‘ଭିଆଇପି ରୋଡ୍‌’ ନାମକରଣକୁ ନେଇ ବିବାଦ, ମହାତ୍ମା ଗାନ୍ଧୀ ନା ଗୋପବନ୍ଧୁ?

ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଚିଠି ପରେ ଅଡ଼ୁଆ ସ୍ଥିତି

ପୁରୀ: କାହା ନାମରେ ନାମିତ ହେବ ପୁରୀ ସହରର ପ୍ରମୁଖ ରାସ୍ତା ‘ଭିଆଇପି ରୋଡ୍‌’। ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି ପରେ ରାଜ୍ୟ ସରକାରଙ୍କ ଆଗରେ ଏକ ଅଡ଼ୁଆ ସ୍ଥିତି ଉଭା ହୋଇଛି। ଶ୍ରୀ ପଟ୍ଟନାୟକ ଏହି ରାସ୍ତାକୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ନାମିତ କରିବାକୁ ଚିଠିରେ ‌ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରିବାକୁ ପୂର୍ତ୍ତ ବିଭାଗ ଶାସନ ସଚିବଙ୍କୁ ଚିଠି କରିଛି। ମହାତ୍ମାଗାନ୍ଧୀଙ୍କ ପୁରୀ ଆଗମନ ଆସନ୍ତା ୨୬ ତାରିଖରେ ଶହେ ବର୍ଷ ପୂରୁଥିବାରୁ ଏହି ଦିନ ପୁରୀ ସହରର ଏହି ପ୍ରମୁଖ ରାସ୍ତାକୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରିବାକୁ ଚିଠିରେ ଉଲ୍ଲେଖ କରିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହି ରାସ୍ତାକୁ କାହା ନାମରେ ନାମିତ କରିବେ, ତାକୁ ନେଇ ଜଟିଳ ପରିସ୍ଥିତି ଦେଖାଦେଇଛି।

ମେଡିକାଲ୍‌ ଛକରୁ ସୁଭାଷ ବୋଷ ଛକ ଦେଇ ଆଚାର୍ଯ୍ୟ ହରିହର ଛକ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତାକୁ ଭିଆଇପି ରୋଡ୍‌ କୁହଯାଏ। ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଥିବା ବେଳେ ଗତ ୬ ତାରିଖରେ ପୁରୀର ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଭିଆଇପି ରୋଡ୍‌କୁ ମହାତ୍ମାଗାନ୍ଧୀଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ଓ ଗାନ୍ଧୀ ଚିନ୍ତକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି, ଭୁବନେଶ୍ବରର ସଭାପତି ଏବଂ ପୁରୀ ବିକାଶ ପରିଷଦର ସଭାପତି ଏ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଭିଆଇପି ରୋଡ୍‌କୁ ମହାତ୍ମା ଗାନ୍ଧୀ ମାର୍ଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ପୂର୍ତ୍ତ ବିଭାଗ ଶାସନ ସଚିବଙ୍କୁ ଚିଠି କରାଯାଇଥିଲା।

ଚିଠି ପାଇବା ପରେ ପୂର୍ତ୍ତ ବିଭାଗ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଥିଲା। ଏହି ରାସ୍ତାର ନାମ ଅନ୍ୟ କୌଣସି ନାମରେ ଅଛି କି ନାହିଁ?, ପୂର୍ବରୁ ଏହି ରାସ୍ତାର ଅନ୍ୟ କୌଣସି ନାମ ପାଇଁ ପ୍ରସ୍ତାବ ଦିଆଯାଇଥିଲା କି? ଏଭଳି ଅନେକ ମତାମତ ମଗାଯାଇଥିଲା। ଏହାର ଜବାବ ବି ଜିଲ୍ଲା ପ୍ରଶାସନ ପୂର୍ତ୍ତ ବିଭାଗକୁ ଦେଇସାରିଛି।
ଏହିଭଳି ଏକ ସ୍ଥିତିରେ ଭିଆଇପି ରୋଡ଼ ନାମକରଣକୁ ନେଇ ଏକ ବିବାଦର ସୂତ୍ରପାତ ହୋଇଛି।

ସମ୍ବନ୍ଧିତ ଖବର