ଭୂମି ଅଧିଗ୍ରହଣକୁ ନେଇ ବିବାଦ, କ୍ଷତିପୂରଣ ପ୍ରସଂଗରେ ହାଇକୋର୍ଟଙ୍କ ଜବାବ ତଲବ

କଟକ : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲ ଅନ୍ତର୍ଗତ ଜମୁନାନାକି, ଗୋପପଲ୍ଲୀ ଓ ଲୁଙ୍ଗାଇ ଗ୍ରାମରେ ଜାତୀୟ ରାଜପଥ ପାଇଁ ଭୂମି ଅଧିଗ୍ରହଣକୁ ନେଇ ବିଚିତ୍ର ପରିସ୍ଥିତି ଦେଖାଦେଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏହି ଅଞ୍ଚଳରେ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରି ୨୦୧୩ ଅଗଷ୍ଟ ୨୩ରେ ବିଜ୍ଞପ୍ତି ପ୍ରକ‌ାଶ କରିଥିଲେ। ଅଧିଗ୍ରହଣ କରାଯାଉଥିବା ଜମି ଓ ଏହା ଉପରେ ଥିବା କୋଠାବାଡ଼ି ପାଇଁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏହି ଅଞ୍ଚଳର କେତେକ ବାସିନ୍ଦା ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ନୀତି ଲାଗୁ ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ହାଇକୋର୍ଟ କହିଛନ୍ତି, ରାଶି ନିର୍ଦ୍ଧାରଣ ଓ ପ୍ରଦାନ କରି ଭୂମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ଜମିର ଦଖଲ ଆବେଦନକାରୀ ହସ୍ତାନ୍ତର କରିବେ ବୋଲି ଆଶା କରାଯିବା ଉଚିତ ନୁହେଁ । ଏଥିସହିତ କେବେ ସୁଦ୍ଧା କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରି ତାହା ପ୍ରଦାନ କରାଯିବ ସେ ନେଇ ଜୁଲାଇ ୧୪ ସୁଦ୍ଧା ଜବାବ ଦାଖଲ ପାଇଁ ଏନ୍‌ଏଚ୍‌ଏଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସଂପୃକ୍ତ ଜମି ଉପରେ ନିର୍ମାଣ ଭଙ୍ଗା ଉପରେ ଅଙ୍କୁଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କମଳା କୁଣ୍ଡୁ ଓ ଅନ୍ୟ ୬ଜଣଙ୍କ ତରଫରୁ ଦାୟର ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି, ପବିତ୍ର କୁମାର ନାୟକ ପ୍ରମୁଖ ମାମଲା ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର