ବ୍ରହ୍ମପୁର: ଲକ୍ଷ୍ମୀ ବସ୍ ରୁଟ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ତେବେ ଆଜି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ହସ୍ତକ୍ଷେପ ପରେ ବସ୍ ମାଲିକ ସଂଘର ପ୍ରସ୍ତାବିତ ବନ୍ଦ ଡାକରା ସ୍ଥଗିତ ରହିଛି। ସଂଘର ଦାବି ପୂରଣ ନେଇ ପରିବହନ ମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।
ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ଆଲୋଚନା
ଲକ୍ଷ୍ମୀ ବସ୍ଗୁଡ଼ିକ ଯେଉଁ ରୁଟ୍ ଦେଇ ଯାତାୟାତ କରୁଛି ସେହି ରୁଟ୍ରେ ଘରୋଇ ବସ୍ ଚାଲିବା ସମସ୍ୟା ସୃଷ୍ଟି ହେଉଛି। ଘରୋଇ ବସ୍ ମାଲିକମାନେ କ୍ଷତି ସହୁଛନ୍ତି। ତେଣୁ ଲକ୍ଷ୍ମୀ ବସ୍ର ରୁଟ୍କୁ ପରିବର୍ତ୍ତନ କରିବା ସହ ଅନ୍ୟାନ୍ୟ ଦାବି ନେଇ ଆଜି ସନ୍ଧ୍ୟା ୭ଟାରୁ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ। ଏନେଇ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଆଜି ଉଭୟ ସଂଘର କର୍ମକର୍ତ୍ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ। ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରାସ୍ଥିତ ପରିବହନ ମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀ ଉଭୟ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।
ସରକାରଙ୍କ ଅମଳରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିଲା। ଲକ୍ଷ୍ମୀ ବସ୍ ଗାଁରୁ ବ୍ଲକ୍ ସଦର ମହକୁମା ଓ ବ୍ଲକ୍ ସଦର ମହାକୁମାରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଛି। ତେବେ ଏହି ରୁଟ୍ରେ ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଉଭୟ ସରକାରୀ ଓ ଘରୋଇ ବସ୍ଗୁଡ଼ିକ କିଭଳି ଚଳାଚଳ କରିପାରିବେ ସେଥିନେଇ ଆଲୋଚନା କରାଯାଇଥିଲା। ଉଭୟେ ଯେଭଳି କ୍ଷତି ନସହିବେ ସେଥିନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଉଭୟ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ପ୍ରସ୍ତାବିତ ବନ୍ଦ ଡାକରାକୁ ସ୍ଥଗିତ ରଖାଯାଇଛି। ଆଲୋଚନା ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘ ସଭାପତି ପ୍ରବୀଣ ଖମାରି, ଗଂଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଂପାଦକ ସୁବାସ ପଟ୍ଟନାୟକଙ୍କ ସମେତ ସମ୍ବଲପୁର, ବରଗଡ଼, ଭବାନୀପାଟଣା, ବିଷମକଟକ, ଫୁଲବାଣୀ, ଗୁଣପୁର, ରାୟଗଡ଼ା, କୋରାପୁଟ, ଜୟପୁର, ନବରଙ୍ଗପୁର, ମାଲକାନଗିରି, ଗଂଜାମ ଓ ଗଜପତି ଜିଲ୍ଲାର ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।