି କାର୍ଯ୍ୟ କରିବା ଉଚିତ୍‌ ନୁହେଁ। ପଣ୍ଡିତ, ପରିଷଦଙ୍କ ସହ ବି ଏ ସମ୍ପର୍କରେ ବିଚାରବିମର୍ଶ ହେବା ଦରକାର ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କ ରଥକୁ ୟୁନେସ୍କୋ ମାନ୍ୟତା ପାଇଁ ଚାଲିଥିବା ସରକାରୀ ପ୍ରକ୍ରିୟା ସମ୍ପର୍କରେ ଗଜପତି କହିଛନ୍ତି, ଏ ସମ୍ପର୍କରେ ମୁଁ ଅବଗତ ନାହିଁ। ରାଜ୍ୟ ସରକାର କି କୌଣସି ପ୍ରଶାସନିକ ଅଧିକାରୀ ମୋତେ ଏନେଇ ସୂଚନା ଦେଇନାହାନ୍ତି। ରାଜ୍ୟ ସରକାର ଯଦି ଏଭଳି କିଛି ପ୍ରସ୍ତାବ ରଖିଛନ୍ତି, ତେବେ ନିୟମାନୁଯାୟୀ ଏହି ପ୍ରସ୍ତାବକୁ ଆଗକୁ ନେବେ।

ପୁରୀ ରଥ ଠାରୁ ଅଧିକ ଉଚ୍ଚ ରଥ ହେବା ଅନୁଚିତ୍‌
କାଠ ଅଭାବ ଦିଗରେ ରାଜ୍ୟ ସରକାର ଚିନ୍ତା କରନ୍ତୁ
ୟୁନେସ୍କୋ ସର୍ଭେ ସଂପର୍କରେ ଜାଣିନାହାନ୍ତି ଗଜପତି
ପ୍ରଥମ ଥର ରଥରେ ଲାଗିଛି ଆମ୍ବ କାଠ: ମୁଖ୍ୟ ବିଶ୍ବକର୍ମା

ଅନ୍ୟପଟେ ଦିନକୁ ଦିନ ରଥ କାଠର ସଂକଟ ବଢ଼ିଚାଲିଛି। ଏ ସମ୍ପର୍କରେ ଗଜପତି ମହାରାଜ କହିଛନ୍ତି, ପ୍ରତିବର୍ଷ ତିନି ରଥ ନିର୍ମାଣ ଆମ ପରମ୍ପରା। ରଥ କାଠ ସମସ୍ୟା ଦୂର ପାଇଁ ଶ୍ରୀଜଗନ୍ନାଥ ବନପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ୭/୮ଟି ବନଖଣ୍ଡକୁ ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ସଫଳ ହେଲେ, ମହାପ୍ରଭୁଙ୍କ ରଥ ନିର୍ମାଣରେ କେବେ ବି କାଠ ସଂକଟ ଦେଖାଦେବନି। ଯଦି ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ରାଜ୍ୟ ସରକାର ସଫଳତା ପୂର୍ବକ ଆଗେଇ ନିଅନ୍ତି, କୌଣସି ଅସୁବିଧା ହେବନି। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଜଙ୍ଗଲ ସୃଷ୍ଟି କରିବାର ଉତ୍ତମ ଉପାୟ। ପ୍ରକଳ୍ପ ଆରମ୍ଭ ସମୟରେ ସଭାସମିତି ସହ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସହ ମିଶିଥିଲୁ। ଅଞ୍ଚଳବାସୀ ବି ମହାପ୍ରଭୁଙ୍କ କଥା ଶୁଣି ପ୍ରକଳ୍ପ ପ୍ରତି ଆଗ୍ରହ ପ୍ରକାଶ କଲେ। ଏହି ପ୍ରକଳ୍ପ କ୍ଷେତ୍ରରେ ସମସ୍ତେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଭଲ ଭାବରେ ଆଗେଇ ନେବା ଦରକାର।
ସେପଟେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ କୁମାର ମହାପାତ୍ର କହିଛନ୍ତି, ଏଥର ପ୍ରଥମ ଥର ରଥରେ ଆମ୍ବ କାଠ ଲାଗିଛି। ଯାହା ଇତିହାସରେ କେବେ ବି ଘଟିନଥିଲା। ମହି, ଶିମିଳି କାଠର ଅଭାବ ପାଇଁ ଆମ୍ବ କାଠ ଲଗାଯାଇଛି। କିନ୍ତୁ ଆମ୍ବ କାଠ ତୁଳନାରେ ମହି, ଶିମିଳି କାଠ ଶସ୍ତା। ଆମ୍ବ କାଠ ଦାମ ଅଧିକ। ଯଦି ପ୍ରଶାସନ ଚାହୁଛନ୍ତି ଆମ୍ବ କାଠ ଲାଗିବାକୁ, ତେବେ ଆମେ ଆମ୍ବ କାଠରେ ରଥ ନିର୍ମାଣ କରିବୁ, କୌଣସି ଆପତ୍ତି ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବଳଦେବଜିଉଙ୍କ ରଥ ବଡ଼: ଦେବୋତ୍ତର ଅଧିକାରୀ

