ଭୁବନେଶ୍ୱର : ବାରବାଟୀରେ ଆୟୋଜିତ ହକି ବଶ୍ୱକପ ଉତ୍ସବରେ ଯୋଗଦେଇଥିବା ଅଭିନେତା ସଲ୍‌ମାନ୍‌ ଖାନଙ୍କ ପାରିଶ୍ରମିକକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସଲମାନ ଖାନଙ୍କ ସୋ’କୁ ନେଇ କଟକରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ଏବେ ସେହି ସୋ’କୁ ନେଇ ତାଠୁ ଅଧିକ ରାଜନୀତି ହେବାରେ ଲାଗିଛି । ବିଶେଷ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସୋସିଆଲ ମିଡିଆରେ କରିଥିବା ଏକ ଟିପ୍ପଣୀ, ନୂଆ ବିବାଦ ସୃଷ୍ଟି କରିଛି । ଲେଖାଶ୍ରୀ ଅଭିଯୋଗ କରିଛନ୍ତି- ମୁଖ୍ୟମନ୍ତ୍ରୀ ନିଜର ପ୍ରଚାର ପାଇଁ ୧ କୋଟି ୮୯ ଲକ୍ଷ ଟଙ୍କା ଉଡେଇ ଦେଇଛନ୍ତି । ଜବାବରେ ବିଜେଡି, ହକି ଇଣ୍ଡିଆର ଟ୍ୱିଟ୍ ଦେଖିବାକୁ ପରାମର୍ଶ ଦେବା ସହ ଏଭଳି ବିଭ୍ରାନ୍ତିକର ତଥ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଛି ।

Advertisment

publive-image

ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ସଲମାନଙ୍କ ସୋ’କୁ ବେଶ ଉତ୍ସାହର ସହ ସମସ୍ତେ ଚାହିଁ ରହିଥିଲେ । ହେଲେ ଭାଇଜାନଙ୍କ ଏହି ଉପସ୍ଥିତି, ଏକ ବିବାଦ ସୃଷ୍ଟି କରିବ ହୁଏତ, ସେତେବେଳେ କେହି ଚିନ୍ତା ବି କରିନଥିବେ । ସଲମାନଙ୍କ ନାଁରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଚେକ୍ ଏବେ ଏକ ନୁଆ ବିବାଦ ତିଆରି କରିଛି।

ବ୍ୟାଙ୍କ୍ ଚେକ୍ ସହ ସଲମାନ ଖାନ୍ ଲେଖାଥିବା କିଛି ତଥ୍ୟ ରଖି ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ ଅଭିଯୋଗ କରି ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର ପାଇଁ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ସଲମାନଙ୍କୁ ଟେକି ଦେଇଛନ୍ତି । ଏପଟେ ହକି ଇଣ୍ଡିଆ ଇଣ୍ଡିଆ ଟ୍ୱିଟ୍ କରି ଲେଖିଛି-ହକି ଇଣ୍ଡିଆର ସ୍ପନସରମାନଙ୍କ ଆର୍ଥିକ ସହଯୋଗରେ ଭୁବନେଶ୍ୱର ଏବଂ କଟକରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶା ସରକାରଙ୍କର କୌଣସି ଭୂମିକା ନାହିଁ କିମ୍ବା ଅର୍ଥ ଖର୍ଚ୍ଚ ହୋଇନାହିଁ।

publive-image

ହକି ଇଣ୍ଡିଆର ସ୍ପଷ୍ଟୀକରଣ ପରେ ବି ବଦଳି ନାହିଁ ବିଜେପି ନେତ୍ରୀଙ୍କ ଆଭିମୁଖ୍ୟ । ପାଲଟା ଅର୍ନ୍ତଜାତୀୟ ହକି ଫେଡେରେସନ୍‌ର ଅଧ୍ୟକ୍ଷ ନରିନ୍ଦର ବାତ୍ରା ଏବଂ ମୁଖ୍ୟମନ୍ତ୍ରୀଙ୍କ ମିଳିତ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି । ଏପଟେ ବିଜେଡି, ଲେଖାଶ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି । ବଡ କଥା ହେଉଛି-ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ସଲମାନ ଖାନଙ୍କ ନାଁର ଏହି ଚେକର ବିଶ୍ୱସନୀୟତା କେତେ, ତାହା କହିବା ଯେତିକି କଷ୍ଟ, ହକି ଇଣ୍ଡିଆର ସ୍ପଷ୍ଟିକରଣ ପରେ ଏହାକୁ ନେଇ ସମାଲାଚନା କରିବା ହୁଏତ, ସେତିକି ମୁଲ୍ୟହୀନ ।