ଆରମ୍ଭରୁ ଧାନକିଣାକୁ ନେଇ ବିବାଦ

ଚାଉଳ ସଂଗ୍ରହ ନୀତି ଅସ୍ପଷ୍ଟ, ଅଭାବୀ ବିକ୍ରିର ଶିକାର ହେବ ଚାଷୀ

କେସିଙ୍ଗା : କେନ୍ଦ୍ର ସରକାର ଉସୁନା ଚାଉଳ ସଂଗ୍ରହ ନେଇ କୁନ୍ଥକୁନ୍ଥ ହେବା ଓ ରାଜ୍ୟ ସରକାର ଚାଉଳ ସଂଗ୍ରହ ନୀତି ସ୍ପଷ୍ଟ ନକରିବାରୁ ଚାଷୀ ଅଭାବୀ ବିକ୍ରି ଶିକାର ହେବ ବୋଲି ଜଳଜଳ ଦିଶିଲାଣି। ପ୍ରତିବର୍ଷ ଭଳି ବକେୟା ପାଉଣା ନପାଇବା, ଧାନ କିଣା ନୀତି ଓ ଚାଉଳ ସଂଗ୍ରହ ନୀତି ସ୍ପଷ୍ଟ ନକଲେ ମିଲରମାନେ ଧାନ କିଣାରେ ସହଯୋଗ କରିବେ ନାହିଁ ବୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଫଳରେ ଆରମ୍ଭରୁ ଧାନ କିଣା ନେଇ ବିବାଦ ଦେଖାଗଲାଣି। କେନ୍ଦ୍ରର ଚାଉଳ ସଂଗ୍ରହ ନୀତି ସାରା ରାଜ୍ୟରେ ପ୍ରଭାବ ପଡ଼ିପାରେ। କିନ୍ତୁ ସରକାର ଏ ଦିଗରେ ପଦକ୍ଷେପ ନେଉନାହାନ୍ତି।

କେନ୍ଦ୍ର ଆରମ୍ଭରେ ୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ ପାଇଁ ଟାର୍ଗେଟ ଦେଇଥିଲା। ଏବେ ତାକୁ ୫ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ଖସେଇ ଦେଇଛି। ଫଳରେ ମିଲର୍ସ ଓ ଚାଷୀ ଅସୁବିଧାରେ ପଡ଼ିଛନ୍ତି। ସାରା ରାଜ୍ୟରେ ୫୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ ହେବା ଆକଳନ କରାଯାଇଛି। ଏଥିରୁ ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟବହାର ହୋଇଥାଏ। ବର୍ତ୍ତମାନ ୨୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଏଫ୍‌ସିଆଇ ନେବାକୁ ଥିବାବେଳେ କେନ୍ଦ୍ର ମାତ୍ର ୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହର ଟାର୍ଗେଟ ଦେଇଛି। ଯାହାର ସିଧାସଳଖ ପ୍ରଭାବ କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଡ଼ିବ।

ରାଜ୍ୟ ସରକାର ଧାନ କିଣା ନେଇ ଯେତେ ଟାର୍ଗେଟ ଦେଲେ ମଧ୍ୟ ଚାଉଳ ସଂଗ୍ରହ ହୋଇନପାରିଲେ ଚାଷୀମାନେ ହଇରାଣ ହେବେ। ରାଜ୍ୟ ସରକାର ଛତିଶଗଡ଼ ଭଳି ଭିତ୍ତିଭୂମି ପ୍ରସ୍ତୁତ କରିପାରିଲେ ନାହିଁ। ଏବେ ବି ମିଲର୍ସ ଭରସାରେ ଧାନ କିଣାଚାଲିଛି। କେବଳ କାଗଜ କଲମରେ ଧାନ କିଣା ପାଇଁ ପେକ୍ସ ଓ ଆରଏମ୍‌ସି ରହିଛି। କିନ୍ତୁ ମିଲର୍ସର ବିନା ଧାନ କିଣା ହୋଇପାରୁ ନାହିଁ। ଗତବର୍ଷ କେନ୍ଦ୍ରର ୧୭ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ଟାର୍ଗେଟ୍‌ ପରେ ବି ଧାନ କିଣାରେ ସମସ୍ୟା ହୋଇଥିଲା। ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଆରମ୍ଭରୁ କଳାହାଣ୍ଡିରେ ପ୍ରାୟ ୪୦ ଲକ୍ଷ କୁଇଣ୍ଟାଲ ଧାନ କିଣା ପାଇଁ ଟାର୍ଗେଟ ଦେଇ ସାରିଲେଣି। ଆସନ୍ତା ନଭେମ୍ବର ୨୫ରୁ ଧାନ କିଣା ହେବ ବୋଲି ପ୍ରଶାସନ ଘୋଷଣା କରିଛି।

ହେଲେ ଚାଉଳ ସଂଗ୍ରହ ନୀତି ଦୋଛକିରେ ଥିବାରୁ ମିଲର୍ସ ଏବେଠୁ ଧାନ କିଣା ନେଇ ନାକ ଟେକିଲେଣି। ଜିଲ୍ଲାରେ ଡିସେମ୍ବର ଯାଏ ବିଭିନ୍ନ ଯୋଜନାର ସରକାରୀ ଚାଉଳ ଗଚ୍ଛିତ ଅଛି। ଏହି ଯୋଜନାମାନଙ୍କରେ ମାସକୁ ୮୦ ହଜାର କୁଇଣ୍ଟାଲ ଚାଉଳ ଆବଶ୍ୟକତା ହୋଇଥାଏ। ତାକୁ ହିସାବ କଲେ ଖରିଫ ଋତୁର ୬ ମାସ ଚାଉଳ ସଂଗ୍ରହ ପାଇଁ ୪ ଲକ୍ଷ ୮୦ ହଜାର କୁଇଣ୍ଟାଲ ଆବଶ୍ୟକ। ଜିଲ୍ଲାର ୪୫ ଲକ୍ଷ କୁଇଣ୍ଟାଲ ଚାଉଳକୁ କେନ୍ଦ୍ର ଦ୍ୱାରା ପରିଚାଳିତ ଏଫ୍‌ସିଆଇ ନେବା କଥା। କିନ୍ତୁ କେନ୍ଦ୍ରର ଚାଉଳ ସଂଗ୍ରହ ଟାର୍ଗେଟ ଏ ବର୍ଷ କମ ଥିବାରୁ ଜିଲ୍ଲାର ଧାନ କିଣାରେ ସମସ୍ୟା ହୋଇପାରେ ବୋଲି ଚାଷୀମାନେ କହିଲେଣି। ସେହପିର ମିଲର୍ସଙ୍କ ପ୍ରାୟ ୨୫ରୁ ୩୦ କୋଟି ବକେୟା ସରକାର ଦେଇନାହାନ୍ତି।

ଇତିମଧ୍ୟରେ ପୁଣି ଯୋଗାଣ ନିଗମ ଧାନ ଟ୍ରାନ୍ସପୋର୍ଟ ପାଇଁ ଟେଣ୍ଡର କରିଛି। ଯେଉଁଥପାଇଁ ମିଲର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାନ ଉଠାଇବା ପାଇଁ ତାଙ୍କ ଗାଡ଼ି ଦେବେ ନାହିଁ କି ଧାନ ଆଣିବା ପାଇଁ ଖାଲି ବସ୍ତା ଦେବେ ନାହିଁ ବୋଲି କହିଛନ୍ତି। ଏହି ସବୁ ଦାବି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି। ତେବେ ନୀତି ସ୍ପଷ୍ଟ ନ ହେଲେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟା ଭୋଗିବେ କିଛି ଚାଷୀ ଅଭାବୀ ବିକ୍ରିର ଶିକାର ହେବେ।

ସମ୍ବନ୍ଧିତ ଖବର