କେନ୍ଦୁଝର : କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜିଉଙ୍କ ରଥ ବିଶ୍ବର ସର୍ବବୃହତ। ଏଥିପାଇଁ ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଏହା ସ୍ଥାନ ପାଇଛି ବୋଲି କହିଛନ୍ତି କେନ୍ଦୁଝର ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ। କିଛିଦିନ ଧରି ରଥର ଉଚ୍ଚତାକୁ ନେଇ ବିଭିନ୍ନ ଜିଲ୍ଲାରେ ଭିନ୍ନ ମତ ପ୍ରକାଶ ପାଉଛି। ଏଭଳି ସ୍ଥଳେ ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁରୀ ରଥର ଉଚ୍ଚତା ସବୁଠୁ ଅଧିକ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏନେଇ କେନ୍ଦୁଝର ଦେବୋତ୍ତର ଅଧିକାରୀ ତଥା ଉପିଜଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କ ମତ ନିଆଯାଇଥିଲା। ସେ କହିଥିଲେ, ଆମର କୌଣସି ରଥର ଉଚ୍ଚତାକୁ ନେଇ ପ୍ରତିଦ୍ବନ୍ଦ୍ବିତା ନାହିଁ। ମାତ୍ର କେନ୍ଦୁଝର ବଳଦେବଜିଉଙ୍କ ରଥର ଉଚ୍ଚତା ନେଇ ତଥ୍ୟ ଓ ପ୍ରମାଣ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡ କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ କରାଯାଇଥିଲା। ସେମାନେ ଏହାର ଅନୁଧ୍ୟାନ କରିଥିଲେ। ଏହାପରେ ବଳଦେବଜିଉଙ୍କ ରଥକୁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡସରେ ସ୍ଥାନ ଦିଆଯାଇଛି। ଏ ସଂପର୍କିତ ପ୍ରମାଣପତ୍ର ମଧ୍ୟ ଆମକୁ ମିଳିଛି ବୋଲି ସେ କହିଛନ୍ତି। ଶ୍ରୀ କିସ୍କୁ କହିଛନ୍ତି, ବଳଦେବଜିଉଙ୍କ ରଥର ଉଚ୍ଚତା ହେଉଛି ୭୨ ଫୁଟ ଏବଂ ଏହା କାଠରେ ନିର୍ମିତ। ଏହି ଆଧାରରେ ଆମ ରଥକୁ ଗିନିଜ୍‌ ବୁକ୍‌ରେ ସ୍ଥାନ ଦିଆଯାଇଛି। ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡସର ସାର୍ଟିଫିକେଟ୍‌ ପ୍ରଦର୍ଶନ ପାଇଁ ମେ ୬ ତାରିଖରେ ଏକ ଉତ୍ସବ ଆୟୋଜିତ ହୋଇଥିଲା ବୋଲି ଶ୍ରୀ କିସ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର