ପଦ୍ମପୁର ଉପନିର୍ବାଚନ ମତଦାନ ସମୟକୁ ‌ନେଇ ବିବାଦ

ଭୁବନେଶ୍ବର : ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ହେବାକୁ ଥିବାବେଳେ ସୋମବାର ଦିନ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ଲୋହାନୀ ଉପନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କ ବିଭିନ୍ନ କଟକଣା ବିଷୟରେ ଅବଗତ କରାଇଥିଲେ। ଏଥର ପଦ୍ମପୁରରେ ୨୦୧୯ ସାଧାରଣ ନିର୍ବାଚନ ଭଳି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି କୁହାଯାଇଥିଲା। ହେଲେ ଏହାକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରିଥିଲେ। ଧାମନଗରରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ହୋଇଥିବାରୁ ପଦ୍ମପୁରରେ ବି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ କରାଯାଉ। ଏହା ଯଦି ସମ୍ଭବ ନହେଉଛି ତେବେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଅବଧି ରଖିବାକୁ ରାଜନୈତିକ ଦଳଗୁଡ଼ିକ ଦାବି କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଏଥର ପଦ୍ମପୁରରେ ୨୭୯ଟି ବୁଥ୍‌ରେ ମତଦାନ ହେବାକୁ ଥିବାବେଳେ ଏଠାରେ ୨୫୭୪୭୪ଜଣ ମତଦାତା ଅଛନ୍ତି। ଏଥିରେ ୧୨୯୪୯୭ଜଣ ପୁରୁଷ, ୧୨୭୯୬୫ଜଣ ମହିଳା, ୧୨ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୨୩୩ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୪୩୯୩ଜଣ ୮୦ବର୍ଷରୁ ଅଧିକ ଭୋଟର, ୧୯୯ଜଣ ସର୍ଭିସ୍ ଭୋଟର ଅଛନ୍ତି। ଏବେ ବରଗଡ଼ ଜିଲ୍ଲାରେ ଆଦର୍ଶ ଅଚରଣ ବିଧି ଲାଗୁ ହୋଇଥିବାବେଳେ ସବୁ ରାଜନୈତିକ ଦଳର କର୍ମକର୍ତ୍ତା, ପ୍ରାର୍ଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଏହାକୁ ଅନୁପାଳନ କରିବାକୁ ବାଧ୍ୟ। ଏହାର ତିଳେମାତ୍ର ଉଲ୍ଲଂଘନ ହେଲେ ଲୋକପ୍ରତିନିଧି ଆଇନ ଅନୁସାରେ ସଂପୃକ୍ତ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ନିର୍ବାଚନ କମିସନଙ୍କ ସର୍ବଦଳୀୟ ବୈଠକରେ ଅସନ୍ତୋଷ
ଭୋଟ୍‌ ଗ୍ରହଣ ସମୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ
୨୭୯ଟି ବୁଥ୍‌ରେ ୨୫୭୪୭୪ଜଣ ମତଦାନ କରିବେ
ସ୍ବୀକତିପ୍ରାପ୍ତ ଦଳର ୪୦ଜଣ ତାରକା ପ୍ରଚାରକ ରହିପାରିବେ

ସେହିପରି ଏଥର ଉପନିର୍ବାଚନରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସର୍ବମୋଟ ୪୦ଜଣ ତାରକା ପ୍ରଚାରକ, ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ୨୦ଜଣ ତାରକା ପ୍ରଚାରକଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିପାରିବେ। ଏହାର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ହେବ। ଜଣେ ପ୍ରାର୍ଥୀ ସର୍ବାଧିକ ୪୦ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ। ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖିବା ନିମନ୍ତେ ଅଲଗା ଏକ ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣା ହେବାର ୩୦ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ। ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତି କମ୍‌ରେ ତିନି ଥର ଖବରକାଗଜ ଓ ଟେଲିଭଜିନ ମାଧ୍ୟମରେ ପ୍ରଚାରପ୍ରସାର କରିବେ। ସେହିପରି ସଂପୃକ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ସମ୍ପର୍କରେ ଦଳ ତରଫରୁ ଅତି କମ୍‌ରେ ତିନି ଥର ଖବରକାଗଜ ଓ ଟିଭି ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦% ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‌ଗୁଡ଼ିକରେ ୩୫ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବ। ଏହି ଉପନିର୍ବାଚନକୁ ସ୍ବଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ୫କମ୍ପାନି କେନ୍ଦ୍ରୀୟ ସଶନ୍ତ୍ର ପୁଲିସ ବଳଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଭୋଟ୍‌ ଗ୍ରହଣ ଦିନଟିକୁ ସବୈତନିକ ଛୁଟି ଘୋଷଣା କରାଯାଇଛି। ମତଦାନ ଓ ମତଗଣନା ଦିନକୁ ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି।

ଆଜିର ଏହି ବୈଠକରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା , ସରିତା ମହାନ୍ତି, ରଞ୍ଜୁଲତା ରାୟ, ଆଶିଷ କୁମାର ପାଠକ, ଅଟଳ ମଲ୍ଲିକ, ବିଏସ୍‌ପିର ମଧୁସୂଦନ ଯାଦବ, ବିଜେପିର ରମାରଂଜନ ବଳିୟାର ସିଂହ ଓ ଜୟନ୍ତ କୁମାର ଜେନା, କଂଗ୍ରେସର ଶିବାନନ୍ଦ ରାୟ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର