ତୀବ୍ର ହେଉଛି ସାଂସଦଙ୍କ ପତ୍ନୀ-ସମର୍ଥକଙ୍କ ବିବାଦ: ଏତଲା, କୁଶ ପୁତ୍ତଳିକା ଦାହ ପରେ ଏବେ ବେନାମୀ ଲିଫ୍‌ଲେଟ୍‌ ବଣ୍ଟା

ସମ୍ବଲପୁର : ସମ୍ବଲପୁର ସାଂସଦ ନିତେଶ ଗଂଗଦେବଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏବଂ ସାଂସଦଙ୍କ କିଛି ଘନିଷ୍ଠ ରାଜନୈତିକ ସହଯୋଗୀଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ହେଲେ ଏସବୁ ପ୍ରସଂଗରେ ସାଂସଦଙ୍କ ନିରବତା ଓ ଏକାନ୍ତବାସ ବିବାଦକୁ ଅଧିକ ଜଟିଳ ତଥା ରହସ୍ୟମୟ କରି ରଖିଛି। ଏହି ବିବାଦ ଆରମ୍ଭ ହେବା ଦିନଠୁ ସାଂସଦ ନିଜ ମୁହଁ ଖୋଲି ନାହାନ୍ତି କି ନିଜ ଆଭିମୁଖ୍ୟ ସଂପର୍କରେ ପଦଟିଏ ବି କହି ନାହାନ୍ତି। ୨୦୧୯ରେ ସମ୍ବଲପୁର ସାଂସଦଭାବେ ନିର୍ବାଚିତ ହେବା‌ ପରେ ଦେବଗଡ଼ ରାଜା ନିତେଶ ଗଂଗଦେବ ନିୟମିତ ଅନ୍ତରାଳରେ ତଥା ବିଭିନ୍ନ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ବଲପୁର, ଦେବଗଡ଼ ସମେତ ନିଜ ନିର୍ବାଚନମଣ୍ଡଳୀରେ ଆସୁଥିବା ୩ଟି ଯାକ ଜିଲ୍ଲାକୁ ଗସ୍ତ କରୁଥିଲେ। ହେଲେ ପତ୍ନୀ ଓ ଘନିଷ୍ଠ ସମର୍ଥକଙ୍କ ମଧ୍ୟରେ ଏହି ବିବାଦ ବଢ଼ିବା ପରେ ସାଂସଦ ନିତେଶ ଦେବଗଡ଼ ତ ଦୂର ନିଜ ନିର୍ବାଚନମଣ୍ଡଳୀ ମାଟି ମାଡ଼ୁ ନାହାନ୍ତି। ପ୍ରାୟ ୬ ମାସ ହେଲା ଏହି ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ସେବେଠୁ ନିତେଶଙ୍କ ଆଉ ଦେଖା ନାହିଁ। ସେ ଦେବଗଡ଼ ତ ଆସୁ ନାହାନ୍ତି, ସମ୍ବଲପୁର ବା ଅନୁଗୁଳ ବି ଯାଉ ନାହାନ୍ତି। କେବଳ ଥରେ ଏକ କାର୍ଯ୍ୟକ୍ରମ ପାଇଁ ଗୋଟିଏ ଦିନ ସମ୍ବଲପୁର ଆସି ଫେରି ଯାଇଥିଲେ। ବର୍ତ୍ତମାନ ସେ କେବେ ଦିଲ୍ଲୀ ତ‌ କେବେ ମୁମ୍ବାଇରେ ରହୁଛନ୍ତି। ବେଳେବେଳେ ଭୁବନେଶ୍ବର ଆସୁଥିବା ତାଙ୍କ ସମର୍ଥକ ମାନେ କହନ୍ତି।

ଅପରପକ୍ଷରେ ସାଂସଦଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ତଥା ରାଜନୈତିକ ସହଯୋଗୀ ପଟେଲ୍ ଓ ପ୍ରଧାନ ଦମ୍ପତିଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ, ଥାନାରେ ଅଭିଯୋଗ, କୁଶ ପୁତ୍ତଳିକା ପୋଡ଼ା, ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଆକ୍ଷେପ ଓ କାଦୁଅ ଫିଙ୍ଗା ଆଦି ଜାରି ରହିଛି। ବର୍ତ୍ତମାନ ପରସ୍ପର ବିରୋଧରେ ବେନାମୀ ପ୍ରଚାରପତ୍ର (ଲିଫ୍‌ଲେଟ୍) ବାଣ୍ଟିବା ଆରମ୍ଭ ହୋଇଗଲାଣି। ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ ଓ ସ୍ବାମୀ ରଂଜିତ ପଟେଲ, ତିଲେଇବଣି ବ୍ଲକ୍ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିବା ଆରତି ପ୍ରଧାନ ଏବଂ ତାଙ୍କ ସ୍ବାମୀ ତଥା ସାଂସଦଙ୍କ ଘନିଷ୍ଠ ସ‌ହଯୋଗୀ ଯୋଗେଶ ପ୍ରଧାନଙ୍କ ବିରୋଧରେ ଏହି ବେନାମୀ ଲିଫ୍‌ଲେଟ୍‌ରେ ନାନା ଅଭିଯୋଗ କରାଯାଇଛି। ଏହି ଲିଫ୍‌ଲେଟ୍‌ ଗୁଡ଼ିକ ଦେବଗଡ଼, କୁଚିଣ୍ଡା ଓ ସମ୍ବଲପୁର ଅଞ୍ଚଳରେ ବଣ୍ଟା ଯାଇଛି।

ଇତି ମଧ୍ୟରେ ସାଂସଦଙ୍କ କକାପୁଅ ଭାଇ ରୋହିତ ଗଂଗଦେବ ଓ ତାଙ୍କ ପତ୍ନୀ ମାଧବୀ ଦେବୀ ନିକଟରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଏହାପରେ ମାଧବୀ ଦେବୀଙ୍କୁ ବିଜେପି ପକ୍ଷରୁ ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ପ୍ରାର୍ଥୀ କରାଯାଇଛି। ଏହାକୁ ମଧ୍ୟ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ସହ‌ଜରେ ଗ୍ରହଣ କରିପାରି ନଥିବା ଚର୍ଚ୍ଚା ହେଉଛି। ଏହି ସ୍ବାମୀ, ସ୍ତ୍ରୀ’ଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ସମ୍ବଳିତ ଏକ ଲିଫ୍‌ଲେଟ୍‌ ବି ଏବେ ବଜାରରେ ବୁଲୁଛି। ଏହାକୁ ମଧ୍ୟ ‌ରାଣୀଙ୍କ ସମର୍ଥକ ମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ନିଜେ ରାଣୀ ମଧ୍ୟ ଫେସ୍‌ବୁକ୍‌ରେ କରିଥିବା ପୋଷ୍ଟରେ ଉଭୟଙ୍କ ନା ଉଲ୍ଲେଖ ନ କରି ପରୋକ୍ଷରେ ଚେତାବନୀ ଦେଇଛନ୍ତି। ବୁଧବାର ରାତିରେ ଦେବଗଡ଼ ରାଜବାଟୀ ତଳ ମହଲା ତାଲା ଭଙ୍ଗି କେହି ଦୁର୍ବୃତ୍ତ ଉଆସ ଭିତରେ ପଶିବା ଉଦ୍ୟମ କରିଥିବା ନେଇ ରାଣୀ ଅରୁନ୍ଧତୀ ଦେବୀ ଗୁରୁବାର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲାରେ କାହାରି ନାମ ଉଲ୍ଲେଖ କରି ନଥିଲେ ବି ରାଜନୈତିକ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା ଯୋଜନା କରା ଯାଇଥିଲା ବେ‌ାଲି ରାଣୀ ଅଭିଯୋଗ କରିଛନ୍ତି। ସେ ରାଜବାଟୀରେ ଏକା ରହୁଥିବାରୁ ତାଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଉ ବୋଲି ପୁଲିସ୍‌କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଣୀ ଅରୁନ୍ଧତୀ ଦେବୀ ବିଜେଡି ସହ ସଂପର୍କରେ ଥିବା ଓ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର ଦେବଗଡ଼ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଣୀଙ୍କ ଏହି ବିଦ୍ରୋହୀ ଭୂମିକା ପଛରେ ବିଜେଡିର ଟିକଟ୍ ଆଶ୍ବାସନା ରହିଥିବା ରାଜନୈତିକ ପଣ୍ଡିତଙ୍କ ମତ। ମନ୍ତ୍ରୀ ସୁଶାନ୍ତ ସିଂହ ରାଣୀଙ୍କୁ ମାଧ୍ୟମ କରି ଦେବଗଡ଼ରେ ବିଜେପିକୁ ଦୁର୍ବଳ କରିବାକୁ ଗୋଟି ଚାଳନା କରୁଥିବା ଲୋକେ ଆଲୋଚନା କରୁଛନ୍ତି। ରାଣୀ ମଧ୍ୟ ଏଭଳି ପ୍ରଶ୍ନକୁ ସମ୍ପୂର୍ଣ୍ଣ ଏଡ଼ାଇ ନଯାଇ ଯାହା ଲୋକ ଚାହିବେ ତାହା ହେବ ଓ ଦେବଗଡ଼ବାସୀଙ୍କ ସେବା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରତିକ୍ରିୟାରେ କହୁଛନ୍ତି।

ଜୀବନ ପ୍ରତି ବିପଦ ଆଶଙ୍କା, ଥାନାରେ ଲିଖିତ ଅଭିଯୋଗ କଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ 
ଦେବଗଡ଼ : ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଗୁରୁବାର ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ତାଙ୍କର ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ କେହି ଜଣେ ଦୁର୍ବୃତ୍ତ ଦେବଗଡ଼ ରାଜବାଟୀ ତଳ ମହଲାର ଶିକୁଳି ଓ ତାଲା ଭାଙ୍ଗି ଦେଇଥିଲା। ଏନେଇ ତାଙ୍କ ଘରୋଇ ସହାୟକ ସକାଳେ ଏ ସଂପର୍କରେ ସୂଚନା ଦେଇଥିଲେ। ତେବେ ଏହି ଘଟଣା ପଛରେ କାହାର ସଂପୃକ୍ତି ଅଛି ସେ ସଂପର୍କରେ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଏତଲାରେ କିଛି ସ୍ପଷ୍ଟ କରି ନାହାନ୍ତି। ତେବେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ହତ୍ୟା ଯୋଜନା କରା ଯାଇଥିଲା‌ ବୋଲି ସେ ଆଶଂକା ବ୍ୟକ୍ତ କରିଛନ୍ତି। ଯେହେତୁ ସେ ରାଜବାଟୀରେ ଏକା ରହୁଛନ୍ତି ସେଥିପାଇଁ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ପୁଲିସ ଉପରେ ତାଙ୍କର ଭରସା ଅଛି ଏବଂ ଉପଯୁକ୍ତ ତଦନ୍ତ କରି ତାଙ୍କୁ ସୁରକ୍ଷା ଦେବେ ବୋଲି ରାଣୀ ପ୍ରକାଶ କରିଛନ୍ତି। ତାଙ୍କୁ କିଛି ଲୋକ ଦୁର୍ବଳ ଭାବୁଛନ୍ତି, ଯେଉଁଥି ପାଇଁ ଏପରି କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ଏହା ସହିତ ଘଟଣାକୁ ସେ ଦୃଢ଼ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର