ଭୁବନେଶ୍ବର : ନୂଆକରି ଆରମ୍ଭ ହୋଇଥିବା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟରେ କର୍ମଚାରୀ ନିଯୁକ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଡାକ୍ତରୀ ପୃଷ୍ଠଭୂମି ନ ଥିବା ଜଣେ ବ୍ୟକ୍ତିଙ୍କୁ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପଦବିରେ ଅବସ୍ଥାପିତ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏକାଧିକ ଥର ତାଙ୍କ ଫାଇଲ ଖାରଜ ହୋଇଥିଲେ ବି ସ୍ବାସ୍ଥ୍ୟ ବିଭାଗର କିଛି ଅଧିକାରୀ ସବୁ ନୀତି ନିୟମକୁ ମୋଡ଼ି ମକଚି ନିଯୁକ୍ତି ଦେବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ଯଦି ଏହି ନିଯୁକ୍ତି ଫଳପ୍ରଦ ହୁଏ ତାହାଲେ ଶହ ଶହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି।
ଗତ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସ୍ଥାପନା ହୋଇଛି। ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ଚିକିତ୍ସା ଓ ଆନୁସଙ୍ଗିକ ବିଜ୍ଞାନ ମହାବିଦ୍ୟାଳୟ ତଥା ଅନୁଷ୍ଠାନଗୁଡ଼ିକ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହେବେ। ଆଧୁନିକ ଚିକିତ୍ସା, ଦନ୍ତରୋଗ ଚିକିତ୍ସା, ଆୟୁର୍ବେଦ, ହୋମିଓପ୍ୟାଥିକ, ନର୍ସିଂ, ଫାର୍ମାସି, ଫିଜିଓଥେରାପି ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଜ୍ଞାନ ପାଠ୍ୟକ୍ରମ ବିଶ୍ବବିଦ୍ୟାଳୟ ପରିସରଭୁକ୍ତ ହେବ। ଯାହାଫଳରେ ରାଜ୍ୟରେ ଚିକିତ୍ସା ଶିକ୍ଷା, ରୋଗୀଙ୍କ ଯତ୍ନ ଓ ଗବେଷଣା ଅଧିକ ଗୁଣାତ୍ମକ ମୂଲ୍ୟବୋଧ ଭିତ୍ତିକ ହୋଇପାରିବ।
ଅତ୍ୟନ୍ତ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଶ୍ବବିଦ୍ୟାଳୟରେ ଜଣେ ପରୀକ୍ଷା ନିୟନ୍ତ୍ରକ କନସଲଟାଣ୍ଟ ନିଯୁକ୍ତି ପାଇଁ ଉଦ୍ୟମ ହୋଇଥିଲା। ଏଥିପାଇଁ ଜଣେ ବ୍ୟକ୍ତିଙ୍କ ନାଁ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ସୁପାରିସ କରାଯାଇଥିଲା। ଦୁଇ ଦୁଇଥର ଏଭଳି ଉଦ୍ୟମ ହୋଇଥିଲା। ମାତ୍ର ସଂପୃକ୍ତ ବ୍ୟକ୍ତି ଜଣକ ଡାକ୍ତର ହୋଇ ନ ଥିବାରୁ ତତ୍କାଳୀନ ମନ୍ତ୍ରୀ ଏହାକୁ ଖାରଜ କରି ଦେଇଥିଲେ। ପରବର୍ତୀ ସମୟରେ ଫେବ୍ରୁଆରି ୧୭ ତାରିଖରେ ଡିଏମ୍ଇଟିଙ୍କ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ କନସଲଟାଣ୍ଟ ପାଇଁ ଏକ ୱାକ ଇନ୍ ସାକ୍ଷାତକାର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆବେଦନକାରୀଙ୍କର ଅତିକମ୍ରେ ୧୫ବର୍ଷର ଶିକ୍ଷକତା ଅଭିଜ୍ଞତା ସହିତ କୌଣସି ବିଶ୍ବବିଦ୍ୟାଳୟ କିମ୍ବା ସ୍ବୟଂଚାଳିତ ଅନୁଷ୍ଠାନରେ ୫ବର୍ଷ ଲାଗି ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥବା ଦରକାର ବୋଲି ଉଲ୍ଲେଖ ରହିଥିଲା। ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିକଟକୁ ଯେଉଁ ବ୍ୟକ୍ତିଙ୍କ ନାମ ସୁପାରିସ ହୋଇଥିଲା ସେହି ବ୍ୟକ୍ତି ହିଁ ଏଥିପାଇଁ ଆବେଦନ କରିଥିଲେ।
ଜାତୀୟ ସ୍ବାସ୍ଥ୍ୟ ମିସନ୍ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଡିଏମ୍ଇଟି ଓ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ କମିଟି ତାଙ୍କର ସାକ୍ଷାତକାର ନେଇଥିଲେ। ଏଥିରେ ଆବେଦନକାରୀଙ୍କ ଡାକ୍ତରୀ ଅଭିଜ୍ଞତା ନ ଥିବା ସହିତ ଶିକ୍ଷାଗତ ଯୋଗ୍ୟତା ଏମ୍ବିଏ ଥିବା ଜଣାପଡ଼ିଥିଲା। ଏସବୁ କାରଣ ପାଇଁ କମିଟି ତାଙ୍କୁ ଖାରଜ କରି ଦେଇଥିଲେ। ପରବର୍ତୀ ସମୟରେ ଏପ୍ରିଲ ୬ ତାରିଖରେ ପୂର୍ବରୁ ପ୍ରକାଶିତ ହୋଇଥିବା ବିଜ୍ଞାପନର ଆଉ ଏକ ସଂଶୋଧିତ ବିଜ୍ଞାପନ ବାହାରିଥିଲା। ଏପ୍ରିଲ ୨୧ ତାରିଖରେ ସାକ୍ଷାତକାର ତାରିଖ ଧାର୍ଯ୍ୟ ହୋଇଥିଲା। ଏଥିରେ ତାଙ୍କର ଚୟନ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଯାହାକୁ ସ୍ବାସ୍ଥ୍ୟ ବିଭାଗର ଅନେକ ଅଧିକାରୀ ବିରୋଧ କରୁଛନ୍ତି। ମାତ୍ର ଡିଏମ୍ଇଟି ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଏଥିପାଇଁ ସାକ୍ଷାତକର ନିଆଯାଇଥିଲା। ଯେଉଁ କମିଟି ସାକ୍ଷାତକାର ନେଇଥିଲା ତାହାର ମୁଁ ସଦସ୍ୟ। ତେଣୁ ତାଙ୍କର ନିଯୁକ୍ତି ହୋଇଛି କି ନାହିଁ ସେ ସଂପର୍କରେ କହିପାରିବି ନାହିଁ। ତେବେ ସଂଶୋଧିତ ବିଜ୍ଞାପନ ବାହାରିବା ପଛର ଉଦ୍ଦେଶ୍ୟ ସଂପର୍କରେ ଡା.ମହାନ୍ତି ଫୋନ୍ କାଟି ଦେଇଥିଲେ।