କଟକ: ଐତିହାସିକ କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପ୍ରସଙ୍ଗକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏ ସଂକ୍ରାନ୍ତରେ ଆଜି ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି ବୋଲି ବିଭିନ୍ନ ଫୋରମ୍ରେ ଚର୍ଚ୍ଚା ସାମନାକୁ ଆସିବା ପରେ ଏହାକୁ ବିଭିନ୍ନ ବ୍ୟକ୍ତିବିଶେଷ ସ୍ବାଗତ କରିବା ସହିତ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଆରମ୍ଭ କରିଛନ୍ତି। କିନ୍ତୁ ରାଜ୍ୟସଭାରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ଯେଉଁ ଲିଖିତ ଉତ୍ତର ରଖିଛନ୍ତି, ସେଥିରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ବା ଘୋଷଣା କରାଯାଇ ନାହିଁ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ନାହିଁ ସ୍ପଷ୍ଟ ସୂଚନା
ରାଜ୍ୟସଭାରେ ଉଠାଇଥିଲେ ଦେବାଶିଷ, ସସ୍ମିତ ପାତ୍ର
ବିଭିନ୍ନ ରିପୋର୍ଟ ଆଧାରରେ ବ୍ୟକ୍ତିବିଶେଷ ଜଣାଉଛନ୍ତି କୃତଜ୍ଞତା
ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ସସ୍ମିତ ପାତ୍ରଙ୍କ ପକ୍ଷରୁ ରାଜ୍ୟସଭାରେ ଏ ପ୍ରସଙ୍ଗ (ଅଣତାରକା ପ୍ରଶ୍ନ ସଂଖ୍ୟା ୩୪୩) ଉପସ୍ଥାପନ କରାଯାଇଥିଲା। ଦୁଇ ସାଂସଦଙ୍କ ପକ୍ଷରୁ ତିନିଟି ପ୍ରଶ୍ନ କରାଯାଇଥିଲା। ଐତିହାସିକ ଗୁରୁତ୍ବକୁ ନଜରରେ ରଖି ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ଉତ୍ସବ ମାନ୍ୟତା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି? ଯଦି ସେଭଳି ପଦକ୍ଷେପ ନିଆଯାଇଛି ତେବେ କେଉଁ ଆଧାରରେ ଏବଂ କେଉଁ ସମୟସୀମା ଭିତରେ ଏହି ମାନ୍ୟତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି? ଯଦି ସେଭଳି ପଦକ୍ଷେପ ନିଆଯାଇ ନାହିଁ ତେବେ ସରକାର ବାଲିଯାତ୍ରାକୁ ଭାରତୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଭାବେ ଗ୍ରହଣ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଚାରପ୍ରସାର ଦିଗରେ ପଦକ୍ଷେପ ନେବେ କି? ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ଉଲ୍ଲେଖ କରିଛନ୍ତି ଯେ ବାଲିଯାତ୍ରା ଓଡ଼ିଶା ଓ ଦକ୍ଷିଣପୂର୍ବ ଏସୀୟ ଦେଶ, ବିଶେଷ କରି ବାଲି ସହିତ ନୌବାଣିଜ୍ୟ ଓ ସାଂସ୍କୃତିକ ସଂପର୍କର ସ୍ମୃତି ଭାବେ ପାଳିତ ହୋଇ ଆସୁଛି। ଏହା ପ୍ରତ୍ୟେକ ବର୍ଷ ପାଳନ ହେଉଛି ଏବଂ ଏଥିରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାକୁ ବ୍ୟବସାୟ ପାଇଁ ସାଧବମାନଙ୍କ ଇଣ୍ଡୋନେସିଆ ଯାତ୍ରା ଆରମ୍ଭ ଦିବସ ଭାବେ ଗ୍ରହଣ କରି ‘ବାଲିକୁ ଯାତ୍ରା’ କରୁଥିବାରୁ ବାଲିଯାତ୍ରା ଭାବେ ଏହା ପାଳିତ ହୁଏ। ଓଡ଼ିଶାର ଲୋକ ଏହାକୁ ଉତ୍ସାହ ଉଦ୍ଦୀପନାର ସହ ପାଳନ କରନ୍ତି। ବାଲିଯାତ୍ରାରେ ବ୍ୟବସାୟ ସହିତ ଖାଦ୍ୟ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୁଏ। ମହିଳାମାନେ ବୋଇତ ବନ୍ଦାଣ କରନ୍ତି। କଦଳୀ ଗଛର ଅଂଶ, ସୋଲ ଡଙ୍ଗାରେ ଦୀପ ଜାଳି ତାହାକୁ ମହାନଦୀରେ ଭସାଇ ସ୍ମୃତିଚାରଣ କରନ୍ତି। ସାଧବମାନଙ୍କ କୌଶଳ ଓ ଦକ୍ଷତା ପାଇଁ ଏକଦା କଳିଙ୍ଗ ଏକ ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ ହେଉଥିଲା।
ବାଲିଯାତ୍ରା ଉତ୍ସବ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜନ ହୋଇ ଆସୁଛି। କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନରେ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରୁଥିବା କୋଲକାତାସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍ସିସି) ଏଥିରେ ସହଯୋଗ ଦେଇ ଆସୁଛି। ୨୦୨୨ରୁ ୨୦୨୪ ମଧ୍ୟରେ ହୋଇଥିବା ୩ଟି ବାଲିଯାତ୍ରାରେ ଇଜେଡ୍ସିସି ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ୩ ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ର ମନ୍ଥନ’ କଟକସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତିଫଳନ ଦେଖିବାକୁ ମିଳିଥିବା ବେଳେ ଏଥିରେ ନୌବାଣିଜ୍ୟ ସଂକ୍ରାନ୍ତରେ ବିଭିନ୍ନ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା। ଓଡ଼ିଶା ଓ ଅନ୍ୟରାଜ୍ୟ ମଧ୍ୟରେ ସାଂସ୍କୃତିକ ଭାବର ଆଦାନପ୍ରଦାନରେ ବାଲିଯାତ୍ରା ସହାୟକ ହୋଇ ଆସୁଛି। ଏହି କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଶାର ନୃତ୍ୟଶିଳ୍ପୀ, ସଂଗୀତକାର, କାରିଗରମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିପାରୁଛନ୍ତି। ଏହା ଦ୍ବାରା ଓଡ଼ିଆ ସଂସ୍କୃତିର ପୁନରୁଦ୍ଧାର ତଥା ବିକାଶ ସମ୍ଭବ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ଶେଖାୱତ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ସଂପୂର୍ଣ୍ଣ ଉତ୍ତରରେ ଦୁଇ ସାଂସଦଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ନଥିବା ବେଳେ ଜାତୀୟ ଉତ୍ସବ ମାନ୍ୟତା ପ୍ରସଙ୍ଗରେ ମଧ୍ୟ କୌଣସି ଉଲ୍ଲେଖ ନାହିଁ।