ଆଶ୍ରମ ସ୍କୁଲ୍‌ ଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ

ବାଲେଶ୍ବର: ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ଆଶ୍ରମ ସ୍କୁଲ୍‌ଗୁଡ଼ିକରେ ଶିକ୍ଷକ ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ବିଭାଗୀ ଅଧିକାରୀଙ୍କ ଭୁଲ୍‌ ନିଷ୍ପତ୍ତି ପାଇଁ ୨୩ ଜଣ ଯୋଗ୍ୟ ପ୍ରାର୍ଥୀ ଶିକ୍ଷକ ନିଯୁକ୍ତି ପାଇବାରୁ ବଂଚିତ ହୋଇଛନ୍ତି। ଫଳରେ ଏହାକୁ ନେଇ ଆଜି ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ; ବିଭାଗ ଅଧୀନରେ ଥିବା ଆଶ୍ରମ ସ୍କୁଲ୍‌ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୨ ମସିହା ଜାନୁଆରି ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜିଲ୍ଲାର ଶତାଧିକ ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ଚୟନ ହୋଇଥିବା ଯୋଗ୍ୟ ପ୍ରାର୍ଥୀଙ୍କ ଆବଶ୍ୟକ ପ୍ରମାଣପତ୍ର ବି ଯାଞ୍ଚ ହୋଇଥିଲା।

ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ନିଯୁକ୍ତି ସମ୍ପର୍କିତ ଗାଇଡ୍‌ଲାଇନ୍ ଆସିବା ପରେ ୨୫ଟି ପଦ ପାଇଁ ଅନୁମୋଦନ ମିଳି ନଥିବା ଜଣାପଡ଼ିଥିଲା। ମାତ୍ର ୨ଟି ଶିକ୍ଷକ ପଦ ପାଇଁ ଅନୁମୋଦନ ମିଳିଥିବା ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା। ଫଳରେ ଜିଲ୍ଲା ମଙ୍ଗଳ ବିଭାଗ ନିଜ ତ୍ରୁଟିକୁ ସୁଧାରିବା ପାଇଁ ଗତ ନଭେମ୍ବର ୧୫ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏଥିରେ କେବଳ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଦର୍ଶାଯାଇଥିଲା। ବିଭାଗର ଏପରି ଚୟନ ପ୍ରକ୍ରିୟାକୁ ପ୍ରତିବାଦ ଜଣାଇ ଯୋଗ୍ୟ ପ୍ରାର୍ଥୀମାନେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କୁ ପଚାରିବାରୁ ସେ ବିଭାଗୀୟ ଭୁଲ୍‌ ସ୍ବୀକାର କରିଥିଲେ। କହିଥିଲେ, ଆବଶ୍ୟକତା ଅନୁସାରେ ୨୫ଟି ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲୁ। ହେ‌ଲେ ପରବର୍ତ୍ତୀ ସମୟରେ ସରକାର କେବଳ ୨ଟି ପଦ ମଞ୍ଜୁର କରିଥିଲେ।

ତେବେ ପ୍ରଶ୍ନ ଉଠୁଛି, ସରକାରଙ୍କ ବିନା ଅନୁମୋଦନରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି କେମିତି ପ୍ରକାଶ ପାଇଲା? ନିଯୁକ୍ତିରୁ ବାଦ୍‌ ପଡ଼ିଥିବା ପ୍ରାର୍ଥୀଙ୍କ ଭାଗ୍ୟ କ’ଣ ହେବ?

ସମ୍ବନ୍ଧିତ ଖବର